ଫୋକସ ପ୍ଲସ (ବ୍ୟୁରୋ)୨୦/୦୭/୨୦୨୨: ପୁଣ୍ୟତୋୟା ପ୍ରାଚୀ ରାଜ୍ୟ ର ଏକ ପୁରାତନ ନଦୀ। ଏହାରି ଦୁଇ କୂଳରେ ରହିଛି ଶତାଧିକ ପୁରାତନ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର। ତା ମଧ୍ୟରୁ ନିଆଳି ବ୍ଳକ ମାଧବ ଗ୍ରାମ ରେ ରହିଛି ଶ୍ରୀ ମାଧବାନନ୍ଦ ଜିୟୁ ମନ୍ଦିର। ଏହି ମନ୍ଦିର ଟି ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ଲୋକ ମୁଖରେ ପ୍ରସିଦ୍ଧି ଲାଭ କରିଛି। ଗବେଷକ ମାନଙ୍କ ମତରେ ଉକ୍ତ ମନ୍ଦିର ଟିକୁ ଦ୍ୱାଦଶ ଶତାବ୍ଦୀ ରେ ଗଜପତି ଦ୍ୱିତୀୟ ଅନଙ୍ଗଭିମଦେବ ନିର୍ମାଣ କରିଥିଲେ। ତେବେ ମନ୍ଦିର ନିର୍ମାଣ ଓ ମାଧବ ମୂର୍ତ୍ତି ସ୍ଥାପନା ସମ୍ପର୍କ ରେ ରହିଛି ଏକ ସୁନ୍ଦର କିମ୍ୱଦନ୍ତୀ। ପାଣ୍ଡବ ପାଞ୍ଚ ଭାଇ ବନବାସ ସମୟରେ ଲୋମଶ ୠଷି ଙ୍କ ଠାରୁ ପ୍ରାଚୀ ନଦୀ ର ମାହାତ୍ମ୍ୟ ସମ୍ପର୍କ ରେ ଜାଣି ସେମାନେ ଆସି ପ୍ରାଚୀ ନଦୀ କୂଳରେ ପହଂଚିଥିଲେ। ପ୍ରତିଦିନ ପ୍ରାତଃ ରେ ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଟିର ଶ୍ରୀ ନାରାୟଣ ଙ୍କୁ ପୂଜା କରିବାପରେ ଭୋଜନ ଗ୍ରହଣ କରୁଥିଲେ। ଏଠି କେଉଁଠି ନାରାୟଣ ବିଷ୍ଣୁ ମିଳିବେ ସେ ନକୁଳ ଙ୍କୁ ପଚାରିବାରେ ଏକ ପୋଖରୀ (ଆହାର ପୋଖରୀ) ଭିତରେ ଗୋଟିଏ ଅସୁର ସୁନ୍ଦର ନାରାୟଣ ବିଷ୍ଣୁମୂର୍ତ୍ତି ଟିଏ ଲୁଚାଇ ରଖିଥିବା କହିଥିଲେ। ଯୁଧିଷ୍ଠିର ଉକ୍ତ ପୋଖରୀ ମଧ୍ୟରୁ ନାରାୟଣ ବିଷ୍ଣୁ ମୂର୍ତ୍ତି ଙ୍କୁ ଉଦ୍ଧାର କରି ଆଣିବାକୁ ମଧ୍ୟମ ପାଣ୍ଡବ ଭୀମ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭୀମ ଅସୁର ସହିତ ଯୁଦ୍ଧ କରି ତାକୁ ବଦ୍ଧ କରିବା ସହିତ ଉକ୍ତ ନାରାୟଣ ବିଷ୍ଣୁମୂର୍ତ୍ତି ଙ୍କୁ ଉଦ୍ଧାର କରି ଆଣିଥିଲେ। ଯୁଧିଷ୍ଠିର ଉକ୍ତ ମୂର୍ତ୍ତି ଙ୍କୁ ସେଠାରେ ସ୍ଥାପନା କରି ପୂଜାର୍ଚ୍ଚନା କରିଥିଲେ। ପରବର୍ତୀ ସମୟରେ ଏଠାରେ ମନ୍ଦିର ନିର୍ମାଣ କରାଯାଇ ଥିଲା। ଏଣୁ ଏହି ମାଧବ ମୂର୍ତ୍ତି ଙ୍କୁ ଯୁଧିଷ୍ଠିମାଧବ ବୋଲି ମଧ୍ୟ କୁହାଯାଇଥାଏ। ମାଧବ ମୂର୍ତ୍ତି ଙ୍କୁ ଯୁଧିଷ୍ଟିର ମାଘ ମାସ ଶୁକ୍ଳ ଏକାଦଶୀ ତିଥି ରେ ସ୍ଥାପନା କରିଥିବାରୁ ଏହି ଦିନ ଠାକୁର ଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଭୀମ ଙ୍କ ଦ୍ବାରା ନିହତ ଅସୁର ବିଷ୍ଣୁ ଭକ୍ତ ଥିବାରୁ ଏହି ଏକାଦଶୀ କୁ ଭୌମ୍ୟ ଏକାଦଶୀ ଭାବେ ପାଳନ କରାଯାଇଥାଏ। ଯୁଧିଷ୍ଠିର ପରେ ମଧ୍ୟପ୍ରଦେଶ ରୁ
ପୁଷ୍ପାଳକ ସେବକମାନଙ୍କୁ ଅଣାଇ ଠାକୁର ଙ୍କ ପୂଜା ନୀତି କରାଇଥିଲେ। ଆଜି ବି ପୁଷ୍ପାଳକ ସେବକମାନେ ପ୍ରଭୁ ମାଧବ ଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି। ଏଠାରେ ପୂଜା ପାଉଥିବା ପ୍ରଭୁ ମାଧବ ଙ୍କ ମୂର୍ତ୍ତି ଅତ୍ୟନ୍ତ ଆକର୍ଷଣୀୟ, କମନୀୟ ଓ ସୋନ୍ଦର୍ଯ୍ୟମୟ ଅଟେ। ଏହି ମୂର୍ତ୍ତୀ କୁ ସ୍ଵୟଂ ବିଶ୍ଵକର୍ମା ନିର୍ମାଣ କରିଥିବା କୁହାଯାଇଥାଏ। ମାଧବ ମନ୍ଦିର ଟି ବି ଶ୍ରୀ ମନ୍ଦିର ପରି ସୁ ଉଚ୍ଚ ଓ ସୂକ୍ଷ୍ମ କାରୁ କାର୍ଯ୍ୟପୂର୍ଣ୍ଣ। ମନ୍ଦିର ଦେହରେ ବିଭିନ୍ନ ଦେବ ଦେବୀ ଙ୍କ ମୂର୍ତ୍ତୀ ଖୋଦିତ ହୋଇଥିବା ବେଳେ ଦଶାବତାର ମୂର୍ତ୍ତୀ ବି ଦେଖିବାକୁ ମିଳେ। ପ୍ରାଚୀ ଉପତ୍ୟକା ସହିତ ଜଗନ୍ନାଥ ସଂସ୍କୃତି ର ରହିଛି ନିବିଡ ସଂପର୍କ। କାହିଁକି ଏହି ମାଧବ ପୀଠ କୁ ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ଭାବେ ଲୋକ ମାନେ ବିଶ୍ୱାସ କରନ୍ତି ତାହା ସ୍ପଷ୍ଟ ଜଣାପଡି ନାହିଁ ତେବେ ପ୍ରତିବର୍ଷ ମାଧବ ମନ୍ଦିର ରୁ ଚତୁର୍ଦ୍ଧାବିଗ୍ରହ ଙ୍କ ପାଇଁ ପୋଢୁଁଆ ଅଷ୍ଟମୀ ତିଥିରେ ଫଳ ମୂଳ ସାଙ୍ଗକୁ ନୂଆ ପାଟବସ୍ତ୍ର ପଠାଯାଇଥାଏ। ଏହି ଘଟଣା ଏବେ ଗବେଷଣା ସାପେକ୍ଷ। କିନ୍ତୁ ସ୍ଥାନୀୟ ପ୍ରାଚୀ ଉପତ୍ୟକା ର ଅଧିବାସୀ ମାନେ ମାଧବ ମନ୍ଦିର କୁ
ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ମନେ କରି ଆସୁଛନ୍ତି ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥ ଙ୍କ ସେବକ ଇପିସିତ୍ ପଢ଼ିଆରି। ଶ୍ରୀ ମନ୍ଦିର ପରି ଏଠାରେ ବାର ମାସ ରେ ତେର ପର୍ବ ପର୍ବାଣୀ ପାଳିତ ହୋଇଥାଏ। ତା ମଧ୍ୟରୁ ଠାକୁର ଙ୍କ ଜନ୍ମ ଉତ୍ସବ ଭୌମ୍ୟ ଏକାଦଶୀ, ଝୁଲଣ ଉତ୍ସବ, ଦୋଳ ଯାତ୍ରା, ଜନ୍ମାଷ୍ଟମୀ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ। ଆଉ ଏକ ବିଶେଷତ୍ଵ ରହିଛି ଏହି ମନ୍ଦିର ରେ। ଭକ୍ତ ଆଉ ଭଗବାନ ଏକ ଓ ଅଭିନ୍ନ ତାହା ଏହି ମନ୍ଦିର ରେ ରହିଥିବା ପୂଜା ନୀତି ସ୍ପଷ୍ଟ ଜଣାଇ ଦେଇଥାଏ। ପ୍ରାଚୀ ଉପତ୍ୟକା ର କୌଣସି ପରିବାର ରେ ମାମୁଁ ଭଣଜା କଦଳୀ (କଦଳୀ କାନ୍ଦି ରେ ପୃଥକ ପୃଥକ ଦୁଇଟି ଥାକ ରେ) ଫଳିଲେ ତାକୁ ନ ଖାଇ, ବିକ୍ରୀ ନ କରି ଏହି ମନ୍ଦିର କୁ ଅଣାଯାଏ ଓ
ପ୍ରଭୂ ମାଧବ ଙ୍କ ପରିବର୍ତ୍ତେ ତାଙ୍କ ବାହାନ, ଶ୍ରେଷ୍ଠ ଶିଷ୍ୟ ଗରୁଡ଼ ଙ୍କୁ ସମର୍ପଣ କରାଯାଇଥାଏ। ଏହି ଅଞ୍ଚଳ ର ବ୍ୟକ୍ତିମାନେ ସର୍ପ ଦଂଶନ ରୁ ରକ୍ଷା ପାଇବା ପାଇଁ ଗରୁଡ଼ ଙ୍କୁ ଗୋସାଇଁ ବୋଲି ସମ୍ବୋଧନ କରି ତାଙ୍କ ନାମ ଜପିଥାନ୍ତି। ଗରୁଡ ଗୋସାଇଁ ଙ୍କ ନାମ ନେଲେ ସର୍ପ ଦଂଶନ ଭୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ସମସ୍ତେ ମାଧବ ଠାକୁର ଙ୍କ ପରିବର୍ତ୍ତେ ଗରୁଡ଼ ଙ୍କୁ ଗୋସାଇଁ ବୋଲି ସମ୍ବୋଧନ କରିଥାନ୍ତି। ଏହା ସୂଚାଇ ଦିଏ ଭକ୍ତ ଗରୁଡ଼ ବି ଏଠାରେ
ଭକ୍ତ ମାନଙ୍କ ଦ୍ବାରା ଠାକୁର ଭାବେ ପୂଜା ପାଇଥାନ୍ତି। ଏଣୁ ମାଧବ ଠାକୁର ଓ ତାଙ୍କ ବାହାନ ଗରୁଡ଼ ଉଭୟ ଠାକୁର ଭାବେ ପୂଜା ପାଉଥିବାରୁ ଭକ୍ତ ଓ ଭଗବାନ ଏକ ବୋଲି
ବିଶ୍ୱାସ କରାଯାଏ। ଗବେଷକ ଡ଼ଃ ନବୀନ କୁମାର ସାହୁ ଙ୍କ ମତରେ ,ମାଧବସଂସ୍କୃତି ବା ମାଧବ ବିଗ୍ରହ ପୂଜାଶୈଳୋଭବ ବଂଶୀୟ ରାଜତ୍ଵ ସମୟ ରେ ପ୍ରସାର ଲାଭ କରିଥିଲା।
ଗବେଷକ ଡଃ ବଂଶୀଧର ମହାନ୍ତି ଙ୍କ ମତରେ ,ଚୋଡଗଙ୍ଗ ଦେବ ଙ୍କ ଶାସନ (୧୧୧୨- ୧୧୪୭) ସମୟ ରେ ଚତୁଃର୍ଭୁଜ ବିଷ୍ଣୁ ଙ୍କ ପୂଜା ପ୍ରସାର ଲାଭ କରିବା ସହିତ ରାଜ୍ୟ ର ବିଭିନ୍ନ ସ୍ଥାନରେ ମାଧବ ମନ୍ଦିର ସବୁ ନିର୍ମାଣ ହୋଇଥିଲା। ଗବେଷକ ହଂସନାଥ ସାହୁ ଙ୍କ ମତରେ ପ୍ରାଚୀ ଉପତ୍ୟକା ରେ ପୂଜା ପାଉଥିବା ମାଧବ ମୂର୍ତ୍ତି ସବୁ ୯ମ/୧୦ମ ଶତାବ୍ଦୀ ର କୀର୍ତ୍ତି। ମାଧବ ଗ୍ରାମ ର ମାଧବ ମନ୍ଦିର ପ୍ରାଚୀ ଉପତ୍ୟକା ର ଏକ ଅନନ୍ୟ ଓ ପ୍ରସିଦ୍ଧ ବିଷ୍ଣୁ ମନ୍ଦିର। ଏହି ମନ୍ଦିର ଦେହରେ ଦଶାବତାର ମୂର୍ତ୍ତୀ ଖୋଦିତ ହୋଇଛି। ୯ମ ସ୍ଥାନ ରେ ବୁଦ୍ଧ ଅବତାର ରହି ଥିବାବେଳେ ଶଙ୍ଖ, ଚକ୍ର ଆୟୁଧ ଥିବା ବୁଦ୍ଧ ମୂର୍ତ୍ତି, ଧ୍ୟାନ ମଗ୍ନ ବୁଦ୍ଧ ମୂର୍ତ୍ତି ସବୁ ଦେଖିବାକୁ ମିଳେ ଯାହା ଅନ୍ୟ କୌଣସି ମନ୍ଦିର ରେ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। ପ୍ରାଚୀ ଉପତ୍ୟକାରେ କେନ୍ଦୁବିଲ୍ଵ, ଅଡଶପୁର,
ଚଉରାଶୀ, ନରସିଂହପୁର, ବଲରା,କାକଟପୁର ମଙ୍ଗଳା ମନ୍ଦିର କାନ୍ଥ, ରାମେଶ୍ବର, କାହାଳ, ମୁଦୁଗଲ, ଡ଼ାଳୁଅକଣି ପ୍ରଭୃତି ସ୍ଥାନ ରେ ଦ୍ୱାଦଶ ମାଧବ ପୂଜା ପାଉଛନ୍ତି। ମାଧବ ପୂଜା ପାଉଥିବା ରୁ ଗ୍ରାମ ର ନାମ ମାଧବ ହୋଇଅଛି। ରାଜଧାନୀ ଭୁବନେଶ୍ଵର, କଟକ ରୁ ନଖରା, ନିଆଳି , ପନିମାଳ ଦେଇ, ପୁରୀ ଠାରୁ କୋଣାର୍କ, ଗୋପ, ଚାରିଛକ, ପନିମାଳ ଦେଇ ଏଠାକୁ ବର୍ଷ ସାରା ଯାଇହୁଏ। ଆପଣ ଏଠାକୁ ଗଲେ ନିକଟସ୍ଥ କାକଟପୁର ମଙ୍ଗଳା ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଅସ୍ତରଙ୍ଗ ର ଜାହାନିଁଆ, କୁହୁଡି ଲବଣ ସତ୍ୟାଗ୍ରହ ପୀଠ ବୁଲି ପାରିବା ସହିତ ପ୍ରାଚୀ ନଦୀ କୂଳରେ ଥିବା ଦ୍ୱାଦଶ ଶୈବ ପୀଠ, ଦ୍ୱାଦଶ ଶକ୍ତି ପୀଠ, ଦ୍ୱାଦଶ ମାଧବ ମନ୍ଦିର ବହୁ ପୁରାତନ କୀର୍ତ୍ତିରାଜି ଦେଖି ପାରିବେ।
ବ୍ୟୁରୋ ରିପୋର୍ଟ ଫୋକସ୍ ପ୍ଲସ୍ |