ଫୋକସ ପ୍ଲସ(ଗଜପତି)୦୬/୦୮/୨୦୨୨ : ଆଜି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲା କୁ ବାଲ୍ୟ ବିବାହ ଓ ନିଶା ମୁକ୍ତ କରିବା ପାଇଁ ଏକ ବିରାଟ ମାନବ ଶୃଙ୍ଖଳା ର ଆୟୋଜନ କରାଯାଇଥିଲା । ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜନ ସଚେତନା ପାଇଁ ଏହି ବିଶାଳ ମାନବ ଶୃଙ୍ଖଳା ର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ତତ୍ବାବଧାନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆୟୋଜିତ ଏହି ବିଶାଳ ମାନବ ଶୃଙ୍ଖଳ ମାଧ୍ୟମରେ ବାଲ୍ୟ ବିବାହ ଏବଂ ନିଶା ଜନିତ ସମସ୍ୟା ନେଇ ବିଭିନ୍ନ ସ୍ଲୋଗାନ ଓ ପ୍ଲାକାର୍ଡ ଧରି ସମାଜରୁ ଏହା ଦୂର କରିବା ଲକ୍ଷ୍ୟରେ ଜନସାଧାରଣଙ୍କୁ ଆହ୍ବାନ ଦିଆଯାଇଛି। ଫରେଷ୍ଟ ଗେଟ ଛକ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ଦୂର ପୁଣି ସେଠାରୁ ଗାନ୍ଧୀ ଛକ ଓ ରାଜ ଦାଣ୍ଡ ଦେଇ କଲେଜ ଛକ ପର୍ଯ୍ୟନ୍ତ ମାନବ ଶୃଙ୍ଖଳ ଲମ୍ବି ରହିଥିବା ବେଳେ ଏଥିରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ହଜାର ହଜାର ସଂଖ୍ୟାରେ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଓ ନିଶା କାରବାର ମୁକ୍ତ କରିବା ନେଇ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି । ସମାଜରେ ବାଲ୍ୟ ବିବାହ ଏକ କୁସଂସ୍କାର ଭାବେ ରହି ଆସିଥିବା ବେଳେ ଏହାର କୁପ୍ରଭାବ ସମାଜ ଉପରେ ପଡୁଛି ଖାସ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ , ସେହିପରି ନିଶା ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେବେ ଏହାକୁ ରୋକିବା ପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ ରହିଛି ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛି । ଏହା ସହିତ ସମାନ ଭାବରେ ସମସ୍ତ ବ୍ଳକ ଓ ପଞ୍ଚାୟତ ସ୍ତରରେ ଏହାକୁ ନେଇ ସପଥ ପାଠ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ।