ପ୍ରାର୍ଥୀ ଓ ସମର୍ଥକ ଉପସ୍ଥିତିରେ ନାମାଙ୍କନପତ୍ର ଯାଞ୍ଚ ହେଉଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୦ଟି ଜୋନ୍ର ୮୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି ।
ତ୍ରିସ୍ତରୀୟ ପଞ୍ଚାୟତ ନିିର୍ବାଚନ ଲାଗି ନାମାଙ୍କନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥପତ୍ର ପ୍ରତ୍ୟାହାର କରି ହେବ । ତେବେ ଗୋଟିଏ ପଦ ଲାଗି ଏକାଧିକ ପ୍ରାର୍ଥୀ ନାମାଙ୍କନ ଭରିଥିବାରୁ ଚିନ୍ତାରେ ସବୁ ପ୍ରମୁଖ ରାଜନୈତିକ ଦଳ ।
ପ୍ରାର୍ଥୀ ଓ ସମର୍ଥକ ଉପସ୍ଥିତିରେ ନାମାଙ୍କନପତ୍ର ଯାଞ୍ଚ ହେଉଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୦ଟି ଜୋନ୍ର ୮୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି । ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ଟି ଜୋନ୍ର ୧୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚ ହୋଇଥିବା ବେଳେ ବ୍ଲକ କାର୍ଯ୍ୟାଳୟରେ କେବଳ ସମିତି ସଭ୍ୟଙ୍କ ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି ।
ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ଓ୍ୱାର୍ଡମେମ୍ବର ପ୍ରାର୍ଥୀଙ୍କ ନୋମିନେସନ ଯାଞ୍ଚ କରାଯାଇଛି । ରାଜ୍ୟରେ ଏଥର ଓ୍ୱାର୍ଡମେମ୍ବର ପଦ ଲାଗି ୧ଲକ୍ଷ ୬୨ହଜାର ୨୯୭, ସରପଞ୍ଚ ପଦଲାଗି ୩୪ ହଜାର ୬୧୩, ସମିତି ସଭ୍ୟ ପାଇଁ ୨୮ହଜାର ୧୫୩ ଓ ଜିଲ୍ଲା ପରିଷଦ ସଭ୍ୟ ଲାଗି ୩ ହଜାର ୯୯୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗଂଜାମ ଜିଲ୍ଲାରେ ଜିଲ୍ଲା ପରିଷଦ ପ୍ରାର୍ଥିଙ୍କ ସଂଖ୍ୟା ସବୁଠୁ ଅଧିକ ଥିବା ବେଳେ, ବାଲେଶ୍ୱର ଜିଲ୍ଲାରେ ଓ୍ୱାର୍ଡମେମ୍ବର ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ସେହିପରି ମୟୁରଭଞ୍ଜରେ ସର୍ବାଧିକ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।
ସେପଟେ ନାମାଙ୍କନ ପତ୍ର ଦାଖଲ ପରେ କିଛି ସ୍ଥାନରୁ ହିଂସାକାଣ୍ଡର ଖବର ଆସିଛି । ଭଦ୍ରକ ତିହିଡି ବ୍ଲକ ତାଳପଡା ପଞ୍ଚାୟତ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ କାଗଜପତ୍ର ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପ୍ରାର୍ଥିପତ୍ର ନଷ୍ଟ ହୋଇଛି ନା ନାହିଁ ତିହିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।
ତେଣେ ପ୍ରାର୍ଥିପତ୍ର ଦାଖଲ ପରେ ବଢିଛି ରାଜନୈତିକ ଦଳଙ୍କ ଟେନସନ୍ । କାରଣ ସରପଞ୍ଚ ଓ ସମିତି ସଭ୍ୟ ପଦ ଲାଗି ଏକାଧିକ ପ୍ରାର୍ଥି ମଇଦାନରେ ଅଛନ୍ତି । ତେଣୁ ବିଦ୍ରୋହୀ ପ୍ରାର୍ଥୀଙ୍କୁ ମନାଇବାକୁ ଉଦ୍ୟମ ଚାଲିଛି । ଜିଲ୍ଲା ପରିଷଦରେ ମଧ୍ୟ ଅସନ୍ତୋଷ ନେତା ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଦଳରେ ବିଚାର ବିମର୍ଶ କରି ସହମତି ଭିତ୍ତିରେ ଜଣେ ଲେଖାଏଁ ପ୍ରାର୍ଥୀ ଠିଆ କରିବାକୁ ଉଦ୍ୟମ ଚାଲିଥିବା ବିଜେପି କହିଛି । ସେହିପରି ଅସନ୍ତୁଷ୍ଟଙ୍କୁ ବୁଝାଇବାକୁ ଉଦ୍ୟମ ଚାଲିଥିବା କଂଗ୍ରେସ ଓ ବିଜେଡି ପକ୍ଷରୁ କୁହାଯାଇଛି ।
ଆସନ୍ତାକାଲି ଅପରାହ୍ନ ୩ଟା ସୁଦ୍ଧା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିହେବ । ଏହାପରେ ପ୍ରଚାର ଜମିବା ଆଶା କରାଯାଉଛି ।