ମୋବାଇଲ ଆଲୁଅରେ ହେଉଛି ରୋଗୀ ସେବା

ଫୋକସ ପ୍ଲସ ୩୧/୫/୨୨(ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। କିଛି ଦିନ ତଳେ ଜିଲ୍ଲାର ତେନ୍ତୁଳୀଖୁଣ୍ଟି ବ୍ଲକରେ ଗଛ ଡାଳରେ ସାଲାଇନ୍ ବୋତଲ ଲଗାଇ ଜଣେ ବୃଦ୍ଧ ମହିଳାଙ୍କୁ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଅନ୍ୟ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ସ୍ୱାସ୍ଥ୍ୟ କେନ୍ଦ୍ରର ଡିଜି ଅଚଳ ହୋଇ ପଡିଥିବାରୁ ମୋବାଇଲ ଆଲୁଅରେ ରୋଗୀ ସେବା ଚାଲିଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ, ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡିଜି ପ୍ରାୟ ୧୦ ଦିନ ହେବ ଅଚଳ ହୋଇ ପଡିଥିବା ବେଳେ, ଅଦ୍ୟାବଧି ତାହାର ମରାମତି କରାଯାଉ ନଥିବାରୁ ଲୋକେ ବିଜୁଳି ଯିବା ମାତ୍ରେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଦିନରେ ଯେମିତି ସେମିତି କାମ ଚଳି ଯାଉଥିଲେ ମଧ୍ୟ ରାତି ହେଲେ ବଢୁଛି ରୋଗୀଙ୍କ ଅସୁବିଧା। ରାତିରେ ବିଜୁଳି ଚାଲିଗଲେ ରୋଗୀଙ୍କୁ ମୋବାଇଲ ଲାଇଟ୍ ଲଗାଇ ଇଞ୍ଜେକସନ୍ ଦିଆଯାଉଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହା ଫଳରେ କେତେବେଳେ ମଧ୍ୟ କୌଣସି ଅଘଟଣ ଘଟିବାର ଭୟ ରହୁଛି । ତେବେ ଡାକ୍ତରଖାନା କର୍ତ୍ତୁପକ୍ଷ ଏନେଇ ନବରଙ୍ଗପୁର ସିଡିଏମ୍ଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି ଏହାର ନା ମରାମତି କରାଯାଉଛି ନା ନୂଆ ଡିଜି ଯୋଗାଇ ଦିଆଯାଉଛି। ଏପରିକି ଡାକ୍ତରଖାନା ପରିସରରେ ଏକ ନୂଆ ଡିଜି ଲଗାଇବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଆଦେଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରି ହେଉନଥିବା ସତରେ ବିଡମ୍ବନାର ବିଷୟ। ତେବେ ଏହିପରି ଅବ୍ୟବସ୍ଥା କେତେ ଦିନ ପର୍ଯ୍ୟନ୍ତ ଚାଲିବ ସେନେଇ କୌଣସି ସନ୍ତୁଷ୍ଟିକର ଉତ୍ତର ମିଳି ପାରୁନଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

Leave a Reply

Your email address will not be published. Required fields are marked *