ବିମାନ ବନ୍ଦର ଭିତରୁ ଉଦ୍ଧାର ହେଲା ୪ ଫୁଟ ଲମ୍ବର ନାଗ ସାପ

ଫୋକସ ପ୍ଲସ 26/2/23(ଭୁବନେଶ୍ୱର): ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦର ଭିତରୁ ଉଦ୍ଧାର ହୋଇଛି ୪ ଫୁଟ ଲମ୍ବର ନାଗ ସାପ। ଏହି ସାପଟି ବିମାନ ବନ୍ଦର ପରିସରରେ ପୁରୁଣା ଆପ୍ରନ୍‌ରୁ ବାହାରି ନବ ନିର୍ମିତ ଆପ୍ରନରେ ପହଞ୍ଚି ସ୍ଥିର ହୋଇ ଶୋଇଥିବା ବେଳେ ନଜର ପଡ଼ିଥିଲା ସିଆଇଏସଏଫ୍ ଯବାନଙ୍କର । ସାପ ଉଦ୍ଧାର ପାଇଁ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ନେକ ହେଲ୍ପ ଲାଇନକୁ ଫୋନ୍ କରାଯାଇଥିଲା।ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ୪ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରି ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି ବୋଲି ଜଣା ପଢ଼ିଛି ।

ଗତ ତିନି ମାସ ଧରି ଶୀତ ପ୍ରକୋପ ରହୁଥିବାରୁ ସାପମାନେ ଶୀତଳ ସୂପ୍ତି ବା ହାଇବରନେସନ୍ରେ ରହିଥିଲେ। ବର୍ତ୍ତମାନ ଏବେ ପରିବେଶରେ ଉଷ୍ମତା ବଢିବାରୁ ସାପମାନେ ପୁଣି ବାହାରିବା ଆରମ୍ଭ କରି ଦେଲେଣି ବୋଲି ଶୁଭେନ୍ଦୁ କହିଛନ୍ତି ବୋଲି ଜଣା ପଡ଼ିଛି । ଯଦି ବିମାନ ବନ୍ଦର କର୍ତ୍ତୃପକ୍ଷ ଚାହିଁବେ ସ୍ନେକ ହେଲ୍ପ ଲାଇନର ଏକ ଟିମ୍ ବିମାନ ବନ୍ଦର ପରିସରରେ ସାପ ମାନଙ୍କର ସମ୍ଭାବ୍ୟ ଲୁଚିବା ସ୍ଥାନ ସବୁ ଖୋଜିବା ସହିତ , ବିମାନ ବନ୍ଦର ପରିସରରେ ସାପ ଉପଦ୍ରବ କମେଇବା ପାଇଁ ଉପାୟ ବତେଇ ପାରିବ ବୋଲି ଶୁଭେନ୍ଦୁ କହିଛନ୍ତି।

Leave a Reply

Your email address will not be published. Required fields are marked *