ସ୍କୁଲରେ ଆଶ୍ରୟ ନେଇଥିବା ୪୦୦ ଶରଣାର୍ଥୀଙ୍କ ଉପରେ ଋଷ ବୋମା ବର୍ଷା ନେଇ ୟୁକ୍ରେନର ଅଭିଯୋଗ I

ୟୁକ୍ରେନର ପୋର୍ଟସିଟି ମାରିଓପୋଲରେ ଏକ ସ୍କୁଲରେ ଋଷ ସେନାର ଆକ୍ରମଣ ଅଭିଯୋଗ ଆସିଛି । ଉକ୍ତ ସ୍କୁଲରେ ପ୍ରାୟ ୪ଶହରୁ ଉର୍ଦ୍ଧ୍ବ ଶରଣାର୍ଥୀ ଆଶ୍ରୟ ନେଇଥିବା ଦାବି କାଲା ୟୁକ୍ରେନ । ହେଲେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ମୃତାହତଙ୍କ ସଂଖ୍ୟା ।

ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ସାଧାରଣ ଲୋକେ ସହରରୁ ପଳାୟନ କରି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଉଥିବାବେଳେ ସେଠାରେ ମଧ୍ୟ ଆକ୍ରମଣରୁ ବର୍ତ୍ତିନାହାନ୍ତି । ଆଜି ୟୁକ୍ରେନର ପୋର୍ଟସିଟି ମାରିଓପୋଲରେ ଥିବା ଏକ ସ୍କୁଲରେ ଋଷ ସେନା ଆକ୍ରମଣ କରିଥିବା ଅଭିଯୋଗ କରିଛି ୟୁକ୍ରେନ । ଉକ୍ତ ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା ଏବଂ ସେଠାରେ ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ଶରଣାର୍ଥୀ ଥିବା ନେଇ ମଧ୍ୟ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏହା ଋଷ ଦ୍ବାରା ଯୁଦ୍ଧ ଅପରାଧ ବୋଲି କହି ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

ତେବେ ମିଳିଥିବା ସୂଚନା ଅନୁସାରେ ଉକ୍ତ ସ୍କୁଲଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଠାରେ ଥିବା ଶରଣାର୍ଥୀଙ୍କ ମୃତାହତ ନେଇ ସୂଚନା ମିଳିପାରିନାହିଁ । ଗତ ଦୁଇ ଦିନ ତଳେ ମଧ୍ୟ ସମାନ ଅଭିଯୋଗ କରିଥିଲା ୟୁକ୍ରେନ । ମାରିଓପୋଲର ଏକ ଥିଏଟରରରେ ଶରଣାର୍ଥୀ ଆଶ୍ରୟ ନେଇଥିବା ବେଳେ ସେଠାରେ ଋଷ ପକ୍ଷରୁ ବୋମାବର୍ଷଣ ହୋଇଥିଲା । ଏଥିରେ ଏକାଧିକ ସାଧାରଣ ଜନତା ମଧ୍ୟ ପ୍ରାଣ ହରାଇଥିବା ସ୍ଥାନୀୟ ପ୍ରଶାସନ କହିଥିଲା ।

ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ ଋଷ ସେନାର ଏପରି ଆକ୍ରମଣକୁ ଓ୍ବାର କ୍ରାଇମ ବୋଲି ଅବିହିତ କରିବା ସହ ମାନବାଧିକାରର ହତ୍ୟା ବୋଲି କହିଛନ୍ତି । ଗତ ୩ ସପ୍ତାହ ମଧ୍ୟରେ ଋଷ ଫୋର୍ସ ସାଧାରଣ ପ୍ରତିଷ୍ଠାନ ଓ ଜନତାଙ୍କୁ ହତ୍ୟା କରିବାରେ ଲାଗିଛି ବୋଲି କହିଥିଲେ ଜେଲେନସ୍କି । ଅନ୍ୟପଟେ ଋଷ କୌଣସି ଅଣସାମରିକ ପ୍ରତିଷ୍ଠାନ ତଥା ସାଧାରଣ ଜନତାଙ୍କୁ ଟାର୍ଗେଟ କରାଯାଉନାହିଁ ବୋଲି କହିବା ସହ ଯୁଦ୍ଧା ଜାରି ରଖିଛି । ଜାତିସଂଘ ସମତେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଋଷକୁ କହିସାରି ଥିବାବେଳେ ସମସ୍ତ ଅନ୍ତର୍ଜାତୀୟ ନିର୍ଦ୍ଦେଶକୁ ଭ୍ରୁକ୍ଷେପ ନକରି ଯୁଦ୍ଧ ଜାରି ରଖିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ ।

Leave a Reply

Your email address will not be published. Required fields are marked *