ବଡ଼ବଡ଼ିଆଙ୍କ କବଜାରେ ସରକାରୀ ଜମି

ଫୋକସ ପ୍ଲସ(ଅନୁଗୋଳ)04/08/2022: : ଜିଲ୍ଲାରେ ଶହ ଶହ ଏକର ସରକାରୀ ମୂଲ୍ୟବାନ ଜମି ବଡ଼ବଡ଼ିଆଙ୍କ କବଜାରେ ରହିଛି । ସେମାନେ ସରକାରୀ ଜମିରେ ରହିବା ଘର ଓ ଦୋକାନ ଘର କରି ଭଡା ସୂତ୍ରରେ ଲଗାଇ ଲାଭବାନ ହେଉଛନ୍ତି । ଫଳରେ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ହରାଇବାକୁ ପଡୁଛି। ସରକାରୀବାବୁ ମାନଙ୍କଠାରୁ ନେତା ପର୍ଯ୍ୟନ୍ତ ଏହି ଜମିକୁ ନିଜ ଦଖଲରେ ରଖିଛନ୍ତି । ବର୍ଷ ବର୍ଷ ଧରି ଏହି ସବୁ ମୂଲ୍ୟବାନ ଜମିକୁ ସେମାନେ ଅକ୍ତିଆରରେ ଥିବା ବେଳେ ଏବେ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛି ।ସହରରେ ଖାଲି ପଡିଥିବା ଗୋଚର, ପୁରାତନ ପତିତ, ଜଙ୍ଗଲ କିଶମ ଓ ଜଳସେଚନ ପାଇଁ ଉଦିଷ୍ଟ ବହୁ ସରକାରୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଯାହାକୁ ଭଡା ସୂତ୍ରରେ ଲଗାଇ ବହୁ ଅର୍ଥ ରୋଜଗାର କରୁଛନ୍ତି ଜମି ଅକ୍ତିଆର କରିଥିବା ଲୋକେ । ଅନୁଗୋଳ ସଦର ଆରଆଇ ସର୍କଲ ଟାଉନ ମୌଜାରେ ଥିବା ବିଭିନ୍ନ ପଡାର ପ୍ରାୟ ସବୁ ଗଳିରେ ସରକାରୀ ଜମି ଜବରଦଖଲକାରୀଙ୍କ ଅଧୀନରେ ରହିଛି ।ସୂଚନା ଅଧିକାରୀଙ୍କୁ ମିଳିଥିବା ରେକର୍ଡ ଅନୁସାରେ କେବଳ ଅନୁଗୋଳ ଟାଉନ ମୌଜାରେ ୯୬୩ଏକର ସରକାରୀ ଜମି ଅଛି । ସେଥିମଧ୍ୟରୁ ଶତକଡା ୪୦ଭାଗ ଜମି ଉପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ବାର୍ଟର, ରାସ୍ତା ଆଦି ରହିଛି । ଆଉ ଯାହା ଜମି ଖାଲି ଅଛି ସେସବୁ ଜବରଦଖଲକାରୀଙ୍କ କବଜାରେ ରହିଛି । ଅର୍ଥାତ ରେକର୍ଡ ଅନୁସାରେ ସହରର ୭୮୬ଟି ମୂଲ୍ୟବାନ ପ୍ଲଟ ଜବରଦଖଲରେ ଅଛି । ସେଥିରୁ ୨୬ଟି ପ୍ଲଟ ବିଭିନ୍ନ ଧର୍ମାନୁଷ୍ଠାନ ଦ୍ବାରା କବଜା କରାଯାଇଛି । ଏହା ଆଜି କାଲିର କଥା ନୁହେଁ । ଦୀର୍ଘ ବର୍ଷ ହେଲା ଚାଲି ଆସିଛି । ମୂଲ୍ୟବାନ ଜମି ସବୁ ଜବରଦଖଲକାରୀଙ୍କ କବଜାରୁ ମୁକୁଳାଇ ସରକାରୀ ଖାତାକୁ ଆଣିବାକୁ କେହି କେବେ ପଦକ୍ଷେପ ନେଇନାହାନ୍ତି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ।ଅନୁଗୋଳ ଏକ ଶିଳ୍ପ ବହୁଳ ଜିଲ୍ଲା ହୋଇଥିବାରୁ ଏଠାରେ ଜମିର ମୂଲ୍ୟ ଆକାଶ ଛୁଆଁ । ଏହାଛଡା ଅନୁଗୋଳ ମ୍ୟୁନିସିପାଲଟି ତାର ପରିସୀମା ବୃଦ୍ଧି କରିବାକୁ ଯୋଜନା କରୁଥିଲେ ମଧ୍ୟ ଜମି ଜବରଦଖଲ ଯୋଗୁ ତାହା ହୋଇପାରୁନାହିଁ । ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ୨୦ବର୍ଷରୁ ଅଧିକ ବିତି ଗଲାଣି । କିନ୍ତୁ ଏବେ ସୁଦ୍ଧା ଅନେକ ବିଭାଗର ଜିଲାସ୍ତରୀୟ ସ୍ଥାୟୀ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇପାରିନାହିଁ । ତେଣୁ ସରକାରୀ ଜମିକୁ ଜବରଦଖଲକାରୀଙ୍କ ଠାରୁ ମୁକୁଳାଇ ସେହି ଜମିରେ ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ କଲ୍ୟାଣ ମୂଳକ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି । ଏହାଛଡା ସରକାର ଜାଗା ମିଶନ ଜରିଆରେ ଭୂମିହୀନଙ୍କୁ ଜମି ଯୋଗାଇ ଦେଉଛନ୍ତି । ତେଣୁ ସେହି ଜମି ଭୂମିହୀନମାନଙ୍କୁ ଦିଆଗଲେ ଉପକୃତ ହୋଇପାରନ୍ତେ । ତେବେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ଜିଲ୍ଲାପାଳ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାରୀ ଜମିରେ ଜବରଦଖଲକାରୀଙ୍କୁ ଚିହ୍ନଟ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ ପ୍ରତିଶତ ସରକାରୀ ଜମିର ତାଲିକା ଶେଷ ହେଲାଣି । ପୁରା ଜବରଦଖଲକାରୀଙ୍କ ତାଲିକା ଏବଂ ଜମିର ପରିମାଣ ଜଣା ପଡିବା ପରେ ଜବରଦଖଲ ଉଚ୍ଛେଦ ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଜବରଦଖଲକାରୀଙ୍କ ସଂଖ୍ୟା ପ୍ରାୟ ଏକ ହଜାର ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ତେଣୁ ଆଇନ ଅନୁସାରେ ସେମାନଙ୍କୁ କେବଳ ଉଚ୍ଛେଦ ନୁହେଁ ଯେତିକି ଦିନ ହେଲା ସେମାନେ ସରକାରୀ ଜମିକୁ ବ୍ୟବହାର କରି ଲାଭବାନ ହୋଇ ଆସୁଛନ୍ତି ତାହାର ଆକଳନ କରି ସେମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *