ମାତିଛନ୍ତି ବାଲି ଚୋର !

ଫୋକସ ପ୍ଲସ (ଖଣ୍ଡପଡାରୁ)୨୭/୦୭/୨୦୨୨: ସିଧାମୂଳା ବାଲିଘାଟରୁ ବେଆଇନ ବାଲି ଚାଲାଣ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ଗର୍ଜିଲା ଜିଲ୍ଲା କଂଗ୍ରେସ | ଖଣ୍ଡପଡା ସହରାଞ୍ଚଳ ଅଧୀନ ଆଞ୍ଚଳିକ ସାମ୍ବାଦିକ ସଂଘ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ଆଣିଲେ ସାଂଘାତିକ ଅଭିଯୋଗ । ଶ୍ରୀ ଦାଶଙ୍କ ଅଭିଯୋଗ ଅନୁଯାୟୀ ସିଧାମୂଳା ମହାନଦୀ ବାଲିଘାଟ ନିଲାମ ପ୍ରକ୍ରିୟାରେ ଖୋଦ ତହସିଲଦାରଙ୍କ ଜାଣତରେ ଟେଣ୍ଡର ବିଜ୍ଞପ୍ତିର ସର୍ତ୍ତାବଳୀର ଖୋଲା ଉଲଂଘନ ସହ ବ୍ୟାପକ ଅନିୟମିତତା କାର୍ଯ୍ୟ କରାଯାଇ ନିଲାମ ପ୍ରକ୍ରିୟା ଚୁଡାନ୍ତ କରାଯିବା ଯୋଗୁଁ ରାଜ୍ୟ ସରକାର ପ୍ରାୟ ୧୨ କୋଟି ଟଙ୍କାର ରାଜସ୍ଵ ହରାଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ କହିଛି। ଗତବର୍ଷ ଜାନୁଆରୀ ୧୫ରେ ପ୍ରକାଶିତ ଟେଣ୍ଡର ବିଜ୍ଞାପନର ସର୍ତ୍ତାବଳୀ ଅନୁସାରେ ୨୫ହଜାର ଏମଜିକ୍ୟୁ ପରିଧିରୁ ବାଲି ଉଠାଇବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଟେଣ୍ଡରର ଚୁଡାନ୍ତ ପ୍ରକ୍ରିୟାରେ ସେଥିରୁ ୧୫ ହଜାର ଏମଜିକ୍ୟୁ କମ୍ କରାଯାଇ ମାତ୍ର ୧୦ ହଜାର ଏମଜିକ୍ୟୁ ଅଞ୍ଚଳରୁ ୫ବର୍ଷ ପାଇଁ ବାଲି ଉଠାଇବା ପାଇଁ ଜନୈକ ନିଲାମଧାରୀ ନାରାୟଣ ବିଶ୍ୱାଳଙ୍କ ସହ ଖଣ୍ଡପଡ଼ା ତହସିଲଦାର ଗତ ୧୮ ତାରିଖରେ ଚୁକ୍ତି କରିଛନ୍ତି। ବିଜ୍ଞାପନ ଅନୁସାରେ ଧାର୍ଯ୍ୟ ୨୫ହଜାର ଏମଜିକ୍ୟୁ ଅଞ୍ଚଳରୁ ବାଲି ଉଠାଇବା ପାଇଁ ଯଦି ତହସିଲଦାର କାର୍ଯ୍ୟ କରିଥାନ୍ତେ ତେବେ ରାଜ୍ୟ ସରକାର ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ରୟାଲଟି ବାବଦରେ ପାଇଥାନ୍ତେ। ମାତ୍ର ଏହି ବେନିୟମ ଟେଣ୍ଡରର ଚୁଡାନ୍ତ ଫଇସଲା ଯୋଗୁଁ ସରକାର ୧୨କୋଟି ଟଙ୍କା ରାଜସ୍ଵ ହରାଇବା ପାଇଁ ଖଣ୍ଡପଡ଼ା ତହସିଲଦାର ଏବଂ ନିଲାମଧାରୀଙ୍କ ସହ ମଧୁଚନ୍ଦ୍ରିକା ନେଇ ଅଭିଯୋଗ ହୋଇଛି। ତେଣୁ ଉକ୍ତ ଟେଣ୍ଡର ଚୁଡାନ୍ତ ନିର୍ଦ୍ଦେଶନାମା ଏବଂ ଗତ ୧୮ ତାରିଖରେ ସମ୍ପାଦିତ ଚୁକ୍ତିନାମାକୁ ବାତିଲ କରାଯାଇ ପୁନଃ ଟେଣ୍ଡର ବିଜ୍ଞାପନ ଆହ୍ୱାନ ନମନ୍ତେ ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲ୍ଲାପାଳ ଏବଂ ରାଜସ୍ଵ ସଚିବଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସମ୍ପୃକ୍ତ ତହସିଲଦାର ଖଣ୍ଡପଡ଼ାରେ ୩ ବର୍ଷରୁ ଉର୍ଦ୍ଧ ସମୟ ଧରି ଏଭଳି ବହୁ ବେଆଇନ କାର୍ଯ୍ୟ କରୁଥିବା ଫଳରେ ରାଜ୍ୟ ସରକାର କୋଟି କୋଟି ରାଜସ୍ଵ ହରାଉଛନ୍ତି। ଖାଲିସେତିକି ନୁହେଁ ଲିଜଧାରୀ ପରିବେଶ ମଞ୍ଜୁରୀ ସହ କନସେଣ୍ଟ ଟୁ ଅପରେଟ ଓ କନସେଣ୍ଟ ଟୁ ଏଷ୍ଟାବ୍ଲିଶମେଣ୍ଟ ତଥା ଅନ୍ୟାନ୍ୟ ମଞ୍ଜୁରୀ ହାସଲ କରିବା ନିୟମ ଥିଲା ବେଳେ ଖଣ୍ଡପଡା ତହସିଲଦାର ଅଣଦେଖା କରିବା ସହିତ ବାଲି ଉଠାଣ ପାଇଁ ଅନୁମତି ଦେଇଥିଲେ । ତେଣୁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ଶ୍ରୀ ଦାଶ ରାଜ୍ୟ ସରକାରଙ୍କ ନିକଟରେ ବାଲିଘାଟର ୫ ବର୍ଷିଆ ଚୁକ୍ତିନାମା ବାତିଲ କରାଯିବା ଏବଂ ଖଣ୍ଡପଡା ତହସିଲଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଯଦି ୭ଦିନ ମଧ୍ୟରେ ପଦକ୍ଷେପ ନିଆନଗଲେ ଖଣ୍ଡପଡ଼ା ବ୍ଳକ କଂଗ୍ରେସ କଂଗ୍ରେସ, ଜିଲ୍ଲା ଯୁବ କଂଗ୍ରେସ, ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ତହସିଲଦାରଙ୍କ ଅଫିସ ଘେରାଉ ପାଇଁ ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଖଣ୍ଡପଡ଼ା ବ୍ଳକ କଂଗ୍ରେସ ସଭାପତି ଇଂ. ଦେବବ୍ରତ ବେହେରା, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତି ରଞ୍ଜନ ଦାଶ ଉପସ୍ଥିତ ଥିଲେ।

 

ଖଣ୍ଡପଡାରୁ ନାରାୟଣ ପଲେଇଙ୍କ ରିପୋର୍ଟ ଫୋକସ ପ୍ଲସ

 

 

Leave a Reply

Your email address will not be published. Required fields are marked *