ମାଘ ସପ୍ତମୀରେ ଚଳଚଞ୍ଚଳ ଚନ୍ଦ୍ରଭାଗା

ଫୋକସ ପ୍ଲସ ୨୮/୧/୨୩(କୋଣାର୍କ):ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି। ଚଳଚଂଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା । ଭୋରରୁ ଚନ୍ଦ୍ରଭାଗାରେ ଭବ୍ୟ ଆଳତୀ ଦର୍ଶନ କରିବାକୁ ପହଂଚିଲେ ହଜାର ହଜାର ଭକ୍ତ l ଦୁଇ ବର୍ଷ ହେଲା କରୋନା କଟକଣା ହେତୁ ମାଘ ସପ୍ତମୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିନଥିଲା କିନ୍ତୁ ଚଳିତ ବର୍ଷ କରୋନା କଟକଣା ନ ଥିବାରୁ ଚନ୍ଦ୍ରଭାଗାରେ ପ୍ରବଳ ଜନସମାଗମ ହୋଇଛି। ଗତକାଲି ଷଷ୍ଠୀ ସନ୍ଧ୍ୟାରେ ତିନି ଠାକୁର ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର ଏବଂ ଐଶାନେଶ୍ୱର ମହାପ୍ରଭୁ ପାରମ୍ପରିକ ଶୋଭାଯାତ୍ରାରେ ବାହାରି ଭୋଗ ଖାଇବା ସହ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ ଏବଂ ମହାପ୍ରଭୁଙ୍କ ମହାସ୍ନାନ ପରେ ପରେ ଭୋର ୪ଟା ୪୧ରେ ଶ୍ରଦ୍ଧାଳୁମାନେ ମାଘବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି । ଏଥିପାଇଁ ଗତକାଲି ରାତିରୁ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ମେଳା ପଡିଆରେ ଅସ୍ଥାୟୀ କୁଡିଆ କରି ରାତ୍ରି ଯାପନ କରିଥିଲେ। ଏଠାରେ ମାଟି ହାଣ୍ଡିରେ ରୋଷେଇ କରି ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ l ପରେ ମାଟିହାଣ୍ଡିକୁ ହାଣ୍ଡି ବାଡ଼ିଆ ପୋଖରୀରେ ଭାଙ୍ଗିଥିଲେ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା କଡାକଡ଼ି କରାଯାଇ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଆଜି ଦିନକ ପାଇଁ ଶ୍ରଦ୍ଧାଳୁଙ୍କ ସକାଶେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।ପବିତ୍ର ମାଘ ମେଳାରେ ଲକ୍ଷାଧିକ ଭକ୍ତ ଶନିବାର ଭୋରରେ ତୀର୍ଥ ପୁଷ୍ପରିଣୀ ରେ ବୁଡ ପକାଇବା ପରେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି କୋଣାର୍କ ସୂର୍ଯ୍ୟ ମନ୍ଦିର ବିନା ଟିକେଟରେ ବୁଲି ନବଗ୍ରହ ଦର୍ଶନ କରିବା ଦେଖିବାକୁ ମିଳିଥିଲା । ସତରେ ଧାର୍ମିକ ଭାବନା ନେଇ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶ୍ରନ୍ଧାଳୁ ମାନେ ଶୀତୁଆ ରାତିରେ ମାଟି ହାଣ୍ଡିରେ ସୁଖୁଆ ଡାଲମା କୁଡିଆରେ ତିଆରି କରି ଖାଇ ରାତି ତମାମ ଅନିଦ୍ରା ରହି ଟିକିଏ ପୁଣ୍ୟ ପାଇଁ ଚାହି ବସିଥିବାର ଅନ୍ତ ହୋଇଛି। କିଛି ପୁଣ୍ୟ ସହ ପିଲାମାନଙ୍କ ମଙ୍ଗଳ ମନାସି ବୁଡ ପକାଇଛନ୍ତି।

Leave a Reply

Your email address will not be published. Required fields are marked *