ବିଭିନ୍ନ ସୁନା ଦୋକାନରୁ ଚୋରି ଅଭିଯୋଗରେ ଧୂର୍ତ୍ତ ମହିଳା ଗିରଫ

ଫୋକସ ପ୍ଲସ (ବୁଗୁଡ଼ା) ୨୦/୬/୨୦୨୨ : ଭୁବନେଶ୍ୱର ଓ ବ୍ରହ୍ମପୁର  ଠାରୁ ଆରମ୍ଭ କରି ଛୋଟ ଛୋଟ ସହରର ସୁନା  ଦୋକାନରୁ ସୁନା କିଣିବା ବାହାନାରେ ପଶି ଅଳଙ୍କାର ଚୋରି କରୁଥିବା ଜଣେ ଦୁର୍ଦ୍ଦାନ୍ତ ମହିଳା ଚୋରକୁ ବୁଗୁଡ଼ା ପୋଲିସ ଗିରଫ କରିବା ସହ ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଥିବା ଜଣା ପଡିଛି l ଗିରଫ ମହିଳା ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବନିତା ପ୍ରଧାନ(୪୫ ) l ବନିତା ଗତ ମେ ୧୬ ତାରିଖରେ ବୁଗୁଡ଼ା ସହରର ମୁଖ୍ୟ ସଡ଼କରେ ଥିବା ଶ୍ରୀଲକ୍ଷ୍ମୀ ଜୁଏଲର୍ସକୁ ସୁନା କିଣିବା ବାହାନାରେ ଆସି ଗୋଟିଏ ସୁନା ଚେନ ଚୋରି କରି ନେଇ ଯାଇଥିଲେ l ତେବେ ଦୋକାନ ମାଲିକ ସିସିଟିଭିରୁ ମହିଳାଙ୍କୁ ଚିହ୍ନଟ କରି ତାଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ସେହି ମହିଳା ଗତକାଲି ଦିନ ୧୧ଟା ବେଳେ ପୁଣି ଶ୍ରୀଲକ୍ଷ୍ମୀ ଜୁଏଲର୍ସକୁ ଆସିଥିବା ବେଳେ ଦୋକାନ ଷ୍ଟାଫ୍ ବନିତାଙ୍କୁ ଚିହ୍ନି ଦେଇ ତାଙ୍କୁ ଅଟକ ରଖି ବୁଗୁଡ଼ା ପୋଲିସକୁ ଖବର ଦେଇ ଥିଲେ l ପୋଲିସ ଦୋକାନରେ ପହଞ୍ଚି ବନିତାକୁ ଧରିଆଣି ପଚରା ଉଚରା କଲା ପରେ ତାଙ୍କୁ ସାଙ୍ଗରେ ନେଇ ବନିତାଙ୍କ ଘରୁ ପ୍ରାୟ ୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧୫ ହଜାର ଟଙ୍କା ଜବତ କରା ଯାଇଛି l ବନିତା ବହୁ ବର୍ଷ ହେଲା ବିଭିନ୍ନ ସ୍ଥାନରୁ ଏପରି  ଚୋରି କରିଆସୁଥିବା ବେଳେ ବୁଗୁଡ଼ା ସହରର ଅନ୍ୟାନ୍ୟ ସୁନା ଦୋକାନରୁ ପୂର୍ବରୁ ଚୋରି କରିଥିବା ପୋଲିସ କହିଛି l ଏନେଇ ପୋଲିସ କେସ ନଂ – ୩୩୯/୨୨ରେ ଏକ ମାମଲା ରୁଜୁ ହୋଇଥିବା ଏସଆଇ ସ୍ନେହା ମଞ୍ଜରୀ ସାହୁଙ୍କଠାରୁ ପ୍ରକାଶ ପାଇଛି l

Leave a Reply

Your email address will not be published. Required fields are marked *