ପ୍ରଚଣ୍ଡ ଖରା ଓ ଗରମ ଯୋଗୁ ହୋଇପାରେ ଡିହାଇଡ୍ରେଟେଡ୍‌

ଫୋକସ ପ୍ଲସ 22/4/23 (ବ୍ୟୁରୋ): ପ୍ରଚଣ୍ଡ ଖରା, ଗରମ ଯୋଗୁଁ ହସ୍‌ପିଟାଲ୍‌ରେ ଧୀରେଧୀରେ ଡିହାଇଡ୍ରେଟେଡ୍‌ ରୋଗୀ ଅଧିକ ବଢ଼ିବାରେ ଲାଗିଲେଣି। ପ୍ରତିଦିନ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ଆଶୁ ଚିକିତ୍ସାଗାରରେ ୫ରୁ ୬ ଝାଡ଼ାବାନ୍ତି, ମୁଣ୍ଡ ବୁଲାଉଥିବା ରୋଗୀ ଭର୍ତ୍ତି ହେଉଛନ୍ତି। ଖାଲି ସେତିକି ନୁହେଁ, କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ଅଂଶୁଘାତ ୱାର୍ଡକୁ ପ୍ରତିଦିନ ୩ରୁ ୪ଜଣ ଅଂଶୁଘାତ ରୋଗୀ ଆସୁଛନ୍ତି। ଅଂଶୁଘାତ ୱାର୍ଡରେ ୧୬ଟି ଶଯ୍ୟା ରହିଥିବା ବେଳେ ରୋଗୀଙ୍କ ପାଇଁ ଏସି ସୁବିଧା ସହ ପ୍ରଚୁର ପରିମାଣରେ ଓଆର୍‌ଏସ୍‌, ଥଣ୍ଡା ପାଣି, ବରଫ, ସାଲାଇନ୍‌ ସୁବିଧା ସହ ପ୍ରର୍ଯ୍ୟାପ୍ତ ପରିମାଣର ଔଷଧ ସୁବିଧା ରହିଛି।କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ଅଧୀକ୍ଷକ ଦିଲ୍ଲୀପ ପଣ୍ଡା କହିଛନ୍ତି, ଏବେ ଯେଉଁଭଳି ତାପମାତ୍ରା ରହିଛି, ଶରୀରରୁ ଜଳୀୟଅଂଶ କମିଯିବାର ଅଧିକ ଆଶଙ୍କା ରହିଛି। ଏଣୁ ଘରେ ରୁହନ୍ତୁ ବା ବାହାରେ ଅଧିକ ପରିମାଣର ଲେମ୍ବୁ ପାଣି, ତୋରାଣି, ଓଆର୍‌ଏସ୍‌ ଆଦି ପିଇବାକୁ ସେ ପରାମର୍ଶ ଦେଇଛନ୍ତି। ଅଂଶୁଘାତ ଯୋଗୁଁ ହଠାତ୍‌ ବ୍ୟକ୍ତିଙ୍କ ମୃତ୍ୟୁ ବି ହୋଇପାରେ। କିନ୍ତୁ ଅଂଶୁଘାତର ଶିକାର ହୋଇଥିବା ରୋଗୀ ସଠିକ୍‌ ଭାବେ ଆରାମ ନ କଲେ ବା ପାନୀୟ ଜଳ ଗ୍ରହଣ ନ କଲେ, ଡିହାଇଡ୍ରେସନ୍‌ର ଶିକାର ହୋଇଥା’ନ୍ତି। ଏ ସବୁରୁ ବର୍ତ୍ତିବା ପାଇଁ ଅତ୍ୟାବଶ୍ୟକ ନ ହେଲେ ଟାଣ ଖରାକୁ ବାହାରିବା ନାହିଁ। ବାହାରକୁ ଗଲେ, ଛତା, ଓଦା ଗାମୁଛା ସହ ପାଣିବୋତଲ ଆଦି ସାଙ୍ଗରେ ନେଇକି ଯିବା। ଘରକୁ ଫେରିଲେ ପ୍ରଚୁର ପାଣି ବା ତୋରାଣି ପିଇବା। ଏସବୁ ଦ୍ବାରା ଆମେ ଅଂଶୁଘାତ ବା ଅନ୍ୟ ସମସ୍ତ ସମସ୍ୟାକୁ ଦୂରେଇ ପାରିବା ବୋଲି ଶ୍ରୀ ପଣ୍ଡା କହିଛନ୍ତି | ଆଉ ମଧ୍ୟ ତରଭୁଜ ଓ ଆଖୁ ରସ ମଧ୍ୟ ପିଅନ୍ତୁ |

Leave a Reply

Your email address will not be published. Required fields are marked *