ବନ୍ୟଜନ୍ତୁଙ୍କୁ ସୁରକ୍ଷା କେବେ ?

ଫୋକସ ପ୍ଲସ ୩/୨/୨୩(ବ୍ୟୁରୋ):ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି ବନ୍ୟଜନ୍ତୁ। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ହାତୀ,ବାଘ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଜୀବନ ଯାଉଛି। ଶିକାରୀଙ୍କ କବଳରେ ପଡ଼ି ଶତାଧିକ ବନ୍ୟଜନ୍ତୁ ପ୍ରାଣ ହରାଉଛନ୍ତି। ଜଙ୍ଗଳରେ ବ୍ୟାପକ ଭାବେ ଗଛକଟା ହେଉଛି। ହାତୀ ସମେତ ଅନ୍ୟାନ୍ୟ ବଡ଼ ବନ୍ୟଜନ୍ତୁଙ୍କ ଲାଗି ଜଙ୍ଗଲରେ ଆବଶ୍ୟକ ଖାଦ୍ୟ ଓ ପାଣି ଉପଲବ୍ଧ ହେଉନାହିଁ। ଯେଉଁଥିପାଇଁ ଗ୍ରୀଷ୍ମ କାଳରେ ବନ୍ୟଜନ୍ତୁମାନେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି। ଏହାଦ୍ବାରା ମଣିଷ ଓ ବନ୍ୟଜନ୍ତୁ ମୁହାମୁହିଁ ହେଉଛନ୍ତି, ବ୍ୟାପକ ଫସଲ ନଷ୍ଟ ହେଉଛି। ଲୋକଙ୍କ ଜୀବନ ବି ଯାଉଛି। ଅପରପକ୍ଷେ ଶିକାରୀ ବି ସକ୍ରିୟ ହୋଇ ହାତୀଦାନ୍ତ ବେପାରରେ ମାତି ଯାଉଛନ୍ତି। ଆଠଗଡ଼, ଢେଙ୍କାନାଳ, ଶିମିଳିପାଳ ପରି ବିଭିନ୍ନ ବନଖଣ୍ଡରେ ମାଟି ତଳୁ ହାତୀଙ୍କ କଙ୍କାଳ ମିଳୁଛି। ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବିଭିନ୍ନ ସାମାଜିକ ସଙ୍ଗଠନ ଅଭିଯୋଗ କରିଛନ୍ତି। ରାଜ୍ୟର ବିଭିନ୍ନ କୋର୍ଟରେ ୧୬୭୨ଟି ବନ୍ୟଜନ୍ତୁ ଶିକାର ମାମଲା ଗଡ଼ୁଥିଲେ ମଧ୍ୟ ତାହାର ସମାଧାନ ହୋଇପାରୁନାହିଁ। ଏପରିକି ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ଲାଗି ଓଡ଼ିଶା କୃଷକ ସହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବନ୍ୟପ୍ରାଣୀ ହତ୍ୟାକାରୀଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୀଘ୍ର ବିଚାର କରିବା ଲାଗି ମଧ୍ୟପ୍ରଦେଶରେ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି। ଓଡ଼ିଶାରେ ଏହା ପ୍ରତିଷ୍ଠା କରିବା ଲାଗି ବିଭିନ୍ନ ସମୟରେ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହାକୁ ଆଜି ପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ। ଏମିତିକି ୨୦୨୨ ଜୁଲାଇ ମାସରେ ବିଧାନସଭାରେ ବିଧାୟକ ସୁ‌ରେଶ କୁମାର ରାଉତରା‌ୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ ରାଜ୍ୟର ବିଭିନ୍ନ କୋର୍ଟରେ ବନ୍ୟପ୍ରାଣୀ ହତ୍ୟାକାରୀ ଶିକାରୀଙ୍କ ବିରୋଧରେ ୨୦୧୨-୧୩ରୁ ୨୦୨୧-୨୨ ଭିତରେ ୧୬୭୨ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଉକ୍ତ ମକଦ୍ଦମାଗୁଡ଼ିକର ଶୀଘ୍ର ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବ, ବନ୍ୟପ୍ରାଣୀ ଶିକାର କରିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ଖବରଦାତାଙ୍କୁ ୫୦ହଜାରରୁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ , ଅବସରପ୍ରାପ୍ତ ସୈନ୍ୟମାନଙ୍କୁ ନିଯୁକ୍ତି ଦେଇ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ଲାଗି ଓଡ଼ିଶା କୃଷକ ମହାସଂଘ ସଭାପତି ତଥା ପୂର୍ବତନ ବିଧାୟକ ବିଭୂଧେନ୍ଦ୍ର ପ୍ରତାପ ଦାସ ଏକ ପ୍ରସ୍ତାବ ଦେଇଥିଲେ। ତାହା ୨୦୨୧ ଫେବ୍ରୁଆରି ୧୦ରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ହସ୍ତଗତ ହୋଇଛି ଏବଂ ବିଚାରାଧୀନ ରହିଥିବା ମନ୍ତ୍ରୀ ଶ୍ରୀ ଅମାତ୍‌ ସୂଚନା ଦେଇଥିଲେ।୨୦୨୧ରୁ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ ନିକଟରେ ପ୍ରସ୍ତାବ ରହିଥିଲେ ସୁଦ୍ଧା ସେ ଦିଗରେ କୌଣସି ବି ପଦକ୍ଷେପ ନିଆଯାଇନାହିଁ।ତେବେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାର ଯେଉଁଭଳି ତତ୍ପରତା ପ୍ରକାଶ କରିବା କଥା, ତାହା ଦେଖିବାକୁ ମିଳୁନି ବୋଲି ମହାସଂଘ ସଭାପତି ଶ୍ରୀ ଦାସ କହିଛନ୍ତି |ତେବେ ମଧ୍ୟପ୍ରଦେଶ ଭଳି ଓଡ଼ିଶାରେ ମଧ୍ୟ କୋର୍ଟ ପ୍ରତିଷ୍ଠା କରାଗଲେ ବନ୍ୟଜନ୍ତୁ ମୃତ୍ୟୁ ରୋକିବାରେ ରାଜ୍ୟ ସରକାର ସଫଳ ହେବେ ସାଧାରଣରେ ଚର୍ଚା ହେଉଛି |

Leave a Reply

Your email address will not be published. Required fields are marked *