ବିଦ୍ୟୁତ ତାର ମରାମତି ବେଳେ କରେଣ୍ଟ ସଂସ୍ପର୍ଶରେ ଆସି ଖୁଣ୍ଟରୁ ପଡ଼ି ଜଣେ ଗୁରୁତର

ଫୋକସ ପ୍ଲସ (ବ୍ୟୁରୋ ) 5.04.2022 : ବିଦ୍ୟୁତ୍‌ ତାର ମରାମତି ବେଳେ କରେଣ୍ଟ ସଂସ୍ପର୍ଶରେ ଆସି ଜଣେ ଠିକା ଶ୍ରମିକ ଖୁଣ୍ଟରୁ ପଡ଼ି ଗୁରୁତର ହୋଇଛି । ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଶ୍ରମିକ ଜଣଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ଆମ୍ବୁଲାନ୍ସ ଯୋଗେ ହରିଚନ୍ଦନପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ଜଣାପଡିଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଜାମୁଦା ଗ୍ରାମରେ । ତେବେ ଗୁରୁତର ଜଣଙ୍କ ଧୁରୁଡିଆମ୍ବ ଗ୍ରାମ ପଞ୍ଚାୟତ କରଡ଼ାପାଳ ଗ୍ରାମ ତୁଟା ସାହିର ପାଣ୍ଡବ ତନ୍ତୀଙ୍କ ପୁତ୍ର ଦେବେନ୍ଦ୍ର ତନ୍ତୀ । ଦେବେନ୍ଦ୍ର ୪ ମାସ ହେବ ଠିକା କର୍ମଚାରୀ ଭାବେ ବିଦ୍ୟୁତ ବିଭାଗରେ କାମ କରିଆସୁଥିଲେ । ସୂଚନା ଅନୁସାରେ ହରିଚନ୍ଦନପୁର ବିଦ୍ୟୁତ ଡିଭିଜନ୍‌ ଅନ୍ତର୍ଗତ ଜାମୁଦା ଗ୍ରାମ ବଡ଼ଖମଣ ସାହିର ଜୟକୃଷ୍ଣ ନାଏକ କୁକୁଡ଼ା ଫାର୍ମର ବିଦ୍ୟୁତ ବିଲ ଦେନଥିବାରୁ ଦୀର୍ଘଦିନ ହେବ ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ ସଂଯୋଗକୁ ବନ୍ଦ କରି ଦିଆଯାଇଥିଲା । ତେବେ ଆଜି ଦେବେନ୍ଦ୍ର ବିଦ୍ୟୁତ ସଂଯୋଗ କରୁଥିବା ସମୟରେ କରେଣ୍ଟ ସଂସ୍ପର୍ଶରେ ଆସି ଖୁଣ୍ଟ ଉପରୁ ତରକୁ ଖସିପଡ଼ି ଗୁରୁତର ହୋଇଥିଲେ । ତେବେ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ,ଉପରିସ୍ଥ ଅଧିକାରୀଙ୍କ ପାଖରେ କୌଣସି ଖବର ଥିଲା କି ନାହିଁ ତାହା ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ରିପୋର୍ଟ – ଲକ୍ଷ୍ମଣ କୁମାର ମହାନ୍ତ, ହରିଚନ୍ଦନପୁର

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *