ଲାଞ୍ଜିଗଡ ଅଞ୍ଚଳରେ କାଠ ମାଫିଆ ସକ୍ରିୟ।
*ବନବିଭାଗର ନାକ ତଳେ ଜଙ୍ଗଲ ଭିତରୁ ସାବୁଆନ ଗଛର ଚୋରା ଚାଲାଣ ଚାଲିଛି ।
*ବନବିଭାଗ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଲେ ଅଞ୍ଚଳବାସୀ।
କଳାହାଣ୍ଡି ୨୧/୦୨/୨୦୨୪: ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କିଛି କାଠ ମାଫିଆ ଓ ବନବିଭାଗର କେତେକ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଦୃତ ଗତିରେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଯାହା ଆଗାମୀ ଦିନରେ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରିବ। ଏପରି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ ସେକ୍ସନ ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ସ୍ଥିତ ଲଟକାଖମନ ଜଙ୍ଗଲରୁ। ଏହି ଜଙ୍ଗଲରୁ କାଠ ମାଫିଆ ମାନେ ଶହ ଶହ ସଂଖ୍ୟାରେ ମୂଲ୍ୟବାନ ସବୁଆନ ଗଛ କାଟି ନେଇ ପଟା ବେପାର କରୁଥିବା ଦେଖିବାକୁ ମିଳିଛି। ଲାଞ୍ଜିଗଡ ଫରେଷ୍ଟର ଏବଂ ବନ ବିଭାଗ କର୍ମଚାରୀମାନଙ୍କ ସଲାସୁତୁରାରେ ଏଭଳି ପଟା କାରବାର ଚାଲିଥିବା ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି। ଦିନେ ଜଙ୍ଗଲ ସମ୍ପଦ ପାଇଁ ରାଜ୍ୟର କେନ୍ଦ୍ରବିନ୍ଦୁ ସାଜିଥିବା ଲାଞ୍ଜିଗଡ଼ ଆଜି ଅସାଧୁ ବନ କର୍ମଚାରୀ ଓ କାଠ ମାଫିଆ ମାନଙ୍କ ପାଇଁ ପଦା ହେବାକୁ ବସିଲାଣି। ଆଗକୁ ଏହି ଧାରା ଜାରି ରହିଲେ ଏହି ଅଞ୍ଚଳ ପାଇଁ ନକରାତ୍ମକ ପ୍ରଭାବ ପକାଇ ପାରେ। ତେଣୁ ଏବେଠାରୁ ଏହାର ପ୍ରତିକାର କରିବା ଜରୁରୀ ହୋଇ ପଡ଼ିଛି। ଏପଟେ ସାଧାରଣ ଲୋକଟିଏ ନିଜ ଘର କିମ୍ବା ବଗିଚାରୁ ଗଛ ଟିଏ କାଟିବାକୁ ହେଲେ ଡିଏଫଓଙ୍କ ପରମିସନ ଆବଶ୍ୟକ ରହିଛି। ସେଥିରେ ଫୁଣି ଦୁନିଆ ପାରାଫିନିଆ ରହିଛି। ହେଲେ ଘନ ଜଙ୍ଗଲ ଭିତରୁ ଦିନ ଦୁଇପହରେ ଦିବା ଆଲୋକରେ ପ୍ରତିଦିନ ସବୁଆନ ଗଛ କଟା ଚାଲିଥିବା ବେଳେ ଏହାର ଖବର ବନ ବିଭାଗ କର୍ମଚାରୀ ମାନଙ୍କ ପାଖରେ ନଥିବା ଏହା ସମ୍ଭାଵପର ନୁହେଁ ବୋଲି ଆଲୋଚନା ହେଉଛି । ଏଥିରୁ ସ୍ପଷ୍ଟ ଜାଣି ହଉଛି ଯେ, ବନ ବିଭାଗର କର୍ମଚାରୀମାନଙ୍କ ସମ୍ପୂର୍ଣ ସହମତିରେ ଜଙ୍ଗଲ ଭିତରୁ ମୂଲ୍ୟବାନ ସବୁଆନ ଗଛ କଟା ଯାଉଛି। ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହ କଳାହାଣ୍ଡି ଜିଲ୍ଲାପାଳ ଓ ଦକ୍ଷିଣ ବନଖଣ୍ଡ ଡିଏଫଓ ସ୍ଥିତି ଅନୁଧ୍ୟାନ କରି କାଠ ମାଫିଆଙ୍କ ସହ ସମ୍ପୃକ୍ତି ରହିଥିବା ଫରେଷ୍ଟର ଏବଂ ବନ ବିଭାଗ କର୍ମଚାରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ବୁଦ୍ଧିଜୀବି ମହଲରେ ଦାବି ଜୋର ଧରୁଛି।