ରୋକ୍ ଲଗାଇଲେ ମନ୍ଦିର ପ୍ରଶାସନ, ଭୋଗ ଲାଗିବନି ନଡ଼ିଆ କଦଳୀ

ଫୋକସ ପ୍ଲସ(ପୁରୀ): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ନଡିଆ କଦଳୀ ନେବା ମନା। ଯାହାକୁ ନେଇ ଭକ୍ତମାନେ ଏବେ ଚିନ୍ତାରେ, ଘରୁ ଆଣିଥିବା ବା ବାଟରୁ କିଣିଥିବା ନଡିଆ, କଦଳୀ ମାଙ୍କ ମନ୍ଦିର ଭିତରକୁ ଯିବ ନାହିଁ। ଏପରି ନୂଆ ନିୟମ କରିଛନ୍ତି ମନ୍ଦିର ପ୍ରଶାସନ। ଏହା ପୁଣି ଲିଖିତ ନିର୍ଦ୍ଦେଶନାମା ନୁହେଁ । ଏ ନେଇ ମନ୍ଦିର ଦ୍ଵାର ମୁହଁ ରେ ପ୍ରହରା ଦେଉଥିବା ସୁରକ୍ଷାକର୍ମୀ ଏବେ ପୁରା ଆଲଟ।ଦେଶ ବିଦେଶରୁ ଆସୁଥିବା ଭକ୍ତ, ଯାତ୍ରୀ ସାଙ୍ଗରେ ମନ୍ଦିର କୁ ଭୋଗ ସାମଗ୍ରୀ, ଘିଅ ନେଇ ଯାଇ ପାରିବେନି। ମନ୍ଦିର ବେଢ଼ା ରେ ଥିବା ଦୀପ, ଭୋଗ ଦୋକାନ ରୁ ଭକ୍ତ, ଯାତ୍ରୀ ମାନେ ପୂଜା ସାମଗ୍ରୀ କିଣି ମା ଙ୍କୁ ଭୋଗ ଲାଗି କରିପାରିବେ। ମନ୍ଦିର ପ୍ରଶାସନ ର କହିବାକଥା ଯେ, ମନ୍ଦିର ବେଢ଼ାରେ ଥିବା ଭୋଗ ଓ ଦୀପ ଦୋକାନ ପାଇଁ ଲକ୍ଷ ଲକ୍ଷ ଟଙ୍କା ର ଟେଣ୍ଡର ହେଉଛି।

ଟେଣ୍ଡର ନେଇଥିବା ଦୋକାନୀ ଓ ମନ୍ଦିର ପ୍ରଶାସନ ଅଧିକାରୀ କୈଳାସ ଦାଶ ଙ୍କ ମଧୁଚନ୍ଦ୍ରିକା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ମଧ୍ୟ କିଛି ସେବାୟତ ଙ୍କ ମନରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଘରୁ ନେଇ ଥିବା ଶୁଦ୍ଧ ଘିଅ ମା ଙ୍କ ସମ୍ମୁଖ ରେ ଜାଳିବାରୁ ଭକ୍ତ ଟିଏ ବଞ୍ଚିତ ହେଉଥିବାବେଳେ ନିଜ ଘରୁ ନେଇଥିବା ଫଳ ମୂଳ, ପୂଜା ସାମଗ୍ରୀ କୁ ଭକ୍ତ ମା ଙ୍କ ପାଖରେ ଭୋଗ ଲଗାଇ ପାରୁ ନଥିବାରୁ ମାତୃଭକ୍ତ, ଯାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଭକ୍ତ ଆଉ ସୁରକ୍ଷାକର୍ମୀ ଙ୍କ ମଧ୍ୟରେ ବଚସା, ପାଟିତୁଣ୍ଡ ସବୁ ସମୟ ରେ ହେଉଛି। କିଛି ଭକ୍ତ ଘରୁ ନେଇଥିବା ଭୋଗ ସାମଗ୍ରୀ କୁ ସିଂହଦ୍ଵାର ସମ୍ମୁଖ ରେ ମା ଙ୍କୁ ନିଜ ହାତରେ ସମର୍ପଣ କରି ଦେଉଥିବା ବେଳେ ମୁଖ୍ୟ ରାସ୍ତା ଉପରେ ଘରୁ ନେଇ ଥିବା ଶୁଦ୍ଧ ଘିଅ ରେ ମା ଙ୍କ ଉଦ୍ଦେଶ୍ୟ ରେ ଦୀପ ଜଳାଉଥିବା ଦେଖିବାକୁ ମିଳୁଛି।

ସବୁଠାରୁ ବଡ଼ କଥା ହେଉଛି,ମନ୍ଦିର ପ୍ରଶାସନ ମନ୍ଦିର ବାହାରେ ଭୋଗ ସାମଗ୍ରୀ, ଦୀପ ବିକ୍ରୀ କରୁଥିବା ବ୍ୟବସାୟୀ ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ପାରି ମାତୃଭକ୍ତ ଙ୍କ ଉପରେ କଟକଣା ଲଗାଉଥିବାରୁ ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ଓ ମନ୍ଦିର ପ୍ରଶାସନ ର ନିଷ୍ପତ୍ତି କୁ ଘୋର ନିନ୍ଦା କରାଯାଇଛି। ଏଠାରେ ଖୋଲାଖୋଲି ଭାବେ ମା ଙ୍କ ଭକ୍ତ ମାନଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରୁଛନ୍ତି ମନ୍ଦିର ପ୍ରଶାସନ । ଭୋକ ବିକଳରେ ବ୍ୟବସାୟୀ ମାନଙ୍କୁ ଫାଇଦା ଦେବାକୁ ଯାଇ ମନ୍ଦିର ପ୍ରଶାସନ ଭକ୍ତ ମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରିବା ଘଟଣା ସାଧାରଣ ରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ମନ୍ଦିର ପ୍ରଶାସନ ଏପରି ବ୍ୟବହାର ପାଇବା ପରେ ଅତି ଦୂର ଦୁରାନ୍ତ ରୁ ଆସିଥିବା ଭକ୍ତ ନିଜର ମାନସିକ ପାଇଁ ଆଣିଥିବା ନଡ଼ିଆ କଦଳୀ ମା ଙ୍କ ନିକଟର ଭୋଗ ନକରିପାରିବାରୁ ନିରାଶ ହୋଇ ଫେରୁଥିବା ମଧ୍ୟ ଦେଖିବାକୁ ମିଳିଛି ।ଏପରି ଘଟଣା ସ୍ଥାନୀୟ ଅଞ୍ଚଳ ରେ ଉଦବେଗ ର ବିଷୟ ପାଲଟିଥିବାରୁ ତୁରନ୍ତ ଆଇନମନ୍ତ୍ରୀ ଓ ଦେବୋତ୍ତର କମିଶନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *