ବାଇକ ଡିକିରୁ ୨ ଲକ୍ଷ ଟଙ୍କା ଚୋରି

ତୁମୁଡିବନ୍ଧ ମୁଖ୍ୟ ବଜାରରୁ ସୋମବାର ଦିନ ସମୟ ପ୍ରାୟ ୧ ଘ. ୩0 ମି. ରେ ସ୍ପଷ୍ଟ ଦିବାଲୋକରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ବାଇକ ଡିକିରୁ ୨ ଲକ୍ଷ ଟଙ୍କା ଚୋରି ହୋଇଯାଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ପ୍ରକାରେ ତୁମୁଡିବନ୍ଧ ର ଶାଳପତ୍ର ବ୍ୟବସାୟୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଆଜି ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଆବଶ୍ୟକ ଅନୁଯାଇ ୨ ଲକ୍ଷ ଟଙ୍କା ଉଠାଇଥିଲେ l ଟଙ୍କା ଉଠାଇ ସିଧାସଳଖ ତୁମୁଡିବନ୍ଧ ଲକ୍ଷ୍ମୀ ବଜାରରେ ରହୁଥିବା ନିଜ ସହଯୋଗୀ ବ୍ୟବସାୟୀ ସନ୍ତୋଷ ସାହୁଙ୍କ ବାସଗୃହକୁ ରାସ୍ତା ଉପରେ ବାଇକ ରଖି କୌଣସି କାର୍ଯ୍ୟରେ ଯାଇଥିଲେ l କିଛି ସମୟ ପରେ ଆସି ଦେଖିବା ବେଳେ ଡିକିରେ ରଖିଥିବା ୨ ଲକ୍ଷ ଟଙ୍କା ନଥିବା ଅଭିଯୋଗ କରିଛନ୍ତି l ତେବେ ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ବ୍ୟାଙ୍କର ସିସିଟିଭି ତଥା ଅନ୍ୟାନ୍ୟ ଦୋକାନରେ ଲାଗିଥିବା ସିସିଟିଭିରୁ ଦୃଶ୍ୟ ଯାଞ୍ଚ କରିଛି l ପୋଲିସ ସୂଚନା ମୁତାବକ ବର୍ତମାନ ସୁଦ୍ଧା ପ୍ରାଥମିକ ତଦନ୍ତରୁ ସେଭଳି କୌଣସି ସନ୍ଦିଗ୍ଧ ନଜରକୁ ଆସି ନାହାନ୍ତି l ଅନ୍ୟପଟେ ସ୍ପଷ୍ଟ ଦିବାଲୋକରେ ଜନଗହଳି ସ୍ଥାନରୁ ତଥା ଆଜି ସାପ୍ତାହିକ ହାଟ ଥିବାରୁ ଆମ ଗାଡ଼ି ବାରମ୍ବାର ପେଟ୍ରୋଲିଙ୍ଗ କରୁଥିବା ବେଳେ ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟଜନକ ଓ ସନ୍ଦେହଜନକ ମଧ୍ୟ ବୋଲି ତୁମୁଡିବନ୍ଧ ଥାନା ଅଧିକାରୀ ଜୟନ୍ତ କୁମାର ସେଠି ପ୍ରତିକ୍ରିୟା ରଖିଛନ୍ତି l ତଥାପି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରୀ ରହିଛି ଓ ଯଥାଶୀଘ୍ର ସତ୍ୟ ଉନ୍ମୋଚନ ହେବ ବୋଲି ପୋଲିସ କହିଛି l ତେବେ ତୁମୁଡିବନ୍ଧ ମୁଖ୍ୟ ବଜାରରୁ ସ୍ପଷ୍ଟ ଦିବାଲୋକରେ ଏଭଳି ୨ ଲକ୍ଷ ଟଙ୍କା ଚୋରି ଘଟଣା ପରେ ଅଞ୍ଚଳର ଅନ୍ୟ ବ୍ୟବସାୟୀ ଙ୍କ ମନରେ ଛନକା ପଶିଯାଇଛି l

Leave a Reply

Your email address will not be published. Required fields are marked *