ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ

ଫୋକସ ପ୍ଲସ 3/5/23 (ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନି ଦିଆଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ କାଳରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, ପାହାଡ଼ପୁର ଓ ବାରିପଦା ଯିବେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ହେଲିପ୍ୟାଡରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏଥିସହ ପାହାଡପୁର ଗାଁଲୋକେ ପରମ୍ପରା ଅନୁସାରେ ସ୍ବାଗତ କରିବେ ବୋଲି ଅପେକ୍ଷା କରିଛନ୍ତି।
ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ କହିଛନ୍ତି, ରାଷ୍ଟ୍ରପତି ମେ’ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି। ଆସନ୍ତା ୬ ତାରିଖ ଯାଏ ସେ ଏଠାରେ ରହିବେ। ଜିଲ୍ଲାରେ ତାଙ୍କର ଅନେକ କାର୍ଯ୍ୟକ୍ରମ ରହିଛି। ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା ସମେତ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପାହାଡପୁର ଗ୍ରାମବାସୀ କହିଛନ୍ତି, ମାଡାମ ଆସିବେ ବୋଲି ଆମେ ବହୁତ ଖୁସି। ସେ କେତେବେଳେ ଆସିବେ ଆମେ ସମସ୍ତ ଗ୍ରାମବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛୁ। ଗାଁ ଦାଣ୍ଡଠୁ ଆରମ୍ଭ କରି ସ୍କୁଲ ଘର, କ୍ଲବ ଘର, ପରିମଳ ବ୍ୟବସ୍ଥାକୁ ପ୍ରଶାସନ ସହ ମିଶି ସଜାଡି ଦେଇଛୁ। ସେ ଆମ ଗାଁର ଝିଅ, ଏହି ମାଟିର ଝିଅ। ସେ ଆସୁଛନ୍ତି ତେଣୁ ଆମ ସମସ୍ତଙ୍କ ମନରେ ବହୁତ ଖୁସି। ଆମେ ତାଙ୍କ ପାଇଁ ଗର୍ବିତ। ରାଷ୍ଟ୍ରପତି ଭାବେ ଆସୁଛନ୍ତି ତେଣୁ ତାଙ୍କୁ ଦେଖା କରିବାକୁ ବହୁତ ଉତ୍କଣ୍ଠା ରହିଛି।
ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ
୪ ମେ ୨୦୨୩ରେ ରାଷ୍ଟ୍ରପତି ପାହାଡ଼ପୁର ଠାରେ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଓ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ କରିବେ । ଏହାପରେ ସେ ହାଟବଦ୍ରା ଠାରେ ବ୍ରହ୍ମକୁମାରୀ କେନ୍ଦ୍ରକୁ ଗସ୍ତ କରିବେ ଏବଂ ସେଠାରେ ବ୍ରହ୍ମ କୁମାରୀ କେନ୍ଦ୍ରର ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ଆରମ୍ଭ କରିବେ। ସେହିଦିନ ସନ୍ଧ୍ୟାରେ, ରାଷ୍ଟ୍ରପତି ରାଇରଙ୍ଗପୁର ଠାରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ତାଙ୍କ ସମ୍ମାନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ ।
୫ ମେ ୨୦୨୩ରେ ରାଷ୍ଟ୍ରପତି ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାପରେ ସେ ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିବେ ।
୬ ମେ, ୨୦୨୩ରେ ରାଷ୍ଟ୍ରପତି ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *