ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର । ଦିନକ ପରେ ଆଲୋକର ପର୍ବ ଦୀପାବଳୀ । ଆଉ ଦୀପାବଳିରେ ଦୀପ ବିକ୍ରି କରି ଦି’ ପଇସା ରୋଜଗାର କରିବାକୁ ଆଶା ରଖିଥାନ୍ତି କୁମ୍ଭକାର ପରିବାର । ମାତ୍ର ଏବେ ବଜାରରେ ଫ୍ୟାନ୍ସି ଦୀପର ଚାହିଦା ବଢ଼ିବା ପରେ ମାଟି ଦୀପ ବ୍ୟବସାୟ ଠପ୍ ହୋଇଯାଇଛି । ଫଳରେ ଜୀବନ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି କୁମ୍ଭକାର । ମାଟିରେ ନିର୍ମିତ ସୁନ୍ଦର ସୁନ୍ଦର ଦୀପ । ରଙ୍ଗ ବେରଙ୍ଗର ଦୀପ ବଜାରକୁ ଯିବା ଲାଗି ପ୍ରସ୍ତୁତ। ଛୋଟିଆ ଦୀପଟିଏ ହେଲେ ବି ଏହା ପଛରେ ରହିଛି କୁମ୍ଭକାରଙ୍କ ଅକ୍ଲାନ୍ତ ପରିଶ୍ରମ । ମାତ୍ର ପରିଶ୍ରମ ଅନୁଯାୟୀ ମିଳୁନି ମୂଲ୍ୟ । ଏ କେଉଁ ଗୋଟିଏ କୁମ୍ଭକାର ପରିବାରର କାହାଣୀ ନୁହେଁ । ପାରାଦୀପର ଭୂତମୁଣ୍ଡାଇ ଅଞ୍ଚଳ ହେଉ କି ଲୁଣୁକୂଆ ଓ ଫତେପୁର ଅଞ୍ଚଳ ସବୁଠି କୁମ୍ଭକାରଙ୍କ ଦୟନୀୟ ସ୍ଥିତି । ଦୀପାବଳି ଆସିଲେ କୁମ୍ଭକାରମାନେ ସୁନ୍ଦର ସୁନ୍ଦର ଦୀପ ତିଆରିରେ ଲାଗିପଡନ୍ତି ସତ, ମାତ୍ର ବଜାରରେ ଫ୍ୟାନ୍ସି ଦୀପ ଏବଂ ଲିଚୁ ଲାଇଟ୍ ଆସିବା ଦିନଠୁ ଏମାନଙ୍କ ବ୍ୟବସାୟ ପୁରା ଠପ୍ ହୋଇଯାଇଛି । ସମାନ ଦଶା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଚନ୍ଦନପୁର ଗାଁର କୁମ୍ଭକାରଙ୍କର । ଦୀପାବଳି ଲାଗି କୁମ୍ଭକାରମାନେ ଦୀପ ପ୍ରସ୍ତୁତ କରିଥିଲେ ମଧ୍ୟ ବିଶେଷ ବିକ୍ରିବଟା ହେଉନଥିବା କୁମ୍ଭକାର କହିଛନ୍ତି । ତେବେ ରୋଜଗାରର ଅନ୍ୟ ପନ୍ଥା ନଥିବା ବେଳେ ଏବେ ବି ଗାଁର ୫୦ ପରିବାର କୌଳିକ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି । ବାସୁଦେବପୁର ବିନାୟକପୁର ଗାଁରେ ମଧ୍ୟ କିଛି କୁମ୍ଭକାର ପରିବାର ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାଟି ଦୀପ ପାଇଁ ମାଟିର ଅଭାବ ସାଙ୍ଗକୁ ଅଧିକ ପରିଶ୍ରମ କରିବାକୁ ପଡୁଛି । ମାତ୍ର ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳୁନଥିବା କାରିଗର ଅଭିଯୋଗ କରିଛନ୍ତି । ଖାଲି ଦୀପ କାହିଁକି ଆଧୁନିକତାର ତାଳତାଳେ ମାଟି ପାତ୍ରର ଚାହିଦା ମଧ୍ୟ କମିବାକୁ ବସିଲାଣି । ଫଳରେ କୁମ୍ଭକାର ପରିବାର ଏବେ କ’ଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।