ଭାରତୀୟ ହକି ଟିମକୁ ମିଳିବ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମର ସମସ୍ତ ପ୍ରତିନିଧିମାନଙ୍କୁ ଆସନ୍ତାକାଲି ଭୁବନେଶ୍ୱରଠାରେ ହେବାକୁ ଥିବା ଭାରତୀୟ ହକି ଟିମ୍ ର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ ।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ପ୍ୟାରିସ୍‌ ଅଲମ୍ପିକ୍ସ – ୨୦୨୪ ରେ କାଂସ୍ୟ ପଦକ ଜିତି ଭାରତୀୟ ହକି ଟିମ୍ ଆମ ଦେଶପାଇଁ ସୁନାମ ଅର୍ଜନ କରିଛନ୍ତି । ଭାରତୀୟ ହକି ଦଳର ଏହି କାଂସ୍ୟପଦକ ଏକ ଦୃଢ଼ନିଷ୍ଠ, ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ ପ୍ରଦାନ କରିଛି । ଏହି ବିଜୟ ଆଜି ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରେରଣା ଯୋଗାଇ ଦେଇଛି। 

ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକିଦଳ କାଂସ୍ୟ ପଦକ ଜିତିବା, ଦଳର ସମସ୍ତ କ୍ରୀଡ଼ାବିତ୍‌ଙ୍କର ଦୃଢ଼ତା ଓ ନିଷ୍ଠାପରତାର ପ୍ରମାଣ ପ୍ରଦାନ କରିଛି । ତେଣୁ ସେହି ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତା ଅଗଷ୍ଟ ୨୧, ୨୦୨୪ ତାରିଖ ଅର୍ଥାତ ଆସନ୍ତାକାଲି ଦିନ ୧୨.୩୦ ସମୟରେ ଭାରତୀୟ ହକି ଟିମ୍ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଆସି ପହଂଚିବେ । ସେଠାରେ ଦଳର କ୍ରୀଡ଼ାବିତ୍‌ମାନଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯିବାର ଯୋଜନା କରାଯାଇଛି । ଏହାପରେ ଭାରତୀୟ ହକିଟିମ୍ କୁ ନେଇ ଏକ ବିଶାଳ ରୋଡ଼ ଶୋ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଅଣାଯିବ। ପରବର୍ତ୍ତୀ ସମୟରେ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର  କ୍ରୀଡ଼ାବିତମାନଙ୍କୁ  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *