ଯୋଗ୍ୟ ହିତାଧିକାରୀ ଙ୍କୁ ମିଳୁନି ଆବାସ

ଫୋକସ ପ୍ଲସ (ଜଗତପୁର)୨୬/୦୭/୨୦୨୨: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଭଳି ଯୋଜନାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଚାର ପ୍ରସାରରେ ଲାଗିଛନ୍ତି। କିନ୍ତୁ ଏହା ବାସ୍ତବରେ ଯୋଗ୍ୟ ହିତାଧିକାରୀଙ୍କ କାର୍ଯ୍ୟରେ ଆସୁଛି କି ନାହିଁ,ସେନେଇ ପ୍ରଶାସନ କରୁନି ତଦାରଖ। ଯାହା ଫଳରେ ଅନେକ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ମହାନଗର ନିଗମର ୪୮ ନମ୍ବର ୱାର୍ଡ ପୁରୁଣା ଜଗତପୁର ଠାକୁର ସାହିର ପ୍ରଫୁଲ୍ଲ କୁମାର ସାହୁଙ୍କ ପରିବାରରେ। ପରିବାର କହିଲେ ପତ୍ନୀ,ଗୋଟିଏ ପୁଅ ଓ ଗୋଟିଏ ଝିଅ। ଗଲା ଫନି ବାତ୍ୟାରେ ତାଙ୍କର ଦୁଇ ବଖରା ଚାଳ ଛପର ଘର ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲା। ମୂଲ ମଜୁରୀ ଲାଗି ଚଳି ଆସୁଥିବା ପ୍ରଫୁଲ୍ଲ ସେହି ଭଙ୍ଗା ଘରେ ଜରିପାଲ ତଳେ ୩ବର୍ଷ ହେବ ଅତି ଦୟନୀୟ ଅବସ୍ଥାରେ ପରିବାର ସହ ରହି ଆସୁଛନ୍ତି। ରୋଜଗାର ଟଙ୍କାରେ ନୂତନ ଘର ଖଣ୍ଡିଏ ଗଢି ତୋଳିବା ପ୍ରଫୁଲ୍ଲଙ୍କ ପକ୍ଷେ ସମ୍ଭବ ହୋଇପାରୁନି। ସାମାନ୍ୟ ବର୍ଷା ହେଲେ ଘରେ ପାଣି ପଶିଯିବାରୁ ତାଙ୍କ ପରିବାର ବଡଭାଇଙ୍କ ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ଘର ଖଣ୍ଡିଏ ପାଇବାକୁ ସ୍ଥାନୀୟ କର୍ପୋରେଟର ଠାରୁ ଆରମ୍ଭ କରି ତହସିଲଦାର,ବିଧାୟକ,ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରି ନିରାଶ ହେଉଛନ୍ତି।ଆଉ ଏବେ ଲୋକ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ତାଙ୍କର କନ୍ୟା ଖୁଲଣା ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ବି କଲେଜ୍ ମୁହଁ ମାଡି ପାରି ନ ଥିଲେ। ଏଭଳି ଗରିବ ପରିବାରକୁ ସରକାରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଫୁଲ୍ଲ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।

ଜଗତପୁରରୁ ପୂର୍ଣଚନ୍ଦ୍ର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *