ସୁଡ଼ଙ୍ଗ ଭିତରୁ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର ନେତୃତ୍ବ ନେଇଥିବା ବିଦେଶୀ କିଏ ଜାଣନ୍ତୁ

ନୂଆଦିଲ୍ଲୀ: ଦୀପାବଳି ଦିନ ସକାଳେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଥିଲା । ଏହି ଦୁର୍ଘଟଣାର ଶିକାର ହୋଇଥିବା ୪୧ଜଣ ଶ୍ରମିକ ଆଜି ପର୍ଯ୍ୟନ୍ତ ବି ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି।  ଉକ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳିନଭିତ୍ତିରେ କାମ ଚାଲିଛି। ଗତକାଲି ସୁଡ଼ଙ୍ଗ-ପଥ ମଧ୍ୟରେ ଖନନ ଚାଲିଥିବା ବ‌େଳେ ଆମେରିକୀୟ ‘ଅଗର୍‌’ ମେସିନ୍‌ ପୁଣି ବୈଷୟିକ ଅସୁବିଧାରେ ପଡ଼ିଯିବାରୁ କାମ ବନ୍ଦ ରହିଥିଲା। ଉକ୍ତ ‘ଡ୍ରିଲିଙ୍ଗ୍‌ ମେସିନ୍‌’ର ‘ପ୍ଲାଟ୍‌ଫର୍ମ’ ଫାଟି ଯିବାରୁ ସାମୟିକ ଭାବେ ଭୂ-ଖନନ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମରାମତି କରାଯିବା ପରେ ପୁଣି ସୁଡ଼ଙ୍ଗ ଭିତରେ ଖନନ ଆରମ୍ଭ ହୋଇଛି। ଶ୍ରମିକଙ୍କୁ ସୁଡ଼ଙ୍ଗ ଭିତରୁ ଉଦ୍ଧାର ପାଇଁ ପାଞ୍ଚ ଓଏନଜିସି, ଏସଜେବିଏନଏଲ, ଆରବିଏନଏଲ, ଏନଏଚଆଇଡିସିଏଲ ଓ ଟିଏଚଡିସିଏଲ କାର୍ଯ୍ୟରେ ନିୟୋଜିତ  ଅଛନ୍ତି। କେବଳ ଏତିକି ନୁହେଁ ବିଦେଶୀ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସଙ୍କୁ ମଧ୍ୟ ଏହି ଉଦ୍ଧାରକାର୍ଯ୍ୟରେ ସାମିଲ ହେବ‌ାକୁ ଡକାଯାଇଛି। ଶ୍ରମିକମାନଙ୍କୁ ବାହାର କରିବା ପାଇଁ ଆର୍ନୋଲ୍ଡ ଡିକ୍ସ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଛନ୍ତି।ଆର୍ନୋଲ୍ଡ ଡିକ୍ସ ଅଷ୍ଟ୍ରେଲିଆର ନାଗରିକ ଏବଂ ସେ ଆନ୍ତର୍ଜାତୀୟ ଟନଲିଙ୍ଗ ଆଣ୍ଡ ଅଣ୍ଡରଗ୍ରାଉଣ୍ଡ ସ୍ପେସ୍ ଆସୋସିଏସନର ସଭାପତି ଅଟନ୍ତି। ଆର୍ନୋଲ୍ଡ ଡିକ୍ସ ସଫଳତାର ସହ ଏହିପରି ଅନେକ ଉଦ୍ଧାର କାର୍ଯ୍ୟ କରିଛନ୍ତି, ତେଣୁ ୪୧ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବାର ଦାୟିତ୍ବ ତାଙ୍କ କାନ୍ଧରେ ଅଛି। ଅନେକ ପ୍ରାକୃତିକ ବିପର୍ଯ୍ୟୟରେ ଆର୍ନୋଲ୍ଡ ଡିକ୍ସ ଏକ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ଏହି କାରଣରୁ ସେ ଏହି ଉଦ୍ଧାର କାର୍ଯ୍ୟକୁ ସଫଳତାର ସହିତ ସମାପ୍ତ କରିବେ ବୋଲି ସମସ୍ତଙ୍କ ଆଶା ରହିଛି। ଅଣ୍ଡରଗ୍ରାଉଣ୍ଡରେ କାମ କରିବାବେଳେ କେଉଁକେଉଁ ସମସ୍ୟା ଉପୁଜିପାରେ, ସମସ୍ୟା ଆସିଲେ ତାହାକୁ କିପରି ଏଡାଇ ହେବ ଏଦିଗ ପ୍ରତି ଆର୍ନୋଲ୍ଡ ଡିକ୍ସ ପ୍ରକଳ୍ପ ସହିତ ଜଡ଼ିତ ଲୋକଙ୍କୁ ବୁଝାଇ ଥାଆନ୍ତି। ସେ ଅଣ୍ଡରଗ୍ରାଉଣ୍ଡ ଟନେଲ ତିଆରି କରିବାରେ ଜଣେ ବିଶେଷଜ୍ଞ ଭାବରେ ସାରା ବିଶ୍ୱରେ ଜଣାଶୁଣା ।

Leave a Reply

Your email address will not be published. Required fields are marked *