ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରିବା ପ୍ରଣାଳୀକୁ ସରକାର ସରଳ କରିଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ। ଇ-ମେଧାବୃତ୍ତି ସ୍କଲାର୍ସିପ୍, ବ୍ୟାସକବି ଫକୀରମୋହନ ମେଧା ଭାଷାବୃତ୍ତି ଓ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାକୁ ଗୋଟିଏ ୱେବ୍ସାଇଟ୍ www.schlorship.odisha.gov.in ରେ ଆବେଦନ କରିପାରିବେ।
ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ମାର୍ଗଦର୍ଶିକା ଜାରି କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଲାଗୁ ହୋଇଛି। ଏଥିରେ ଇ-ମେଧାବୃତ୍ତିର ଆକାର ବୃଦ୍ଧି ହୋଇଛି। ମେଧାବୃତ୍ତି ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବା ସହ ବୃତ୍ତି ରାଶି ମଧ୍ୟ ବୃଦ୍ଧି ହୋଇଛି। ମେଧାବୃତ୍ତି ପାଇବାକୁ ଥିବା ହିତାଧିକାରୀଙ୍କ ପରିବାରର ବାର୍ଷିକ ଆୟ ୬ ଲକ୍ଷରୁ ୮ ଲକ୍ଷକୁ ବୃଦ୍ଧି କରାଯାଇଛି। ମଧ୍ୟବିତ୍ତ ବର୍ଗର ପିଲାଙ୍କୁ ମେଧାବୃତ୍ତିର ସୁଫଳ ମିଳିପାରିବ। ସମୁଦାୟ ୨୫ ହଜାର ଛାତ୍ରଛାତ୍ରୀଙ୍କୁ ଏଥିରେ ମେଧାବୃତ୍ତି ଯୋଗାଇ ଦିଆଯିବ। ଇ-ମେଧାବୃତ୍ତି ସ୍କଲାରସିପରେ ପୂର୍ବରୁ ୫ ହଜାର ସ୍ନାତକ(ୟୁଜି) ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମେଧାବୃତ୍ତି ଦିଆଯାଉଥିଲା। ଯାହା ଏଣିକି ୧୦ ହଜାର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ମିଳିବ।
ସେହିପରି ପିଜିରେ ୩୫୦୦ ବଦଳରେ ୫ ହଜାର ଛାତ୍ରଛାତ୍ରୀ ବାର୍ଷିକ ୧୫ ହଜାର ଟଙ୍କା ମେଧାବୃତ୍ତି ପାଇବେ। ଯାହା ପୂର୍ବରୁ ୧୦ ହଜାର ଟଙ୍କା ମିଳୁଥିଲା। ବୈଷୟିକ ଶିକ୍ଷା କ୍ଷେତ୍ରରେ ପୂର୍ବରୁ ୩୫୦୦ ୟୁଜି ସ୍ତରୀୟ ଓ ୨୫୦୦ ପିଜି ସ୍ତରୀୟ ବୈଷୟିକ ଛାତ୍ରଛାତ୍ରୀ ୧୦ ହଜାର ଟଙ୍କା କୋର୍ସ ସମୟାନୁଯାୟୀ ପାଉଥିଲେ। ଏଣିକି ୧୦ ହଜାର ବୈଷୟିକ ଛାତ୍ରଛାତ୍ରୀ ୨୦ ହଜାର ଟଙ୍କା ଲେଖାଏଁ ବୃତ୍ତି ପାଇବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, ମେଡିକାଲ କଲେଜ ଓ ହସ୍ପିଟାଲ, ଜାତୀୟ ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅବଗତ କରାଯାଇଛି।