ରାଜ୍ୟରେ କରୋନାଜନିତ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଗତ ୧୨ ତାରିଖଠାରୁ ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ କରିଛି। ହେଲେ ଟେଷ୍ଟଙ୍ଗ କମି ନାହିଁ, ଯାହାକି ୭୦ ହଜାର ଉପରେ ରହିଛି। ତେଣୁ ଆମକୁ ପିକ ଛୁଇଁଛି ନା ନାହିଁ ଏଥିପାଇଁ ପାଇଁ  ଆଉ ୨ରୁ ୪ ଦିନ ଅପେକ୍ଷା କରିବାକୁ ପଡ଼ିବ। ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ଦ୍ୱିତୀୟ ଲହରରେ ଅନେକ ଵିଶେଷଜ୍ଞ ଆକଳନ କରିଥିଲେ ଜୁଲାଇ ମାସରେ କମିବ। କିନ୍ତୁ ଏହାକୁ କମିବାକୁ ଅକ୍ଟୋବର ମାସ ଯାଏଁ ଲାଗିଥିଲା। ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଆମେ ଦେଶ ଅପେକ୍ଷା ଭଲ ସ୍ଥିତିରେ ଅଛନ୍ତି। ପଜିଟିଭିଟି ଅପେକ୍ଷା ଆମର ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମ ରହିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୫୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୯୪୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୩୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।

ଗତକାଲି ୮,୮୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୨୧ ତାରିଖରେ ୯,୮୩୩, ଜାନୁଆରି ୨୦ ତାରିଖରେ ୧୦,୩୬୮ଜଣ, ଜାନୁଆରି ୧୯ ତାରିଖରେ ୧୧,୬୦୭ ଜଣ, ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ,  ଜାନୁଆରି ୧୨ରେ ୮୭୭୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *