ବଜ୍ରାଘାତ ମୃତ୍ୟୁରେ ଓଡ଼ିଶା ଏକ ନମ୍ବର

ଫୋକସ ପ୍ଲସ(ବ୍ୟୁରୋ)୩୦/୦୮/୨୦୨୨: ରାଜ୍ୟରେ ଘାତକ ହେଉଛି ବଜ୍ରାଘାତ। ସତେ ଯେମିତି ଆକାଶରୁ ଖସୁଛି ମୃତ୍ୟୁ। ନେଇ ଚାଲିଯାଉଛି ଜୀବନ। ଆଜି ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାରେ ବଜ୍ରପାତ ୫ ଜଣଙ୍କ ଜୀବନ ନେଇଥିବା ବେଳେ ଗତକାଲି ଉଦଳାରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଆଜି କିମ୍ବା କାଲିର ଘଟଣା ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ବଜ୍ରାଘାତ ମୃତ୍ୟୁରେ ଓଡ଼ିଶା ଦେଶରେ ଏକ ନମ୍ବର।

୨୦୨୧ରେ ବଜ୍ରାଘାତରେ ଦେଶରେ ୭୮୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରେ ୨୧୩ ଜଣ ଓଡ଼ିଶାର ଥିଲେ। ଯାହାକି ମୋଟ୍ ବଜ୍ରପାତ ମୃତ୍ୟୁର ୨୭ ପ୍ରତିଶତ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୨୦୧୧ରୁ ୨୦୨୦ ମସିହା ମଧ୍ୟରେ ଅର୍ଥାତ୍ ଗତ ୯ ବର୍ଷରେ ବଜ୍ରଘାତ ଯୋଗୁ ୩ ହଜାର ୨୧୮ ଜଣଙ୍କ ମୃତ୍ୟୁ ହୋଇଛି।ଏଠି ପ୍ରଶ୍ନ ଉଠିଛି ସରକାରଙ୍କ ବ୍ୟାପକ ସତର୍କ ସୂଚନା ସତ୍ତ୍ୱେ କାହିଁକି ବଜ୍ରାଘାତ ନେଉଛି ଏତେ ଜୀବନ ? କ’ଣ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚି ପାରୁନି କି ଏହି ସୂଚନା।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ମତରେ ପ୍ରାକ୍ ମୌସୁମୀ ଓ ମୌସୁମୀ ଦୁର୍ବଳ ହେବା ସମୟରେ ହିଁ ବଜ୍ରପାତର ଅଧିକ ଆଶଙ୍କା ଥାଏ। ଦିନ ୧୧ଟାରୁ ରାତି ୮ଟା ମଧ୍ୟରେ ସାଧାରଣତଃ ବଜ୍ରପାତ ହୁଏ। ମାର୍ଚ୍ଚରୁ ମେ ମାସରେ ବଜ୍ରପାତର ତୀବ୍ରତା ଓ ମାତ୍ରା ଅଧିକ ରହିଥାଏ। ତେବେ ଜୁନ୍ ଓ ସେପ୍ଟେମ୍ବର ମଧ୍ୟରେ ଚାଷୀ ଖୋଲା ବିଲରେ କାମ କରୁଥିବାରୁ ବଜ୍ରପାତର ଶିକାର ହୁଅନ୍ତି। ଭାରତୀୟ ପାଣିପାଗ ବିଭାଗ ୫ ଦିନ ଆଗରୁ ବଜ୍ରପାତ ନେଇ ସୂଚନା ଦେଉଛି। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବଜ୍ରାଘାତ ନେଇ ପାଣିପାଗ ବିଭାଗ ୩ ଘଣ୍ଟା ପୂର୍ବରୁ ସୂଚନା ପ୍ରଦାନ କରିଥାଏ। ତେବେ ଏହା କେତେଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ, ତାହା ହିଁ ସବୁଠୁ ବଡ଼ ଆହ୍ୱାନ।

ସେପଟେ ଉତ୍ତର ଓଡ଼ିଶା ତଥା ପାହାଡ଼ିଆ ଜିଲ୍ଲାଗୁଡିକରେ ବଜ୍ରଘାତଜନିତ ମୃତ୍ୟୁ ସଂଖ୍ୟା ଅଧିକ। ତେଣୁ ଲୋକଙ୍କୁ ମୋବାଇଲ ମେସେଜ ଜରିଆରେ ଆଗୁଆ ସୂଚନା ଦେଇ ସତର୍କ କରିବାକୁ ପ୍ରୟାସ ଆରମ୍ଭ କରିଛି ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ। ଭାରତୀୟ ପାଣିପାଗ ବିଭାଗ, ଓସ୍‌ଡମା ଓ କର୍ପସ ନାମକ ସଂସ୍ଥା ସହାୟତାରେ ସ୍ୱତନ୍ତ୍ର ବଜ୍ରପାତ ଆପ୍‌ ‘ଦାମିନୀ’ ବିକାଶ କରାଯାଇଛି।ଏନେଇ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ସନ୍ତୋଷ କୁମାର ତ୍ରିପାଠୀ ଓ ବୈଜ୍ଞାନିକ ସଞ୍ଜୟ ଶ୍ରୀବାସ୍ତବ କହିଛନ୍ତି, ଏହି ଆପ୍ ଦ୍ୱାରା ବଜ୍ରପାତର ୪୦ ମିନିଟ୍ ପୂର୍ବରୁ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକଙ୍କୁ ମେସେଜ୍ ପଠାଇ ସତର୍କ କରାଇ ହେବ। ଫଳରେ ବଜ୍ରାଘାତଜନିତ ମୃତ୍ୟୁକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି।

ତେବେ ବିଲକୁ କାମ କରିବାକୁ ଯାଉଥିବା କେତେ ସଂଖ୍ୟକ ଚାଷୀ ଓ ଶ୍ରମିକ ସାଙ୍ଗରେ ମୋବାଇଲ ନେଇ ଯାଉଛନ୍ତି, ଏଥିସହ ଏବାବଦରେ ସେଚେତନ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବଜ୍ରପାତ ହେଉଥିଲେ ପାଣିରେ, ଗଛ ତଳେ, ଖୋଲା ଆକାଶ ତଳେ ନ ରହିବାକୁ କରାଯାଉଥିବା ସଚେତନତା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ପାରୁନି। ଯାହା ବଜ୍ରାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ାଉଛି।

 

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *