ପ୍ରଥମ ଓଡ଼ିଆ ମହିଳା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଫୋକସ ପ୍ଲସ(ଖୋର୍ଦ୍ଧା) ୩୧/୦୭/ ୨୦୨୨:ଓଡ଼ିଆ ମାଟି ର ଝିଅ ସମ୍ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ଭିଧାନିକ ପଦବୀ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି।ଏହା ଭାରତ ଗଣତନ୍ତ୍ର ପାଇଁ ଏକ ଐତିହାସିକ ମୂହୁର୍ତ୍ତ।ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।ସେ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ତା’ପରେ ଭୁବନେଶ୍ୱର ଆସି ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିଥିଲେ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ କଳାରେ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିଥିଲେ।ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେ ସ୍କୁଲ ଶିକ୍ଷୟତ୍ରୀ ଭାବେ ନିଜର କର୍ମମୟ ଜୀବନଯାତ୍ରା ଆରମ୍ଭ କରିଥିଲେ।ଏହାପରେ ରାଜ୍ୟ ଜଳସେଚ଼ନ ବିଭାଗ ରେ କନିଷ୍ଠ ସହାୟିକା ଭାବେ ଯୋଗ ଦେଇଥିଲେ।ଦକ୍ଷତା ଓ ଅଧ୍ୟବସାୟ ସହିତ ନିଜର ପେସାଗତ କର୍ତ୍ତବ୍ୟ ନିର୍ବାହ କରିଥିଲେ।ତାଙ୍କ ମନରେ ଥିବା ଜନସେବା ପ୍ରତି ଆଗ୍ରହ ତାଙ୍କୁ ରାଜନୀତି କ୍ଷେତ୍ର କୁ ଟାଣି ଆଣିଥିଲା।ତାଙ୍କର ରାଜନୈତିକ ଯାତ୍ରା ତୃଣମୂଳ ସ୍ତରରୁ ହିଁ ଆରମ୍ଭ ହୁଏ।୧୯୯୭ ମସିହାରେ ରାଇରଙ୍ଗପୁର ପୌର ନିର୍ବାଚ଼ନ ରେ କାଉନସିଲର ଭାବେ ନିର୍ବାଚ଼ିତ ହୋଇଥିଲେ।ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ରୁ ୨୦୦୦ ଏବଂ ୨୦୦୪ ରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।ଓଡ଼ିଶା ସରକାର ରେ ମନ୍ତ୍ରୀ ଭାବେ ସେ ବାଣିଜ୍ୟ,ପରିବହନ,ମତ୍ସ୍ୟପାଳନ ଓ ପ୍ରାଣୀ ସମ୍ପଦ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ।ତାଙ୍କ କାର୍ଯ୍ୟକାଳ ନିର୍ବିବାଦୀୟ ଓ ଦୁର୍ନୀତିମୁକ୍ତ ଥିଲା। ଓଡ଼ିଶା ବିଧାନ ସଭାଦ୍ୱାରା ୨୦୦୭ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ “ନୀଳକଣ୍ଠ ପୁରସ୍କାର” ସମ୍ମାନରେ ସମ୍ମାନୀତ ହୋଇଛନ୍ତି।ଜଣେ ସଫଳ ବିଧାୟିକା ଭାବେ ଏହା ଏକ ପ୍ରମାଣ।

୨୦୧୫ ମସିହାରେ ଝାଡ଼ଖଣ୍ଡ ର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ।ସେ ଥିଲେ ଝାଡ଼ଖଣ୍ଡ ର ପ୍ରଥମ ମହିଳା ରାଜ୍ୟପାଳ।ଝାଡ଼ଖଣ୍ଡ ଇତିହାସରେ ପ୍ରଥମ ଥର ଲାଗି ରାଜ୍ୟପାଳ ଭାବେ ସେ ୬ ବର୍ଷ କାର୍ଯ୍ୟକାଳ ସଂପୂର୍ଣ୍ଣ କରିଥିଲେ।ଜନସାଧାରଣ ଙ୍କ ଆଶାଆକାଂକ୍ଷା ପୂରଣ କରିବା ଲାଗି ରାଜଭବନ ର ଦ୍ବାର ଖୋଲିଦେଇଥିଲେ।ସେ ନିଜର ସଂଘର୍ଷ,ପ୍ରଚ଼େଷ୍ଟା,ପରିଶ୍ରମ ଓ ଅଧ୍ୟବସାୟ ଫଳରେ ଆଜି ଦେଶର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିପାରିଛନ୍ତି।

ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚ଼ୟ।ଓଡ଼ିଶା ଇତିହାସ ର ପ୍ରତିଟି ପୃଷ୍ଠାରେ ସ୍ବାଭିମାନି ଓଡ଼ିଆର ଅସ୍ମିତାର କାହାଣୀ ଲିପିବଦ୍ଧ।କଳିଙ୍ଗ ଯୁଦ୍ଧପରେ ସମ୍ରାଟ ଅଶୋକଙ୍କୁ ଏ ମାଟି ଅହିଂସା ମନ୍ତ୍ର ରେ ଦୀକ୍ଷିତ କରିଥିଲା।ଓଡ଼ିଆ ସ୍ବାଭିମାନ ଓ ଅସ୍ମିତା କୁ ଶୀର୍ଷରେ ପହଞ୍ଚାଇଥିଲେ ମହାମେଘବାହନ ଐର ଖାରବେଳ।ସମ୍ରାଟ କପିଳେନ୍ଦ୍ରଦେବ କଳିଙ୍ଗ ସାମ୍ରାଜ୍ୟ କୁ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିଥିଲେ। ଭାରତ ବର୍ଷ ର ସ୍ବାଧିନତା ପାଇଁ ବ୍ରିଟିଶ ବିରୋଧ ରେ ୧୮୧୭ ମସିହାରେ ହୋଇଥିଲା ପ୍ରସିଦ୍ଧ ପାଇକ ବିଦ୍ରୋହ, ଯାହାକି ଓଡିଆ ଜାତିର ପ୍ରାତଃ ସ୍ମରଣୀୟ ଓ ଅବିସ୍ମରଣୀୟ।ଓଡିଶା ମାଟି ମା ର ସମ୍ମାନ ଓ ମର୍ଯ୍ୟାଦା ରକ୍ଷା କରିବା ସଙ୍ଗେ ସଙ୍ଗେ ଦୁର୍ଦ୍ଦଷ ଇଂରେଜମାନଙ୍କୁ ଧ୍ଵସ୍ତ ବିଧ୍ଵସ୍ତ ଅମାନୁଷିକ ଅକଥନୀୟ ଅତ୍ୟାଚାର ଅନାଚାରରୁ ମୁକ୍ତ କରିବା ସେମାନଙ୍କର ମୁଖ୍ୟ ଲକ୍ଷ ଥିଲା । ବ୍ରିଟିଶ ସେନାଙ୍କ ତୁଳନାରେ ଏମାନେ ଅଧିକ ସାହସୀ ଓ ନିର୍ଭୀକ ଥିଲେ । ନିଜର ପ୍ରୟୋଗାତ୍ମକ ସମର କଳା କୌଶଳ ତଥା ଜ୍ଞାନ ବୁଦ୍ଧି ବଳରେ ବିଦ୍ରୋହକୁ ତୀବ୍ର, ଶାଣିତ ଓ କୋଠର କରି ପାରିଥିଲା।ଏହି ବିଦ୍ରୋହ ଭାରତ ଇତିହାସରେ ଉଲ୍ଲେଖନୀୟ ଘଟଣା।ବର୍ତ୍ତମାନ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇ ଓଡ଼ିଆ ଜାତି ର ଏକ ଗୌରବମୟ ପୃଷ୍ଠା ଯୋଡ଼ି ଦେଇଛନ୍ତି।ଜୁଲାଇ ୨୫ ତାରିଖ ପୂର୍ବାହ୍ନ ରେ ଗଣତନ୍ତ୍ର ର ସର୍ବୋଚ୍ଚ ମନ୍ଦିର ନୂଆଦିଲ୍ଲୀ ର ସଂସଦ ଭବନ ର ସେଣ୍ଟ୍ରାଲ ହଲ୍ ରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।ସେହି ମୂହୁର୍ତ୍ତ ଟି ପ୍ରତ୍ୟେକ ଓଡ଼ିଆ ଙ୍କ ପାଇଁ ଗୌରବ ଓ ସର୍ବଶ୍ରେଷ୍ଠ ଥିଲା। ଶପଥ ଗ୍ରହଣ ସମୟରେ ତାଙ୍କର ସମ୍ଭୋଧନରୁ ସାରା ବିଶ୍ବକୁ ଯେଉଁ ଜଗତକଲ୍ୟାଣ ବାର୍ତ୍ତା ଦେଇଛନ୍ତି ଏବଂ ଓଡ଼ିଆ ଜାତିର ଗୌରବ ସନ୍ଥକବି ଭୀମ ଭୋଇ ଉକ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ,ଜଗତ ଉଦ୍ଧାର ହେଉ” ନିଜ ଅଭିଭାଷଣ ରେ କହି ଆଉଥରେ ଓଡ଼ିଆ ଜାତି ର ଅସ୍ମିତାର ପ୍ରତିଷ୍ଠାକୁ ଗୌରବମଣ୍ତିତ କରିଛି।
ଶ୍ରୀମତୀ ଦ୍ରୌପଦୀ ମୁର୍ମୁ,ତାଙ୍କ ବକ୍ତବ୍ୟ ରେ କହିଥିଲେ,ରାଷ୍ଟ୍ରପତି ପଦବୀ କୁ ତାଙ୍କର ନିର୍ବାଚ଼ନ ପ୍ରମାଣ କରିଛି ଯେ,ଦେଶରେ ଗରିବ ଲୋକ ସ୍ବପ୍ନ ଦେଖିପାରେ ଏବଂ ସେହି ସ୍ବପ୍ନ କୁ ମଧ୍ୟ ପୂରଣ କରିପାରେ।ରାଷ୍ଟ୍ରପତି ଙ୍କ ଏହି ଉକ୍ତି ଟି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ।ସେ ନିଜର ସଙ୍ଘର୍ଷ,ପରିଶ୍ରମ ଫଳରେ ଯେଉଁ ସଫଳତା ପାଇଛନ୍ତି,ତାହା ଆମ ସମସ୍ତଙ୍କ ପାଇଁ ଆଦର୍ଶ ଓ ପ୍ରେରଣା ହୋଇ ରହିବ।ଓଡ଼ିଆ ମାଟିର ଗୌରବ ଦେଶର ପଞ୍ଚଦଶ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଙ୍କୁ ମୁଁ ହୃଦୟ ର ଗଭୀରତମ ପ୍ରଦେଶ ରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

 

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *