ଫୋକସ ପ୍ଲସ ୨୦/୧/୨୩(ରାୟଗଡ଼ା):(ବିଜୟ କୁମାର ଦାଶ) ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ହେବ ନିୟମଗିରୀ ଡ଼ଙ୍ଗରିଆଙ୍କ ମଧ୍ୟରେ ବିକାଶ କେବଳ ଆଂଶିକ ଭାବେ ପହଂଚି ପାରିଛି | କୋଟି କୋଟି ଟଙ୍କା ବ୍ୟୟ ବରାଦ ସାଙ୍ଗକୁ ମାଳ ମାଳ ଯୋଜନା, ହେଲେ ବି ବିକାଶ ଠାରୁ ବହୁ କୋଷ ଦୂରରେ ନିୟମଗିରୀର ଡ଼ଙ୍ଗରିଆ କନ୍ଧ | ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣାସ୍ଥିତ ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଚାଟିକଣା ଅଧୀନରେ ନିୟମଗିରୀରେ ୬୧ ଟି ଗାଁ, ୬୭୬୫ ଡ଼ଙ୍ଗରିଆ, ୧୬୩୩ ଡ଼ଙ୍ଗରିଆ ପରିବାର, ୨୮୭୯ ଜଣ ପୁରୁଷ,୩୮୭୯ ମହିଳା ଏବଂ ଅଦ୍ୟାବଧି ୨୦୧୨ ରୁ ୨୦୨୧ ମଧ୍ୟରେ ଶହ ଶହ କୋଟି ଟଙ୍କାର ଅନୁଦାନ | ଏମାନଙ୍କ ବିକାଶ ଓ ଜୀବନ ଜୀବିକା ପାଇଁ ଆସିଥିବା ବେଳେ ଡିକେଡିଏ ଚାଟିକଣା ଅନ୍ତର୍ଗତ ନିୟମଗିରୀରେ ବସବାସ କରୁଥିବା ଡ଼ଙ୍ଗରିଆଙ୍କ ମଧ୍ୟରେ ଆଜି ମଧ୍ୟ ୨୪ ଟି ଗ୍ରାମରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନାହିଁ, ୩୯ ଟି ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ୨୦ ଟି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନାହିଁ,ଯେଉଁଥିପାଇଁ ଆଜି ମଧ୍ୟ ନିୟମଗିରୀ ହିଙ୍ଗାବାଡି ର ଡ଼ଙ୍ଗରିଆ ମାନଙ୍କୁ ୬ ଗୋଟି ଅଣ୍ଡା ପାଇଁ ଚାରି କିଲୋମିଟର ଦୁର୍ଗମ ରାସ୍ତା ଅତିକ୍ରମ କରିବାକୁ ପଡୁଛି | ୫୧ ଟି ଗାଁ କୁ ଗତିଶୀଳ ପଥ ନଥିବା ବେଳେ ୧୪ ଟି ଗ୍ରାମ ଅତ୍ୟନ୍ତ ଦୁର୍ଗମ ଏବଂ ଯୋଗାଯୋଗ କ୍ଷେତ୍ରରେ ସବୁ ଠାରୁ ପଛୁଆ ଥିବା ବେଳେ ୨୮ ଟି ଗ୍ରାମର ରାସ୍ତା ସମ୍ପୂର୍ଣ ରୂପେ ଧ୍ୱସ୍ତ ହୋଇଥିବା ସୂଚନା ରହିଛି | 33 ଟି ଗ୍ରାମରେ ପାରମ୍ପରିକ ସମ୍ପ୍ରଦାୟ କେନ୍ଦ୍ର (ଟ୍ରେଡିଶନାଲ କମ୍ୟୁନିଟି ସେଣ୍ଟର ) ନାହିଁ ଯାହା ଫଳରେ 11 ଗୋଟି ଗ୍ରାମରେ ଡ଼ଙ୍ଗରିଆଙ୍କ ପାରମ୍ପରିକ ନାଚ ଓ ଗୀତ ସମ୍ପୂର୍ଣ ରୂପେ ବିଲୁପ୍ତ ହୋଇଯାଇଥିବା ସ୍ଥଳେ ନିୟମଗିରି ର 29 ଖଣ୍ଡ ଗ୍ରାମରେ ପାରମ୍ପରିକ ଡ଼ଙ୍ଗରିଆ ଶଲ ର କାରିଗରୀ ସମ୍ପୂର୍ଣ ରୂପେ ଲୁପ୍ତ ହୋଇଥିବା ଦର୍ଶା ଯାଇଛି ଯାହା ଭିତ୍ତିଭୂମି ବିକାଶ ଦିଗରେ ଜଟିଳ ବ୍ୟବଧାନ ବୋଲି ମଧ୍ୟ କୁହାଯାଉଛି | ଆଜି ମଧ୍ୟ ନିୟମଗିରି ର ଡ଼ଙ୍ଗରିଆ ମାନେ ବଜାର ପାଇଁ ଚାଟିକଣା,ବିଷମକଟକ,ହାଟମୁନିଗୁଡା ଏବଂ ମୁନିଗୁଡା ଉପରେ ନିର୍ଭର କରୁଥିବା ଜଣା ପଡିଛି ଯେଉଁଥିପାଇଁ ତାଙ୍କୁ ୩ କିମି ରୁ 45କିମି ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିବାକୁ ପଡିଥାଏ |ଏଠାକାର 61 ଜନବସତି ମଧ୍ୟ ରୁ 42 ଟି ରାଜସ୍ବ ଗ୍ରାମ ଥିବା ବେଳେ 19ଟି କ୍ଷୁଦ୍ର ଗ୍ରାମ ରହିଛି | ଅନୁରୂପ ଭାବେ ନିୟମଗିରିର 1633 ପରିବାର ମଧ୍ୟରୁ 158 ଜଣଙ୍କ ବାସସ୍ଥଳୀ ନଥିବା,ସମୁଦାୟ 61 ଗାଁ ମଧ୍ୟରୁ 22ଟି ସୌରଚାଳିତ, 9ଟି ଗାଁ ପାଇଁ ସ୍ୱଚ୍ଛ ପାନୀୟ ବ୍ୟବସ୍ଥା ନଥିବା,10ଟି ଗ୍ରାମର କୌଣସି ରାଜସ୍ବ ଭୂମି ନଥିବା,ଚାରୋଟି ଡ଼ଙ୍ଗରିଆ କନ୍ଧ ଗ୍ରାମ ବାସୀଙ୍କୁ ଜଙ୍ଗଲ ଅଧିକାର ଆଇନ ଅଧୀନରେ କୌଣସି ଜମି ର ମାଲିକାନା ପ୍ରାପ୍ତ ହୋଇନଥିବା,ଚାଷ ଉପଯୋଗୀ 37ଟି ଗ୍ରାମର ଜମିକୁ ଜଳ ସେଚନ ବ୍ୟବସ୍ଥା କରାଯାଇନଥିବା ସୂଚନା ରହିଛି | ଡ଼ଙ୍ଗରିଆଙ୍କ ମଧ୍ୟରେ, ନିରକ୍ଷରତା ହାର 67% ରହିଥିବା ବେଳେ ପୁରୁଷଙ୍କ ମଧ୍ୟରେ ସ୍ଵାକ୍ଷରତା 48.31%,ସ୍ତ୍ରୀଙ୍କ ମଧ୍ୟରେ ସ୍ଵାକ୍ଷରତା ହାର ମାତ୍ର 21.46%, ଏବଂ ମୋଟ 1633 ପରିବାର ମଧ୍ୟରେ 490 ଟି ପରିବାର ସ୍ତ୍ରୀ ପ୍ରଧାନ ଅଟନ୍ତି ଅର୍ଥାତ ମହିଳାଙ୍କ ଦ୍ୱାରା ପରିଚାଳିତ ଥିବା ଜଣା ପଡିଛି | ଏଭଳି କ୍ଷେତ୍ର ରେ ସମୁଦାୟଙ୍କ ମଧ୍ୟରେ ମହିଳା ସ୍ଵାକ୍ଷରତା ର ଗୁରୁତ୍ୱ କେତେ ଅଧିକ ଓ ସଂସ୍ଥା କେତେ ସଫଳତା ହାସଲ କରିଛି ତାହା ବୁଝିବା କଷ୍ଟକର ନୁହେଁ |ଅନୁରୂପ ଭାବେ ନିୟମଗିରି ର 1633 ପରିବାର ମଧ୍ୟରୁ 158 ଜଣଙ୍କ ବାସସ୍ଥଳୀ ନଥିବା ଆଇଟିଡିଏ, ଡିକେଡିଏ ଓପିଲିପି ବିଭାଗ ର କାର୍ଯ୍ୟଶୈଳୀ ଏବଂ ଡ଼ଙ୍ଗରିଆଙ୍କ ପ୍ରତି ଥିବା ଆନ୍ତରିକତାକୁ ଦର୍ଶାଉଛି |ଏମାନଙ୍କ ବିକାଶ ପାଇଁ ଖୋଦ ଅନୁସୂଚିତ ଜାତି ଜନଜାତି ମନ୍ତ୍ରଣାଳୟ, ସମ୍ୱନ୍ୱିତ ଆଦିବାସୀ ବିକାଶ ବିଭାଗ, ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଓପିଲିପି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଥାଇ ମଧ୍ୟ ବିକାଶ ଠାରୁ ବହୁ ଦୂରରେ ନିୟମଗିରୀର ଡ଼ଙ୍ଗରିଆ କନ୍ଧ | ଡ଼ଙ୍ଗରିଆଙ୍କ ପାଇଁ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ଗୁଡିକୁ ବିକାଶ ନାଁ ରେ ଆଇଟିଡିଏ, ଡିକେଡିଏ ଆତ୍ମସାତ କରୁଥିବା ବାରମ୍ବାର ଅଭିଯୋଗ ହେଉଛି | ପାଣି ଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡ଼ଙ୍ଗରିଆ ଙ୍କ ବିକାଶ ପାଇଁ ଟଙ୍କା ଅନୁଦାନ ସ୍ୱରୂପ ଖର୍ଚ୍ଚ କରୁଥିଲେ ହେଁ ତୃଣ ମୂଳ ସ୍ତରରେ ଆଇଟିଡିଏ ଏବଂ ଡିକେଡିଏ ସଂସ୍ଥା ର ଅପାରଗତା ଯୋଗୁଁ ଏହି ପାଣ୍ଠି ଗୁଡିକର ବ୍ୟାପକ ଅନିୟମିତତା ହୋଇଥିବା ବିଷମକଟକ ବିଧାୟକ ପ୍ରାର୍ଥୀ ନୀଳ ମାଧବ ହିକକା ପ୍ରକାଶ କରିଛନ୍ତି | ଏ ନେଇ ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ କୌଣସି ପ୍ରତିକ୍ରିୟା ଦେବା ପାଇଁ ରାଜି ହୋଇନଥିବା ବେଳେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଡ଼ଙ୍ଗରିଆ କନ୍ଧ ବିକାଶ ପାଇଁ ଆସିଥିବା ସମସ୍ତ କେନ୍ଦ୍ରୀୟ ଅନୁଦାନ ର ତଦନ୍ତ ଦାବି କରିଛନ୍ତି |ବିଶେଷ ସୂତ୍ରରୁ ମିଳିଥିବା ସୂଚନାଅନୁସାରେ 2012 ରୁ 2015 ମଧ୍ୟରେ ଡିକେଡିଏ ଚାଟିକଣା ସଂସ୍ଥାକୁ ମୋଟ 579.40 ଲକ୍ଷ୍ୟ ଟଙ୍କାର ଅନୁଦାନ ଆସିଛି | ସେହିପରି ଅନୁସୂଚିତ ଜାତି ଜନଜାତି ବିଭାଗ ତରଫରୁ ଜାରି ହୋଇଥିବା ବାର୍ଷିକ ରିପୋର୍ଟ ଆଧାର ରେ ରାୟଗଡା ଜିଲ୍ଲାର ଦୁଇ ଗୋଟି ଆଇଟିଡିଏ ସଂସ୍ଥା ଯଥା ଆଇଟିଡିଏ ରାୟଗଡା ଏବଂ ଗୁଣୁପୁରକୁ ସ୍ପେସିଆଲ ସେଣ୍ଟ୍ରାଲ ଆସିଷ୍ଟାନ୍ସ ଟୁ ଟ୍ରାଇବଲ ସବ-ସ୍କିମ ଏବଂ କେନ୍ଦ୍ରୀୟ ଅନୁଦାନ 275(1) ପାଣ୍ଠି ବାବଦରେ ମୋଟ 5355.11 ଲକ୍ଷ୍ୟ ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଥିବା ବେଳେ ଡିକେଡିଏ ର ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାରେ ପ୍ରଦତ୍ତ ତଥ୍ୟ ଆଧାର ରେ ଅନୁସୂଚିତ ଜାତି ଜନଜାତି ବିଭାଗ 2016 ରୁ 2021 ମସିହା ପାଇଁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ କୁ ଡ଼ଙ୍ଗରିଆ କନ୍ଧଙ୍କ ବିକାଶ ପାଇଁ ଆଗାମୀ ପଞ୍ଚ ବାର୍ଷିକ ସମ୍ୱନ୍ୱିତ ସଂରକ୍ଷଣ ଏବଂ ବିକାଶ ନିମନ୍ତେ ପ୍ରାଥମିକତା ଆଧାର ମୋଟ 6751.76 ଲକ୍ଷ୍ୟ ଟଙ୍କା ର ଆବଶ୍ୟକତା ରହିଥିବା ଦର୍ଶାଇଥିବା ଜଣାପଡିଛି | ତେବେ ଡ଼ଙ୍ଗରିଆଙ୍କ ବିକାଶ ପାଇଁ ଆସୁଥିବା ଯଥେଷ୍ଟ ପରିମାଣରେ କେନ୍ଦ୍ର ତରଫରୁ ଅନୁଦାନ ପାଣ୍ଠି ଗୁଡିକ ର ବ୍ୟାପକ ଅନିୟମିତତା କୁ ନେଇ ଆଇଟିଡିଏ ସଂସ୍ଥା ଓ ଏହାର କାର୍ଯ୍ୟଶୈଳୀ ଉପରେ ଅନେକ ଥର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ହେଁ ଅଦ୍ୟାବଧି ସ୍ଥିତି ସମାନ ରହିଥିବା ଅଭିଯୋଗ ହେଉଛି |ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦଶନ୍ଧି ଦଶନ୍ଧି ଧରି ଡ଼ଙ୍ଗରିଆ କନ୍ଧ ତଥା ଅନୁସୂଚିତ ଜାତି ଜନଜାତି ସମୁଦାୟ ର ସ୍ଥାୟୀ ବିକାଶ, ଅର୍ଥନୈତିକ ଅଭିବୃଦ୍ଧି, ଶିକ୍ଷା, ସ୍ଵାକ୍ଷରତା, ସ୍ୱାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, ଜୀବନଜୀବିକା କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରୁଥିବା କୁହାଯାଉଛି ସତ କିନ୍ତୁ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାରେ ସରକାର କେବଳ ଆଂଶିକ ଭାବେ ସଫଳତା ହାସଲ କରିପାରିଛନ୍ତି | ଅନେକ କ୍ଷେତ୍ରରେ ସେମାନଙ୍କ ନିମନ୍ତେ ଉଦିଷ୍ଟ ଯୋଜନାର ବାଟମାରଣା ମଧ୍ୟ ଦେଖିବାକୁ ମିଳିଛି | ତେବେ ଶିକ୍ଷା, ସୂଚନା ଏବଂ ସଚେତନତାର ଅଭାବ ଯୋଗୁଁ ନିରୀହ ଡ଼ଙ୍ଗରିଆ, ଆଦିବାସୀ ମାନେ ଦୀର୍ଘ ସମୟ ହେବ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ରହି ଆସୁଛନ୍ତି |