ଯୌତୁକ ରାକ୍ଷସ କବଳରେ ଆମ ସମାଜ ଓ ଆମ ମାନସିକତା

ଫୋକସ ପ୍ଲସ(ବ୍ୟୁରୋ) ୨୮/୦୭/ ୨୦୨୨: ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା କୋଟି କୋଟି ପ୍ରାଣୀଙ୍କ ମଧ୍ୟରୁ ମଣିଷ ଶ୍ରେଷ୍ଠ ପ୍ରାଣୀ I ମଣିଷ ସମାଜ ଗଠନ କରିଛି ସମାଜରେ ଶୃଙ୍ଖଳିତ ଜୀବନ ଜାପାନ ପାଇଁ ବିଭିନ୍ନ ନିୟମ କାନୁନକୁ ଆପଣେଇଛି , ଦଳ , ବଳ, କଳା, କୌଶଳ, ଶିକ୍ଷା , ବିଜ୍ଞାନ ସବୁଥିରେ ମନୁଷ୍ୟ ଜୀବଜଗତର ଶ୍ରେଷ୍ଠ ପ୍ରାଣୀର ମାନ୍ୟତା ହାସଲ କରିଛି I ପ୍ରସ୍ଥର ଯୁଗରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ସବୁଠି ଆମ ମାନଙ୍କ ଭିତରେ ଗୋଟିଏ ତ୍ରୁଟି ପରିଲକ୍ଷିତ ହେଉଛି ତାହା ହେଲା ନାରୀ ପୁରୁଷ ଭିତରେ ତାରତମ୍ୟ I ବର୍ତ୍ତମାନ ଆମେ ଦେଖୁଛୁ ନାରୀ ସବୁବେଳେ ନିର୍ଯାତିତା, ନିଷ୍ପେସିତI ଓ ପୁରୁଷ ସମାଜ ଦ୍ୱାରା ଅବହେଳିତ I ଚଳିତ ଶତାବ୍ଦୀରେ ପୃଥିବୀରେ ଏପରି ଦେଶ ଅଛନ୍ତି ଯେଉଁଠାରେକି ନାରୀ ପଣ୍ୟ , ନାରୀ ଦାସୀ , ନାରୀ କେବଳ ପୁରୁଷର ଭୋଗ୍ୟ ବସ୍ତୁ , ନାରୀ କେବଳ ସନ୍ତାନ ଜନ୍ମ ଦେଉଥିବା ଏକ ପ୍ରାଣୀ , ତା’ର ସ୍ୱାଧୀନତା ନାହିଁ କହିଲେ ଚଳେ I ଆମ ଭାରତବର୍ଷର ଇତିହାସକୁ ଯଦି ଅବଲୋକନ କରିବେ ତେବେ ଦେଖିବେ ରାଜା ମହାରାଜା, ମୋଗଲ ସମ୍ରାଟ , ଜମିଦାର ଓ କେତେକ ଧର୍ମରେ ଏକାଧିକ ପତ୍ନୀର ପ୍ରଚଳନ ଅଛି , ରାଜା ମହାରାଜା ତଥା ସମ୍ରାଟ ମାନେ ଏକାଧିକ ସ୍ତ୍ରୀ , ଦାସୀ ତଥା ବିଭିନ୍ନ ନାରୀ ମାନଙ୍କୁ ଉପଭୋଗ କରିବା ପାଇଁ ରାଜକୋଷରୁ ଅନେକ ଧନରତ୍ନ ଖର୍ଚ୍ଚ କରୁଥିଲେ I ଆଜିବି ରସିକିଆ ସମ୍ରାଟ ମାନଙ୍କ ରଙ୍ଗମହଲ, ହାରେମ ଓ ଅନ୍ୟାନ କୀର୍ତ୍ତିରାଜି / ସ୍ମୃତି ବିରାଜମାନ ଆଉ ଆମେ ପୁରାତତ୍ତ୍ୱ ବିଭାଗକୁ ପରିଦର୍ଶନ ଦେୟ ଦେଇ ଏହି ସ୍ଥାପତ୍ୟ କଳା, କିର୍ତ୍ତୀରାଜି ମହଲ ଇତ୍ୟାଦି ପରିଦର୍ଶନ କରିଥାଉ I ଗରିବ ପ୍ରଜାଙ୍କ ଝାଳବୁହା ଅର୍ଥ ଓ ପ୍ରଜାଙ୍କ ପଶୁତୁଲ୍ୟ ହାଡ଼ ଭଙ୍ଗା ଶ୍ରମ ଦ୍ୱାରା ନିର୍ମିତ ବିରାଟ ରାଜମହଲର ଅଂଶ ବିଶେଷ ଦେଖି କ’ଣ ସତରେ ଆମେ ଆମ କଳା ସ୍ଥାପତ୍ୟକୁ ତାରିଫ କରୁ ନା’ ତା’ର ପଛରେ ଥିବା କଳଙ୍କକୁ ବି ଟିକେ ମନେପକାଉ ? ଛାଡ଼ନ୍ତୁ ଏସବୁ ବିଷୟ, ଏବେ ଆମେ ଆମ ବିଷୟକୁ ଆସିବା I

ଭାରତରେ ମଧ୍ୟ ଯୁଗରୁ ଯୌତୁକ ପ୍ରଥା ପ୍ରଚଳିତ , ଇତିହାସ କହେ, କନ୍ୟାର ବିବାହ ସମୟରେ କନ୍ୟା ପିତା କନ୍ୟାକୁ କିଛି ଉପହାର ଦେଇଥାଏ ଯାହାକି କନ୍ୟାକୁ ବିବାହ ପରବର୍ତ୍ତୀ ସମୟରେ ନିଜ ପାଇଁ ବା ପରିବାର ପାଇଁ କାମରେ ଲାଗିବାର ଦେଖାଯାଏ I ପରବର୍ତ୍ତୀ ସମୟରେ ବ୍ରିଟିଶ ଶାସକ ଏହାକୁ ଏକ ପ୍ରଥାରେ ପରିଣତ କରିବାରେ ସାହାଯ୍ୟ କରିଥଲେ I “ଉପହାର” ଶବ୍ଦ ଟି କାଳକ୍ରମେ ବିଭାଘର ସମୟରେ “ଯୌତୁକ ” ର ନାମ ନେଇଛି , ସମୟ ବଦଳିବI ସହିତ ନାମର ପରିବର୍ତ୍ତନ ଦ୍ୱାରା ଲକ୍ଷ ଲକ୍ଷ ସୁଖୀ ପରିବାର ଆଜିବି ଯୌତୁକ ରାକ୍ଷସ ପାଇଁ ତଳିତଳାନ୍ତ ହେଉଛନ୍ତି I କେତେ ହୃଦୟବିଦାରକ ଅପମୃତ୍ୟୁ ଦେଖିବାକୁ ମିଳୁଛି, ହାତରୁ ମେହେନ୍ଦି ଲିଭି ନଥିବା କନ୍ୟାଟିଏ ବି ଯୌତୁକ ପାଇଁ ନିର୍ଯାତିତ ଓ ଶେଷରେ ମୃତ୍ୟୁ ପରି ଚରମ ନିଷ୍ପତ୍ତି ନିଜେ ନେଉଛି ବା ଶାଶୁ ଘର ଦ୍ୱାରା ହତ୍ୟାର ଶିକାର ହେଉଛି I ବିବାହିତ ଜୀବନରେ କେତେ ସୁନେଲି ସ୍ବପ୍ନ ଦେଖିବା ଆଶା ନେଇ ସେ ନିଜ ପରିବାର ଛାଡି ନୂତନ ପରିବାରକୁ ନିଜର କରିବା ପାଇଁ ଆସି ଶେଷରେ ଯୌତୁକ ରାକ୍ଷସ ପାଇଁ ତା’ର ସବୁ ସୁନେଲି ସ୍ବପ୍ନ ଚୁରମାର ହୋଇ ଯାଉଛି I

ଧୀରେ ଧୀରେ ଆମର ମାନବିକତା ଆମଠାରୁ ଦୁରେଇ ଯାଉଛି ଆମେ ଖାଲି ସ୍ୱାର୍ଥ ପଛରେ ଅନ୍ଧ ପରି ଦୌଡୁଛୁ , ଆମେ ଚିନ୍ତା କରିବା ଦରକାର ଯେ , ଆମେ ଯେଉଁ ଝିଅ ଟିକୁ ଆମ ଘରର ବୋହୁ କରି ଆଣୁଛୁ ସେ ଆମ ଘରର ଏକ ସଦସ୍ୟ ଓ ଆମ ବଂଶ ର ଆଗାମୀ ପିଢ଼ିର ଜନ୍ମଦାତ୍ରୀ , ସେ ନ’ଥିଲେ ଆମ ଆଗାମୀ ପିଢ଼ି କିପରି ଆଗେଇ ଚାଲିବ? କାହାଦ୍ୱାରା କୂଳରକ୍ଷା ହେବ?? କିନ୍ତୁ ଏସବୁ ଭାବିବାକୁ କାହା ମୁଣ୍ଡରେ ସମୟ ଅଛି? ସମସ୍ତେ କେବଳ ଅର୍ଥ ପଛରେ ପାଗଳ ପରି ଦୌଡୁଛନ୍ତି I କଥାରେ ଅଛି ” ଅର୍ଥ ଅନର୍ଥର କାରଣ ” ବେଳେ ବେଳେ ଅତି ଟା ଯଦି ଇତି ହୋଇଯାଏ ତ’ କଥା ସରିଲା I ଏହି ଯୌତୁକ ନିର୍ଯାତନାର ମୁଖ୍ୟ ଭୂମିକା ନେଇଥାନ୍ତି ଘରର ନାରୀ ମାନେ , ସେମାନେ ନିଜେ ନାରୀ ହୋଇ ଆଉଜଣେ ନାରୀର ସୁରକ୍ଷା ଦେବା ବଦଳରେ ନିର୍ଯାତନା ଦେବାରେ ସାହାଯ୍ୟ କରିଥାନ୍ତି I ଅନେକ ଜାଗାରେ ଶାଶୁ , ନଣନ୍ଦଙ୍କ ଭୂମିକା ବେଶୀ ପରିଲକ୍ଷିତ ହୁଏ I ସଂସାରରେ ନାରୀ, ପୁରୁଷ ଏକ ମୁଦ୍ରାର ଦୁଇ ପାର୍ଶ୍ୱ ତେଣୁ ଆମର ଜନ୍ମିତ ସନ୍ତାନ ପୁଅ ହେଉ କି ଝିଅ ହେଉ ପିତା, ମାତାଙ୍କ କର୍ତ୍ତବ୍ୟ ଉଭୟଙ୍କୁ ସମାନତା ଦେବା, ଲିଙ୍ଗ ଭିତ୍ତିକ ଅସମାନତା ବା ପାତର ଅନ୍ତର ନ’ ରଖି ମଣିଷ ପରି ମଣିଷ ଟିଏ ଗଢି ତୋଳିବା I ଭାରତବର୍ଷ ରେ ଯୌତୁକ ରାକ୍ଷସ ବେଶୀ ପରିମାଣରେ ବିହାର , ଉତ୍ତରପ୍ରଦେଶ , ମଧ୍ୟପ୍ରଦେଶ ତଥା ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ଅଳ୍ପ ବହୁତ ଦେଖଯାଏ I ସରକାରଙ୍କ ଯୌତୁକ ନିରୋଧୀ ଆଇନ , ବଧୂ ନିର୍ଯାତନା ଆଇନ, ମହିଳା ଆୟୋଗ , ମହିଳା ଥାନା , ମହିଳା ସ୍ବେତ୍ସାସେବକ , ମହିଳା କଲ୍ୟାଣ ପାଇଁ ଅନେକ NGO ମାନେ ଅହୋରାତ୍ରି କାର୍ଯ୍ୟ କରୁଛନ୍ତି, ସରକାର ମହିଳା ନିର୍ଯାତନାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେଷ୍ଟିତ I ଏସବୁ ସତ୍ୱେ କାହିଁକି ଆଜି ହଜାର ହଜାର ନବବିବାହିତା ନିର୍ଯାତନାର ଶିକାର ହେଉଛନ୍ତି? ଏହା ପଛର ରହସ୍ୟ କଣ?

ଯୌତୁକ ନିରୋଧ ଓ ଯୌତୁକ ଜନିତ ନାରୀ ନିର୍ଯାତନା ପାଇଁ ଆମ ଭାରତୀୟ ଦଣ୍ଡ ସଂହିତା ରେ ତ’ ଅନେକ ନିୟମ କାନୁନ ଅଛି I ପ୍ରଥମ କଥା ହେଲା ଏପରି ପରିସ୍ଥିତି କେମିତି ନ’ ହେବ ସେଥିପ୍ରତି ଦୃଷ୍ଟି ଦେବା ଉଚିତ , ଆଜିକାଲି ହେଉ ବା ଅତୀତ ରେ ହେଉ ମଣିଷ କେବେବି ଅଳ୍ପରେ ସନ୍ତୁଷ୍ଟ ହୁଏନାହିଁ ଆଉ ଯେଉଁମାନେ ହୁଅନ୍ତି ସେମାନେ ନିଶ୍ଚିତ ଭାବେ ମାନବିକତା ପୂର୍ଣ୍ଣ ଦୟାଵାନ ବ୍ୟକ୍ତି I ସନ୍ତୁଷ୍ଟ ନ’ ହେଉଥିବା ବ୍ୟକ୍ତି ଧୀରେ ଧୀରେ ଲୋଭି ହୋଇଯାନ୍ତି ଆଉ ଲୋଭରୁ ପାପ , ପାପରୁ ମୃତ୍ୟୁ ହୁଏ I ସମସ୍ତେ ଲୋଭର ବଶବର୍ତ୍ତୀ ହୋଇ ଅନ୍ୟଠାରୁ ଭଲରେ ବା ମନ୍ଦରେ ଶୋଷଣ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ I

ଝିଅଟିଏ ବାପା , ମା ,ଭାଇ,ଭଉଣୀ ସହିତ ଯେଉଁ ଘରେ ୧୮ /୨୦ ବର୍ଷ ବା ଅଧିକ ସମୟ ବିତାଇ ଆସିଲା ସେ ହଠାତ ଶାଶୁଘରେ ନିଜକୁ ଶାଶୁଘର ନିୟମ କାନୁନ ବା ଚାଲିଚଳନ ସହିତ ଖାପ ଖୁଆଇ ପାରିବ ନାହିଁ I ଶାଶୁଘର ଲୋକେ ବୋହୂଟିକୁ ନିଜ ଘରେ ଆପଣେଇ ନେଇ ସବୁ କଥା ଧୀରେ ଧୀରେ ତା’କୁ ନ’ ଶିଖାଇ ରIତା ରାତି ତା’ଠାରୁ ଅନେକ କିଛି ଆଶା କରନ୍ତି ଯାହାକି ସମ୍ଭବ ନୁହେଁ I ବୋହୂକୁ ଯଦି ନିଜ ଝିଅ ପରି ବ୍ୟବହାର କରାଯାଏ ଓ ତା’ସହିତ ଘରର ସବୁ ସଦସ୍ୟ ସହଯୋଗର ହାତ ବାଢ଼ନ୍ତି ତେବେ କୌଣସି ଅସୁବିଧା ଦେଖା ଦେବନାହିଁ I ପରସ୍ପର ପରସ୍ପର ସହିତ ନିଜର ଭାବ, ଚିନ୍ତାଧାରା ଓ ସ୍ନେହ ସହାନୁଭୂତି ବାଣ୍ଟିଲେ ଘର ସ୍ୱର୍ଗ ହୋଇଯିବ I ଆଉ ଆମ ମାନସିକତା ଯଦି ବୋହୁ ଘର ସମ୍ପତ୍ତି ଉପରେ ରହିବ ଓ କଳେ ବେଳେ କୌଶଳେ ସମ୍ପତ୍ତି ହଡପ କରିବା ମନୋବୃତ୍ତି ଥିବ ତେବେ ଶୁଖିଲା ଅଶାନ୍ତି କୁ ସ୍ବାଗତଂ କରିବା ଛଡା ଆଉ କିଛି ନୁହେଁ I ଆଜିକାଲି ଏହି ସବୁ ଦେଖି ଅନେକେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରୁଛନ୍ତି , ଯଦିଓ ଏହା ଏକ ଧର୍ତ୍ତବ୍ୟ ଅପରାଧ ତେବେବି ଲୁଚା ଛପାରେ ଏହିସବୁ ଚାଲିଛି I ଏହାର କାରଣ ହେଲା କନ୍ୟା ସନ୍ତାନ ଥିଲେ ଭୃଣ ହତ୍ୟା , ବାଉଁଶ ଥିବ ନା ବଇଁଶୀ ବାଜିବ ? କନ୍ୟା ସନ୍ତାନଟିର ଜନ୍ମ ଠାରୁ ଭରଣ ପୋଷଣ, ଶିକ୍ଷା ଦୀକ୍ଷା , ଆଉ ବିବାହ ପରି ବୋଝ ସମ୍ଭାଳିବାକୁ ଆଜିକାଲି ପିତା ମାତା ପ୍ରସ୍ତୁତ ନୁହନ୍ତି I ଏହା ଯଦି ସତ୍ୟ ହୁଏ ତେବେ ପୃଥିବୀ ପୃଷ୍ଠରେ ନାରୀ ପୁରୁଷ ର ଅନୁପାତ ସମାନ ରହିବ ନାହିଁ , ଅନୁପାତ ୧୦% ବେଶୀ କମ ରହିଲେ ଚାଲିବ କିନ୍ତୁ ଯଦି ଅତି ବେଶୀ ତାରତମ୍ୟ ହୁଏ ତେବେ ସମାଜରେ ଅନେକ କିଛି ପରିବର୍ତ୍ତନ ଦେଖା ଦେବ , ବିଶୃଙ୍ଖଳା ବଢିବ ଆଉ ଏଥିପାଇଁ ଆମେ ମାନେ ହିଁ ଦାୟୀ ରହିବା ତେଣୁ ସମସ୍ତେ ସଚେତନ ହୁଅନ୍ତୁ କନ୍ୟା ସନ୍ତାନଟି ଆମପାଇଁ ବୋଝ ନୁହେ, ସେ ଆମ ପାଇଁ ପ୍ରେରଣା ଦାତ୍ରୀ ଆମ ସମାଜର ଏକ ଅଙ୍ଗ, ଆଉ ଯୌତୁକ ଆମ ସମାଜ ପାଇଁ ଏକ କଳଙ୍କ I

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *