ବସି ରହିଲେ ହରାଇବେ ସ୍ମରଣଶକ୍ତି |

ଫୋକସ ପ୍ଲସ ୨୪/୧/୨୩(ବ୍ୟୁରୋ):ଆଜିକାଲି ସମସ୍ତେ ଆରାମ ଚାହୁଁଛନ୍ତି । ଶାରୀରିକ ପରିଶ୍ରମରୁ ଦୂରେଇ ରହିବାପାଇଁ ଯଥାସମ୍ଭବ ଉପାୟ କରୁଛନ୍ତି ଲୋକମାନେ । ଆଉ ଦିନମାନ ଘରେ ହେଉ କିମ୍ବା ଅଫିସରେ ବସିରହି ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି । କିନ୍ତୁ ସେମାନେ ଜାଣିରଖିବା ଉଚିତ ଯେ, ଅଧିକ ସମୟ ଧରି ଏମିତି ବସିରହିବା ସେମାନଙ୍କ ଜୀବନ ପ୍ରତି ବଡ ବିପଦ ସୃଷ୍ଟି କରିପାରେ । ଅଫିସରେ କାମ କରିବା ବେଳେ ଦୀର୍ଘ ସମୟ ଧରି ବସି ରହିବା ଏକ ସାଧାରଣ ତଥା ନିତିଦିନିଆ ଘଟଣା । ଅଫିସ ଭିତରେ ହେଉ କିମ୍ବା କୌଣସି ବାହାର ସ୍ଥାନରେ ଗତି ବିହୀନ ଭାବେ କ୍ରମାଗତ ୮ ଘଣ୍ଟା ବସିରହି କାମ କରିବାକୁ ପଡେ । ଲମ୍ବା ସମୟ ପର୍ଯ୍ୟନ୍ତ ବସି ରହିବାର ପ୍ରଭାବ ଏବେ ଲୋକଙ୍କ ସ୍ମରଣ ଶକ୍ତି ଉପରେ ପଡିବାରେ ଲାଗିଛି । ଏଥିଯୋଗୁ ଦିନକୁଦିନ ସ୍ମରଣ ଶକ୍ତି ଦୁର୍ବଳ ହେଉଛି । ଫଳରେ ମଣିଷ ଅନେକ ସମୟରେ ଜରୁରୀ କଥାକୁ ମଧ୍ୟ ଭୁଲିଯାଉଛି । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏକଥା ସାମ୍ନାକୁ ଆସିଛି । ତେବେ ଏହି ଅଧ୍ୟୟନରେ କୁହାଯାଇଛି କି, ଯେଉଁମାନେ ଦୈନିକ ୮ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିରହି କାମ କରୁଛନ୍ତି ସେମାନେ ଦିନକୁ ଅତିକମରେ ୩ ଘଣ୍ଟା ପର୍ଯ୍ୟନ୍ତ ଛିଡା ହୋଇ ରହିବାକୁ ପଡିବ । ଏହା ତାଙ୍କୁ ଲମ୍ବା ଜୀବନ ଜୀଇଁବାରେ ସହାୟକ ହେବ । ଗବେଷଣାରୁ ଜଣାପଡିଛି କି ଠିଆହୋଇ ରହିବା ଫଳରେ ରକ୍ତରେ ଶର୍କରାର ସ୍ତର କମିଯାଏ । ହୃଦରୋଗ ଆଶଙ୍କା ମଧ୍ୟ ହ୍ରାସ ପାଏ । ଏଥି ସହିତ ଦିନକୁ ୩ ଘଣ୍ଟା ଠିଆ ହେଉଥିବା ଲୋକମାନେ ଅନ୍ୟମାନଙ୍କ ଅପେକ୍ଷା କମ ଚାପ ଓ ଦୁର୍ବଳ ଅନୁଭବ କରିଥାନ୍ତି । ଆମେରିକା ଗବେଷକଙ୍କ କହିବା ଅନୁସାରେ ଲମ୍ବା ସମୟ ଧରି ବସି ରହିବା ସହିତ ମାନସିକ, ସ୍ୱାସ୍ଥ୍ୟ ଓ ସ୍ମରଣ ଶକ୍ତି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । କିନ୍ତୁ ଠିଆ ହୋଇ ରହିବା ଫଳରେ ନ୍ୟୁରଲ ଏଜିଂ ସହ ଲଢିବାକୁ ଶକ୍ତି ମିଳିଥାଏ । ଅଧିକ ସମୟ ଗତିହୀନ ଭାବେ ବସିରହିବା ଫଳରେ ମସ୍ତିଷ୍କରେ ସ୍ମରଣ ଶକ୍ତି ଥିବା କ୍ଷେତ୍ର ମେଡିଏଲ ଟେମ୍ପୋରଲ ଲୋବ ବିଗିଡିବାର ଆଶଙ୍କା ରହିଛି । କେବଳ ଏତିକି ନୁହେଁ, ଲମ୍ବା ସମୟ ବସି ରହିବା ଫଳରେ ଶରୀରର ସବୁ ଅଂଶକୁ ଠିକ ଭାବେ ରକ୍ତ ସଞ୍ଚାଳନ ହୋଇ ପାରେ ନାହିଁ । ମସ୍ତିଷ୍କକୁ ଠିକ ଭାବେ ରକ୍ତ ସଂଚାଳନ ହୋଇ ନପାରିବା ଫଳରେ କୋଷିକାକୁ ଅମ୍ଳଜାନ ଓ ଅନ୍ୟ ପୋଷକ ତତ୍ତ୍ୱ କମିଯାଏ । କିନ୍ତୁ ଗୋଟିଏ ସ୍ଥାନରେ ବିନା ଚଳପ୍ରଚଳରେ ଲମ୍ବା ସମୟ ପର୍ଯ୍ୟନ୍ତ ବସିରହିବା ଫଳରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରଭାବିତ ହୁଏ । ଏହାର ପ୍ରଭାବ ଆମର ଗୋଡ ଉପରେ ମଧ୍ୟ ପଡେ । ଏପରିକି ଗୋଡ ଅଚଳ ହୋଇଯିବାର ଆଶଙ୍କା ମଧ୍ୟ ରହିଛି । ଉଭୟ ମସ୍ତିଷ୍କ ଓ ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତି ଅଧଘଣ୍ଟାରେ ଥରେ ଅତିକମରେ ଦୁଇ ମିନିଟ ଉଠି ଏପଟସେପଟ ହୋଇ ଚାଲିବା ଉଚିତ । ଏଭଳି କରିବା ଫଳରେ ମସ୍ତିଷ୍କ ଓ ଶରୀରର ବିଭିନ୍ନ ଅଂଶକୁ ଠିକଭାବେ ରକ୍ତ ସଂଚାଳନ ହୋଇପାରେ ବୋଲି ଉକ୍ତ ଅଧ୍ୟୟନରୁ ଜଣାପଡିିଛି ।

Leave a Reply

Your email address will not be published. Required fields are marked *