ଫୋକସ ପ୍ଲସ(ବ୍ୟୁରୋ)୦୬/୦୮/୨୦୨୨ : ଖ୍ରୀଷ୍ଟ ପୂର୍ବ ୫୬୩ ପବିତ୍ର ବୈଶାଖ ପୂର୍ଣ୍ଣିମା ତିଥି, ସେଦିନ ପୃଥିବୀ ପୃଷ୍ଠରେ ହଜାର ହଜାର ଶିଶୁ ଜନ୍ମ ନେଇଥିଲେ , କିନ୍ତୁ ତନ୍ମଧ୍ୟରୁ ଆମେ ଜଣଙ୍କୁ ଆଜି ମନେ ରଖିଛୁ ଆଗକୁ ମଧ୍ୟ ମନେ ରଖିଥିବୁ I କାଳର କରାଳ ଗତିରେ ଅନେକ କିଛି ଆସେ ଆଉ ଲୀନ ହୋଇଯାଏ , ଯେଉଁମାନେ ଯୁଗଜନ୍ମା , ସମାଜର ତ୍ରାଣ କର୍ତ୍ତା , ଯାହାଙ୍କ ବାଣୀ ଦ୍ୱାରା ଆମେ ଚିରନ୍ତନ ସତ୍ୟର ସାମ୍ନା କରିପାରୁଛୁ , ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୋଇପାରୁଛୁ ତାଙ୍କର ପଦାନୁସରଣ କରି ଆଜି ଲକ୍ଷ ଲକ୍ଷ ଅନୁଗାମୀ ଶାନ୍ତି , ମୈତ୍ରୀ ତଥା ଶୃଙ୍ଖଳିତ ନିରାମୟ ଜୀବନଚର୍ଯ୍ୟା କରୁଛନ୍ତି I ଏହି ଶିଶୁ ଉଜ୍ଜଳ ନକ୍ଷତ୍ରଟି ନେପାଳ ଦେଶରର ‘ଲୁମ୍ବିନି’ ଠାରେ ଶାକ୍ୟ ବଂଶର ରାଜା ଶୁଦ୍ଧୋଦନ ଓ ରାଣୀ ମାୟାଦେବୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ , ରାଜପରିବାର ପୁତ୍ର ସନ୍ତାନ ପ୍ରାପ୍ତି ଖବର ପ୍ରଚାରିତ ହେଵା ପରେ ରାଜ୍ୟ ବାସୀ ନିଜ ଭାବି ରାଜାଙ୍କୁ ଦର୍ଶନ କରି ଅନେକ ଉପହାର ଦେଇଥିଲେ I ମହା ଆଡମ୍ବର ସହକାରେ ରାଜପରିବାରର ନୂତନ ସଦସ୍ୟ ତଥI ରାଜ କୁମାରଙ୍କ ନାମ କରଣ ହୋଇଥିଲା ସେ ‘ସିଦ୍ଧାର୍ଥ ଗୌତମ’ ନାମରେ ପରିଚିତ ଥିଲେ, ବିଧିର ବିଡମ୍ବନା ଗୌତମଙ୍କ ଜନ୍ମର ସପ୍ତମ ଦିନ ତା’ଙ୍କ ମାତୃ ବିୟୋଗ ଘଟିଲା, ରାଜା ଶୁଦ୍ଧୋଦନ ଗୌତମଙ୍କ ଲାଳନ ପାଳନ ଦାୟିତ୍ୱ ସ୍ବର୍ଗତ ମାୟାଦେବୀଙ୍କ ଭଗ୍ନୀ ଗୌତମୀଙ୍କୁ ଦେଇଥିଲେ I ରାଜଜ୍ୟୋତିଷ ଯେଉଁଦିନ ଗୌତମଙ୍କ ଜାତକ ପ୍ରସ୍ତୁତ କଲେ ସେ ରାଜାଙ୍କୁ ଜଣାଇଥିଲେ ଯେ, ଗୌତମଙ୍କ ‘ସନ୍ୟାସୀ’ ଯୋଗ ଅଛି I ରାଜା ଜ୍ୟୋତିଷଙ୍କ ଗଣନାକୁ ନଜରରେ ରଖି ଶିଶୁ ପୁତ୍ରକୁ ସଂସାର ଜଂଜାଳ ଠାରୁ ଦୁରେଇ ରଖିବାକୁ ଚେଷ୍ଟା କରିଥିଲେ I
ବାଳୁତ ଗୌତମଙ୍କ ବାଲ୍ୟାବସ୍ଥା ଯାଇ କୈଶୋର ଅବସ୍ଥା ଆସିବାପରେ ସେ ଅନେକ ସମୟରେ ଖୁବ ଚିନ୍ତିତ ଥିବା ପରି ମନେହେଉଥିଲେ , ରାଜା ଶୁଦ୍ଧୋଦନ ପୁତ୍ରର ଏହିସବୁ ବ୍ୟତିକ୍ରମ ଅବଲୋକନ କରି ଶେଷରେ ୧୬ ବର୍ଷ ବୟଷରେ ଯଶୋଧାରା ନାମୀ ରାଜକନ୍ୟା ସହିତ ଗୌତମଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିଦେଇଥିଲେ , ତାଙ୍କର ଆଶା ଥିଲା ପୁତ୍ର ବୈବାହିକ ଜୀବନ ସହିତ ଜଡିତ ହୋଇ ନିଜ ଚିନ୍ତାଧାର ପରିବର୍ତ୍ତନ କରିପାରିବ ଓ ଜ୍ୟୋତିଷଙ୍କ ଭବିଷ୍ୟ ବାଣୀକୁ ବି ବଦଳାଇ ଦେଇହେବ I ସାଂସାରିକ ସୁଖ ତାଙ୍କୁ ବାନ୍ଧି ରଖି ପାରିନଥିଲା , ତାଙ୍କ ଔରସରୁ ପୁତ୍ର ସନ୍ତାନଟିଏ ମଧ୍ୟ ଜନ୍ମ ଗ୍ରହଣ କରିଥିଲା ଏବଂ ସେ ରାହୁଲ ନାମରେ ପରିଚିତ I ହସ୍ତୀ ପୃଷ୍ଠରେ ନଗର ପରିଭ୍ରମଣ ସମୟରେ ଗୌତମଙ୍କୁ ଚାରୋଟି ଦୃଶ୍ୟ ସଂସାର ବିଷୟରେ ବିତୃଷ୍ଣା ଆଣିବାର କାରଣ ଥିଲା ତାହା ହେଲା (୧) ବୃଦ୍ଧାବସ୍ଥା , (୨) ରୋଗଗ୍ରସ୍ତ ମାନବ (୩) ଶବ ଓ (୪) ସନ୍ୟାସୀ I ଚାରୋଟି ଅବସ୍ଥାକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରି ଶେଷରେ ‘ସନ୍ୟାସୀ’ ହେବାପାଇଁ ମନସ୍ଥ କରିଥିଲେ I ଗୌତମ ୨୯ ବର୍ଷ ବୟସରେ ରାଜପ୍ରାସାଦର ବିଳାସପୂର୍ଣ୍ଣ ଜୀବନ ତଥା ଯଶୋଧାରା ଆଉ ନିଜର ପ୍ରିୟ ପୁତ୍ର ରାହୁଲଙ୍କୁ ଛାଡ଼ି ଚିରଦିନ ପାଇଁ ସନ୍ୟାସୀ ହୋଇ ଚାଲିଆସିଥିଲେ I ସନ୍ୟାସ ଜୀବନରେ ଅନେକ ଘାତ ପ୍ରତିଘାତ ସହି ନିଜର ଲକ୍ଷ ପୁରଣପାଇଁ ସର୍ବଦା ଚେଷ୍ଟିତ ଥିଲେ , ମଗଧ ରାଜ୍ୟର ରାଜଧାନୀ ରIଜଗିରି ଗୁମ୍ଫାରେ କିଛିଦିନ ଧ୍ୟାନ ତଥା ବୋଧଗୟI ଠାରେ ଛଅ ବର୍ଷ କଠୋର ତପସ୍ୟା ତାଙ୍କୁ ସେମିତି କିଛି ସନ୍ତୁଷ୍ଟ କରି ପାରିନଥିଲା I ଶେଷରେ ବୋଧଗୟା ନିକଟସ୍ଥ ନିରଞ୍ଜନା ନାମକ ନଦୀ (ଯାହାକି ଫଲ୍ଗୁ ନଦୀ ନାମରେ ବି ପରିଚିତ) ତୀରରେ ଅବସ୍ଥିତ ଏକ ବିଶାଳ ଅଶ୍ୱସ୍ଥ ବୃକ୍ଷ ମୂଳେ ୪୯ ଦିନ ଗଭୀର ଧ୍ୟାନରେ ବସିବା ପରେ ତାଙ୍କୁ ୩୫ ବର୍ଷ ବୟସରେ ‘ ଦିବ୍ୟ ଜ୍ଞାନ ‘ ପ୍ରାପ୍ତି ହେଲା I ଆଜିବି ‘ବୋଧି ଦ୍ରୁମ’ ନାମରେ ପରିଚିତ ସେହି ପବିତ୍ର ବୃକ୍ଷର ଜୀବନ୍ତ ଅଂଶ ବିଶେଷ ସେଠାରେ ଦେଖିବାକୁ ମିଳେ I ବଡ଼ ଆଶ୍ଚର୍ଯ୍ୟର କଥା ସେହି ଦିନ ମଧ୍ୟ ବୈଶାଖ ପୂର୍ଣ୍ଣିମା ଥିଲା I ସେହି ଦିନ ଠାରୁ ସିଦ୍ଧାର୍ଥ ଗୌତମଙ୍କ ନାମ ପରିବର୍ତ୍ତନ ହୋଇ ‘ଗୌତମ ବୁଦ୍ଧ ‘ ହୋଇଥିଲା, ବୁଦ୍ଧ ମାନେ ‘ମହାଜ୍ଞାନୀ’ I ଯିଏ ଯେଉଁ ଧର୍ମର ହୁଅନ୍ତୁନା କାହିଁକି ସାରା ପୃଥିବୀ ଆଜି ତାଙ୍କୁ ‘ବୁଦ୍ଧଦେବ’ଙ୍କ ନାମରେ ଜାଣିଛନ୍ତି I
ସଂସାର ଦୁଃଖମୟ …ଦୁଃଖର କାରଣ ‘କାମନା’ ଆଉ ‘କାମନାର ବିନାଶ ରେ ଦୁଃଖର ବିନାଶ’ , କାମନାର ବିନାଶ ପାଇଁ ବୁଦ୍ଧ ଆଠଗୋଟି ପନ୍ଥା ବା ଅଷ୍ଟାଙ୍ଗ ମାର୍ଗ ଆବିଷ୍କାର କରିଛନ୍ତି ଯାହା (୧) ସତବାକ୍ୟ , (୨) ସତ ଚିନ୍ତା (୩) ସତ ଉଦେଶ୍ୟ (୪)ସତ କର୍ମ (୫) ସତ ସଂକଳ୍ପ (୬)ସତ ଜୀବନ (୭) ସତ ଚେଷ୍ଟା (୮) ସମକ୍ୟ ସମାଧି (ନିର୍ବାଣ ପ୍ରାପ୍ତି ପରେ ସ୍ୱୟଂ ଲୀନ ହୋଇଯିବା) ତାଙ୍କର ଦ୍ୱାରା ପ୍ରଚାରିତ ଧର୍ମ ହେଲା ‘ବୌଦ୍ଧ ଧର୍ମ’ ଧର୍ମଗ୍ରନ୍ଥ ‘ତ୍ରିପିଟକ’ ତ୍ରି ମାନେ ତିନି , ପିଟକ ମାନେ ପେଡି , ସେଗୁଡିକ ହେଲା ୧ – ସୂତ୍ର ପିଟକ ( ବୁଦ୍ଧଦେବଙ୍କ କଥୋପକଥନ), ୨- ବିନୟ ପିଟକ (ବୌଦ୍ଧଧର୍ମର ନିୟମାବଳୀ ) , ୩- ଅଭିଧାମ୍ମ ପିଟକ (ବୌଦ୍ଧ ଧର୍ମର ପ୍ରଧାନ ତତ୍ୱ ) ବୌଦ୍ଧଧର୍ମରେ ମୂର୍ତ୍ତିପୂଜା କରାଯାଏ ନାହିଁ, ବୌଦ୍ଧ ଧର୍ମIଲମ୍ବୀ ମାନେ ବୁଦ୍ଧଙ୍କୁ ପୂଜା କରନ୍ତି ,ଦିବ୍ୟଜ୍ଞାନ ସହିତ ନିର୍ବାଣ ପ୍ରାପ୍ତି ଏହି ଧର୍ମର ମୂଳ ଉଦେଶ୍ୟ I
ବୁଦ୍ଧଙ୍କ ଜ୍ଞାନ ପ୍ରାପ୍ତି ପୂର୍ବରୁ ତାଙ୍କୁ ଛାଡ଼ି ଚାଲିଯାଇଥିବା ପାଞ୍ଚ ଜଣ ଶିଷ୍ୟଙ୍କୁ ସେ ସାରନାଥ ଠାରେ ପ୍ରଥମେ ଦୀକ୍ଷା ଦେଇଥିଲେ ପରବର୍ତ୍ତୀ ସମୟରେ କପିଳାବାସ୍ତୁ ଯାଇ ପତ୍ନୀ ଓ ପୁତ୍ର ରାହୁଲଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କରିଥିଲେ I ଇତିହାସକୁ ପାଥେୟ କରି ଆମେ ଜାଣୁଛୁ ଯେ ,ବୌଦ୍ଧଧର୍ମ ପ୍ରଚାର ପ୍ରସାର ପାଇଁ ‘ସଙ୍ଘର’ ଗଠନ ହୋଇଥିଲା, ” ବୁଦ୍ଧମ ସରଣମ ଗଛIମି , ଧର୍ମଂ ସରଣମ ଗଛIମି , ସଙ୍ଘମ ସରଣମ ଗଛIମି ” ତଥା ” ଓଁ ମଣି ପଦ୍ମେ ହୁମ” ଏହି ପ୍ରାର୍ଥନା ବୌଦ୍ଧଧର୍ମାବଲମ୍ବି ମାନଙ୍କୁ ଖୁବ ଆଧ୍ୟାତ୍ମିକ ଭାବି ଆଣିଦିଏ I ପ୍ରାର୍ଥନା ଗୃହ ରେ ‘ଓଁ’ ର ଗୁଞ୍ଜନ ଓ ଆଧ୍ୟାତ୍ମିକ ଶକ୍ତିର ତୁଳନା ନାହିଁ I ମହାତ୍ମା ବୁଦ୍ଧଙ୍କର ଖ୍ରୀଷ୍ଟ ପୂର୍ବ ୪୮୩ ରେ କୂଶୀନଗର ଠାରେ ମହାପ୍ରୟାଣ ହୋଇଥିଲା , ସେତେବେଳେ ତାଙ୍କୁ ୮୦ ବର୍ଷ ହୋଇଥିଲା I ଆଉ ଏକ ସଂଯୋଗର କଥା ଯେ ସେଇଦିନ ମଧ୍ୟ ବୈଶାଖ ପୂର୍ଣ୍ଣିମା ତିଥି ଥିଲା I ଦିବ୍ୟ ଜ୍ଞାନ ପ୍ରାପ୍ତିର ୪୫ ବର୍ଷ ପର୍ଯ୍ୟନ୍ତ ସେ ତାଙ୍କର ଧର୍ମ ପ୍ରଚାର କରିଥିଲେ ହଜାର ହଜାର ଭକ୍ତ ଓ ଅନୁଗାମୀ ପୃଥିବୀର କୋଣ ଅନୁକୋଣ ଯାଇ ସାଧାରଣ ଜନତାଙ୍କୁ ନିର୍ବାଣ ପ୍ରାପ୍ତିର ପଥ ବିଷୟରେ ବୁଝାଇ ବୌଦ୍ଧ ଧର୍ମର ପ୍ରସାର କରିଥିଲେ I ତେଣୁ ବୁଦ୍ଧ ପୂର୍ଣ୍ଣିମାକୁ ଗୌତମ ବୁଦ୍ଧଙ୍କ ଜନ୍ମ ଦିବସ, ଜ୍ଞାନପ୍ରାପ୍ତି ଦିବସ ତଥା ମହାପ୍ରୟାଣ ଦିବସ ରୂପେ ସାରା ପୃଥିବୀରେ ସବୁ ବୌଦ୍ଧ ଧର୍ମାବଲମ୍ବୀ ମାନେ ପାଳନ କରନ୍ତି , ସୁଖ ଓ ଦୁଃଖର ଏକ ମିଶ୍ରିତ ଆବେଗ ଏହି ବୁଦ୍ଧପୂର୍ଣ୍ଣମୀ I ବୁଦ୍ଧ ଧର୍ମର ସାରକଥା ହେଲା ” କାମନାର ବିନାଶ ରେ ଦୁଃଖର ବିନାଶ” ଏବଂ ନିର୍ବାଣ ପ୍ରାପ୍ତି I
ପୃଥିବୀର ଅନେକ ଦେଶରେ ବୁଦ୍ଧଦେବଙ୍କ ପୂଜାର୍ଚନା କରାଯାଏ , ପୂର୍ବ ତଥା ଦକ୍ଷିଣ ପୂର୍ବ ଏସିଆ ମହାଦେଶର ଶ୍ରୀଲଙ୍କା , ମିଆଁମାର , ଶ୍ୟାମ ଦେଶ ବା ଥାଇଲାଣ୍ଡ , ମାଲେସିଆ , କାମ୍ବୋଡ଼ିଆ, ଲାଓସ , ଭିଏତନାମ, ଫିଲିପାଇନ୍ସ , ଜାପାନ, ଚୀନ, ଭୁଟାନ ଇତ୍ୟାଦି ଦେଶର ଲୋକମାନେ ଅଧିକାଂଶ ବୌଦ୍ଧ ଧର୍ମାବଲମ୍ବୀ ସେଠାରେ ଅନେକ ବଡ଼ ବଡ଼ ବୁଦ୍ଧ ମୂର୍ତ୍ତି ପ୍ରତିଷ୍ଠା ହୋଇଛି ଭକ୍ତମାନେ ଖୁବ ନିଷ୍ଠାର ସହିତ ବୁଦ୍ଧଙ୍କୁ ଆରାଧନା କରନ୍ତି ଓ ପ୍ରାର୍ଥନା ଗୃହରେ ‘ଓଁ ମଣି ପଦ୍ମେ ହୁମ’ ମନ୍ତ୍ରୋଚ୍ଚାରଣ କରନ୍ତି I ଭୁଟାନ, ମାଲେସିଆ , ଇଣ୍ଡୋନେସିଆ , ଭିଏତନାମ, ଥାଇଲାଣ୍ଡ ଦେଶର ଅନେକ ବୌଦ୍ଧ ମନ୍ଦିର ଯିବାର ତଥା ପ୍ରାର୍ଥନା କରିବାର ସୁଯୋଗ ପାଇଛି, ସେଠାରେ ବୌଦ୍ଧଧର୍ମାବଲମ୍ବୀ ମାନଙ୍କ ଅତ୍ମୀୟତା , ବୁଦ୍ଧଙ୍କ ପ୍ରତି ଭକ୍ତି ଓ ନିଜକୁ ବୁଦ୍ଧଙ୍କ ଠାରେ ସମର୍ପଣ ଭାବ ଏବଂ ସରଳ ନିଷ୍କାମ ଜୀବନଚର୍ଯ୍ୟା ଦେଖି ଅଭିଭୂତ ହୋଇଯାଇଥିଲି I ଥରେ ଭିଏତନାମର ଜନୈକ ବୌଦ୍ଧଗୁରୁଙ୍କ ଆମନ୍ତ୍ରଣ କ୍ରମେ ଭିଏତନାମ ଯାଇ ତାଙ୍କ ସଂସ୍ପର୍ଶ ରେ ଆସିଥିଲି ଓ ତାଙ୍କର ବୁଦ୍ଧଙ୍କ ଉପରେ ଅସୀମ ଜ୍ଞାନ ଦେଖି ଆଚମ୍ବିତ ହୋଇଯାଇଥିଲି, ତାଙ୍କ ଆତିଥ୍ୟ ଓ ଦୀକ୍ଷା ମୋର ସବୁ ଗର୍ବ ,ଅହଂକାରକୁ ନେଇ ‘ଓଁ ମଣି ପଦ୍ମେ ହୁମ ‘ ମନ୍ତ୍ର ମଧ୍ୟରେ ଲୀନ କରିଦେଇଛି I ନିଜ ଅନୁଭୂତି ଓ ସମ୍ୟକ ଜ୍ଞାନରୁ ଯାହା ଶିଖିଛି ସେଇଥିରୁ କିଛି ଉପସ୍ଥାପନ କରିଛି I ବୁଦ୍ଧଙ୍କ ଉପରେ ଲେଖିବାପରି ସେତେଟା ଜ୍ଞାନର ଅଧିକାରୀ ହେବାକୁ ମୋତେ ହୁଏତ ଆହୁରି ଅନେକ ବର୍ଷ ଲାଗିପାରେ I ଶେଷରେ ” କାମନାର ବିନାଶ ରେ ଦୁଃଖର ବିନାଶ, ଓଁ ମଣି ପଦ୍ମେ ହୁମ “