ଶୌଚ ଗଲାବେଳେ ଭାଲୁ ଆକ୍ରମଣରୁ ବ୍ୟକ୍ତିଙ୍କ ମୃତ୍ୟୁ

ନବରଂଗପୁର: ଭତ୍ରାସିଉନି ଗ୍ରାମର ଭତ୍ରା ଛକ ନିକଟରେ ଭାରତମାଳା ପ୍ରଜେକ୍ଟ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବ୍ରିଜେସ କୁମାର ଦ୍ବିବେଦୀ (୪୫ ବୟସ) ନାମକ ଜଣେ ବ୍ୟକ୍ତିକୁ ଭାଲୁ ଆକ୍ରମଣ କରି ନିର୍ମମ ଭାବରେ ମାରି ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରି ଦେଇଛି। ଘଟଣାନୁଯାୟୀ ଆଜି ଭୋର ସକାଳ ପ୍ରାୟ ୬.୩୦ ସମୟରେ ବ୍ରିଜେସ କ୍ୟାମ୍ପରୁ ବାହାରି ଶୌଚ ପାଇଁ ବାହାରିଥିଲେ। ସକାଳୁ କୁହୁଡି ଢାଙ୍କି ରହିଥିବାରୁ ପାଖରୁ କିଛି ବି ଦେଖାଯାଉ ନ ଥିଲା। ଏହି ସମୟରେ ଭାଲୁ ସହିତ ସାମ୍ନାସାମ୍ନି ହୋଇଥିଲା। କିଛି ସମୟ ପର୍ଯ୍ୟନ୍ତ ଭାଲୁ,ବ୍ରିଜେସଙ୍କ ମଧ୍ୟରେ ଜୀବନ ସହିତ ସଂଗ୍ରାମ ଚାଲିଥିଲା। ପାଟି ଶୁଣି କ୍ୟାମ୍ପରେ ଥିବା ଅନ୍ୟମାନେ ବାହାରି ଭାଲୁଟିକୁ ଘୋଉଡାଇବାକୁ ଚେଷ୍ଟା କରିଥିଲେ। ପାଖରୁ ଟେକା ପଥର ମଧ୍ୟ ମାରିଥିଲେ। ତଥାପି ଭାଲୁଟି ଛାଡି ନ ଥିଲା,ବ୍ରିଜେସଙ୍କ ସେହି ସ୍ଥାନରେ ହିଁ ମୃତ୍ୟୁ ହୋଇଥିଲା। ଭାଲୁଟି ବ୍ରିଜେସଙ୍କ ମୁଣ୍ଡ,ହାତ,ଗୋଡ ଖାଇଥିବା ଦେଖିବାକୁ ମିଳିଥିଲା। କ୍ୟାମ୍ପ ସ୍ଥାନଟି ଭାଲୁ ଚରାବୁଲା କରିବାର ସ୍ଥାନ ଥିବାରୁ ପ୍ରତିଦିନ ସକାଳ ସନ୍ଧ୍ୟା ସମୟରେ ଆଖପାଖ ଗାଁ ବାଲା ଦେଖି ସତର୍କ ରହିଥାନ୍ତି। ଦୁଇଦିନ ପୂର୍ବରୁ କିଛି ଯୁବକଙ୍କୁ ଗୋଡେଇ ଆକ୍ରମଣ ମଧ୍ୟ କରିଥିବା ସ୍ଥାନୀୟ ଗାଁ ଲୋକେ ଆଜି ଅଭିଯୋଗ ବାଢିଥିଲେ। ମୃତ ବ୍ରିଜେସଙ୍କ ଘର ମଧ୍ୟ ପ୍ରଦେଶର ମହିୟର ଗ୍ରାମର ବୋଲି ସୂଚନା ମିଳିଛି। ସେ ଭାରତମାଳା ପ୍ରୋଜେକ୍ଟର ଏମକେସି କମ୍ପାନୀରେ କାର୍ଯ୍ୟ କରି ଆସୁଥିଲେ। କମ୍ପାନୀ ସତିଶ ପବାର ଲାଇଜେନିଂ ମ୍ୟାନେଜର,ଶ୍ୟାାମ ବାହାଦୂର ପ୍ରଜେକ୍ଟ ମ୍ୟାନେଜର,
ଦିଲିପ ବିଶ୍ବାଳ ଏଚଆର ଓ ଅନ୍ୟାନ୍ୟ ବ୍ୟକ୍ତି ପହଞ୍ଚି ତୁରନ୍ତ ବନ ବିଭାଗ ଓ ୧୧୨କୁ ଫୋନ କରିଥିଲେ। ହେଲେ ମହାପ୍ରୟାଣ ଗାଡି ଯଥା ସମୟରେ ନ ପହଞ୍ଚିବାରୁ ପ୍ରଜେକ୍ଟ ଗାଡି ସାହଯ୍ୟରେ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ କରିବାକୁ ପଠାଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ବନ୍ୟ ବିଭାଗ ଅଧିକାରୀ ଗୋପୀନାଥ ସାହୁଙ୍କୁ ଭାଲୁ ଚଳପ୍ରଚଳ କରିବା ଓ ଗ୍ରାମବାସୀ ଭୟଭୀତ ରହିଥିବା ଅଭିଯୋଗ କରିଛନ୍ତି। ହେଲେ ବନ ବିଭାଗୀୟ ଅଧିକାରୀଙ୍କ ପାଖରେ ଏହି ବିଷୟରେ କୌଣସି ସୂଚନା ନ ଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ବନ ବିଭାଗ ଭାଲୁର ଗତିବିଧି ଲକ୍ଷ୍ୟ କରି ସ୍ଥାନାନ୍ତର କରିବାକୁ ଚେଷ୍ଟା କରିବ ବୋଲି ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *