ମହିଳା ସଶକ୍ତିକରଣରେ ମିଶନଶକ୍ତିର ଭୂମିକା

ଫୋକସ ପ୍ଲସ ( ବ୍ୟୁରୋ)୨୦/୦୭/୨୦୨୨: ଭାରତ ଏକ ଜନବହୁଳ ରାଷ୍ଟ୍ର । ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ହେଉଛନ୍ତି ମହିଳା। ଦେଶର ପ୍ରଗତି ମହିଳାଙ୍କ ଉନ୍ନତି ଉପରେ ନିର୍ଭର କରେ । ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି। ଦେଶର ସାମଗ୍ରିକ ବିକାଶ ପାଇଁ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାର ଆବଶ୍ୟକତା ରହିଛି ।ସୁସ୍ଥ ସମାଜ ଗଠନରେ ନାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।ସମାଜରେ ପୁରୁଷ ଅପେକ୍ଷା ନାରୀର ସ୍ଥାନ କୌଣସି ଗୁଣରେ କମ୍ ନୁହେଁ ।ମହିଳାମାନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ନରହି ପୁରୁଷ ମାନଙ୍କ ସହ ସମକକ୍ଷ ହୋଇ ଆତ୍ମନିର୍ଭରଶୀଳ ହେବା ଜରୁରୀ ।ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ମିଶନଶକ୍ତି ଗଠନ କରାଯାଇଥିଲା ।ମହିଳା ମାନଙ୍କୁ ସଶକ୍ତ,ଆତ୍ମନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ମିଶନଶକ୍ତି ଗଠନ କରାଯାଇଛି ।ମିଶନଶକ୍ତି ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଗୁଡିକୁ ସଂଗଠିତ କରି ସେମାନଙ୍କର ସାମାଜିକ,ଅର୍ଥନୈତିକ ତଥା ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ।ବର୍ତ୍ତମାନ ୬ ଲକ୍ଷ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳା ମିଶନଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।ମିଶନଶକ୍ତି ଆଜି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ସାମାଜିକ ତଥା ଅର୍ଥନୈତିକ ପରିବର୍ତ୍ତନର କର୍ଣ୍ଣଧାର ସାଜିଛି ।
ଉଭୟ ସହର ଏବଂ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥ ଉପାର୍ଜନର ପନ୍ଥା ଅବଲମ୍ବନକରି ଆତ୍ମନିର୍ଭରଶୀଳ ହେବା ସହ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ମାଧ୍ୟମରେ ଏକ ସମୃଦ୍ଧ ସମାଜ ଗଠନ ଦିଗରେ ମିଶନଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ।ସହର ତଥା ଗ୍ରାମାଞ୍ଚଳର ଗରିବ ତଥା ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ମିଶନଶକ୍ତି ସହାୟକ ହେଉଅଛି ।ମିଶନଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣନେଇ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ଯଥା ସିଲେଇ,ମସଲା ପ୍ରସ୍ତୁତି, ଫିନାଇଲ ତିଆରି, କୁକୁଡ଼ା ପାଳନ,ପାମ୍ପଡ଼,ଆଚାର ଓ ବ୍ୟାଗ ତିଆରି ଇତ୍ୟାଦି କାର୍ଯ୍ୟକରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।ସହରରେ ମିଶନଶକ୍ତିର ମହିଳା ଗୋଷ୍ଠୀଙ୍କୁ ଆହାର ଯୋଜନା,ଜଳସାଥୀ ଯୋଜନା, ରାଜସ୍ବ କର ଆଦାୟ,ସ୍ୱଚ୍ଛ ଭାରତ ମିଶନ ଆଦି କାର୍ଯ୍ୟକ୍ରମରେ ସାମିଲ କରାଯାଇ ସ୍ୱାବଲମ୍ବୀ କରାଯାଉଛି ।ନିଜର ପରିବାର,ଗୋଷ୍ଠୀ ଏବଂ ରାଜ୍ୟର ବିକାଶରେ ମହିଳାମାନଙ୍କର ଯଥେଷ୍ଟ ଗୁରୁତ୍ୱ ରହିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ସରକାର ମିଶନଶକ୍ତି ପ୍ରତିଷ୍ଠା କରିଛନ୍ତି ।
କରୋନା ମହାମାରୀ ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।ମାସ୍କ ପ୍ରସ୍ତୁତି ସହିତ ଜନ ସଚେତନତା ସୃଷ୍ଟି କରିବା, ଘରେଘରେ ରାସନ ପହଞ୍ଚାଇବା ଭଳି ଅନେକ କାର୍ଯ୍ୟରେ ସାମିଲ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ।ମିଶନଶକ୍ତି ମାଧ୍ୟମରେ ମହିଳାମାନଙ୍କ ମଧ୍ୟରେ ନୂତନ ସୂର୍ଯ୍ୟୋଦୟ ହେଲା ।ମହିଳା ମାନେ ଆଜି ସମାଜର ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି ।ମହିଳାମାନେ ନିଜେ ଜୀବିକା ପାଇବା ସହିତ ପରିବାର ଭରଣପୋଷଣର ଦାୟିତ୍ୱ ମଧ୍ୟ ନେଇପାରୁଛନ୍ତି ।ମହିଳାମାନେ ଆଜି ଅନ୍ୟ ଉପରେ ବୋଝ ନହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ।ରାଜ୍ୟର ଆର୍ଥିକ ଏବଂ ସାମାଜିକ ପ୍ରଗତିରେ ନିଜକୁ ସାମିଲ କରିପାରିଛନ୍ତି ।

ବର୍ତ୍ତମାନ ରାଜ୍ୟ ସରକାରଙ୍କର ୨୧ ଟି ବିଭାଗ ମିଶନଶକ୍ତିର ମହିଳାମାନଙ୍କୁ କାମ ଯୋଗାଇ ଦେଉଛନ୍ତି ।ସାରା ବିଶ୍ୱରେ ମିଶନଶକ୍ତି ମହିଳାମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ମାର୍କେଟିଂ କରିବାର ବ୍ୟବସ୍ଥା କରାଯାଇଛି ।ଯାହାଦ୍ୱାରାକି ମହିଳାମାନେ ରୋଜଗାରକ୍ଷମ ହେବସହିତ ସ୍ୱାବଲମ୍ବୀ ହୋଇପାରିବେ ।ମହିଳାମାନଙ୍କୁ ଅଧିକ ସଶକ୍ତ କରିବାପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥା କରିବା,ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିରେ ନୂତନ ଜ୍ଞାନ କୌଶଳ ପ୍ରଦାନ କରିବା,ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ପାଇଁ ଯନ୍ତ୍ରାଂଶ ରିହାତି ତଥା ବିନା ମୂଲ୍ୟରେ ଯୋଗାଇଦେବା,ଗ୍ରାମାଞ୍ଚଳରେ ବ୍ୟାଙ୍କର ବ୍ୟବସ୍ଥା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସହଜ ଓ ସୁବିଧାରେ ଋଣ ଯୋଗାଇଦେବା ଆଦି କାର୍ଯ୍ୟ କରିବା ମିଶନଶକ୍ତିର ଲକ୍ଷ୍ୟ ହେବା ଦରକାର ଯାହାଦ୍ୱାରା ମହିଳାମାନେ ଅଧିକରୁ ଅଧିକ ସଶକ୍ତ ଏବଂ ସ୍ୱାବଲମ୍ବୀ ହୋଇପାରିବେ ।ମହିଳାମାନେ ସର୍ବଦା ସରକାର ଓ ସମାଜ ମଧ୍ୟରେ ଏକ ସେତୁଭଳି କାର୍ଯ୍ୟ କରୁଛନ୍ତି ।ଦେଶ ତଥା ରାଜ୍ୟର ଉନ୍ନତି ମହିଳାଙ୍କ ଉନ୍ନତି ଉପରେ ନିର୍ଭର କରେ ।ଯେଉଁ ଦେଶ ବା ରାଜ୍ୟର ମହିଳା ଯେତେ ସଶକ୍ତ ସେ ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତି ସେତେ ସୁଦୃଢ ।ଆଗାମୀ ଦିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଆବଶ୍ୟକ ଯାହାଦ୍ୱାରାକି ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ରାଜ୍ୟ ତଥା ଦେଶର ଆର୍ଥିକ ପରିସ୍ଥିତି ସୁଦୃଢ ହୋଇପାରିବ ।

 

ବ୍ୟୁରୋ ରିପୋର୍ଟ ଫୋକସ୍ ପ୍ଲସ୍

Leave a Reply

Your email address will not be published. Required fields are marked *