ବ୍ରାହ୍ମଣୀ ବ୍ରିଜ ଉପରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଫୋକସ ପ୍ଲସ(ଢେଙ୍କାନାଳ)୨୭/୦୮/୨୦୨୨: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ସରାଙ୍ଗ ସ୍ଥିତ ବ୍ରାହ୍ମଣୀ ନଦୀ ଉପରେ ରାସ୍ତା ମରାମତି କୁ ନେଇ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ଦେଖିବାକୁ ମିଳିଛି। ଜଟିଆ ଠାରୁ ବ୍ରାହ୍ମଣୀ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ,ପୁରୁଣା ବ୍ରିଜକୁ ମରାମତି ସହ ପିଚୁ ପକାଇ ରାସ୍ତା ନିର୍ମାଣ ,ବ୍ରିଜ ଉପରେ ଥିବା ମାଟିକୁ ପରିଷ୍କାର କରିବା ଆଦି ଦାବି ନେଇ ଶତାଧିକ ଲୋକ ଆନ୍ଦୋଳନ କରିଥିଲେ । ଗତ ୧୯ ତାରିଖ ଦିନ ରାସ୍ତା ଓ ନୂତନ ବ୍ରିଜ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା କୁନାଲ କମ୍ପାନୀ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ପ୍ରତିଶ୍ରୁତି ନରଖିବାରୁ ସ୍ଥାନୀୟ ସରାଙ୍ଗ ଓ ଜଟିଆ ଗାଁର ଶତାଧିକ ଲୋକ ରାସ୍ତାରୋକ କରିଛନ୍ତି । ଏହା ଦ୍ୱାରା ତାଳଚେର -ଯାଜପୁର ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ସୂଚନା ଅନୁଯାୟୀ ,କୁନାଲ କମ୍ପାନୀ ୧୪୯ ନଂ ଓ ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ଓ ସରାଙ୍ଗ ସ୍ଥିତ ବ୍ରାହ୍ମଣୀ ବ୍ରିଜ ଉପରେ ନୂତନ ବ୍ରିଜ ନିର୍ମାଣରେ ନିୟୋଜିତ ହୋଇଛି । ତେବେ ବ୍ରାହ୍ମଣୀ ନଦୀ ଉପରେ ରହିଥିବା ପୁରୁଣା ବ୍ରିଜ ଉପରେ ପ୍ରତିଦିନ ହଜାର ହଜାର ସଂଖ୍ୟାକ ଭାରିଯାନ ଯାତାୟାତ କରୁଛି । ଏପରିକି ଅନୁଗୁଳ-ଢେଙ୍କାନାଳ ,କେଉଁଝର ,ଯାଜପୁର ,ସୁନ୍ଦରଗଡ଼ ଆଦି ଜିଲ୍ଲାକୁ ଏହା ସଂଯୋଗ କରୁଛି । ପୁରାତନ ବ୍ରିଜଟିର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେଉଥିବା ଦେଖିବାକୁ ମିଳିଛି । ଏପରିକି ବ୍ରିଜ ଉପରେ ଯାତାୟାତ କରିବା ପାଇଁ ଲୋକମାନେ ଭୟଭୀତ ହୋଇଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଛନ୍ତି । ଯେ ପର୍ଯ୍ୟନ୍ତ ସ୍ଥାନୀୟ ଠିକାସଂସ୍ଥା ଦାବି ପୂରଣ ନକରିଛି ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ପରଜଙ୍ଗରୁ ଆଶିଷ ପଣ୍ଡାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *