ବାତ୍ୟା ଆଲର୍ଟ; ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ: ଓଡ଼ିଶା ଉପରେ ନାହିଁ ବିପଦ!

ନୂଆଦିଲ୍ଲୀ: ଆଜି ବାତ୍ୟାର ରୂପ ନେବ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ତେବେ ଏହା ଏକ ବଡ଼ ବାତ୍ୟା ନୁହେଁ, ଛୋଟ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଅବପାତଟି ଦିଗ ପରିବର୍ତ୍ତନ କରୁଥିବା ବେଳେ ଏହାର ଗତିବିଧିକୁ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ।

ଏହି ଗଭୀର ଅବପାତଟି ବର୍ତ୍ତମାନ ଉତ୍ତର-ଉତ୍ତରପୂର୍ବ ଦିଗ ଆଡକୁ ମୁହାଁଇଛି । ତେଣୁ ,ହା ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ତେବେ ବାତ୍ୟାକୁ ନେଇ ଓଡ଼ିଶା ଉପରେ କୌଣସି ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତ ଶ୍ରୀ ଦାଶ । ଏହି ଅବପାତ ପାରାଦୀପ ଠାରୁ ୩୨୦, ବିଶାଖାପାଟଣା ଠାରୁ ୩୯୦ ଓ ଦିଘାରୁ ୪୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ସୂଚନା ଅନୁସାରେ, ଏହି ଗଭୀର ଅବପାତ ବର୍ତ୍ତମାନ ଘଣ୍ଟାକୁ ୧୭ କି.ମି ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରୁଛି । ତେଣୁ ଏହି ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ପାରାଦୀପରେ ୬.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଓଡ଼ିଶା ଉପକୂଳରେ ୪୦ରୁ ୫୦ କି.ମି ବେଗରେ ପବନ ବହୁଛି । ତେବେ ଏହା କ୍ରମେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ତେଣୁ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ । ତେବେ ୧୮ ତାରିଖ ସକାଳୁ ପବନର ବେଗ ସର୍ବାଧିକ ୭୫ କି.ମି ରହିବ ଓ ୧୮ ତାରିଖ ସକାଳେ ଏହା ବାଂଲାଦେଶର ମୋଙ୍ଗଲା ଏବଂ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ କି.ମି ଛୁଇଁପାରେ ବୋଲି ସେ କହିଛନ୍ତି । ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନଥିଲେ ମଧ୍ୟ ପୁରୀ ସମେତ ଉତ୍ତର ଓଡ଼ିଶାର ଅନ୍ୟ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଜାରି କରିଛନ୍ତି ।।

Leave a Reply

Your email address will not be published. Required fields are marked *