ସ୍ତ୍ରୀ ମାନ୍ୟତା ପାଇଁ ସ୍ଵାମୀଙ୍କ ଘର ସାମ୍ନାରେ ଧାରଣାରେ ପତ୍ନୀ ।

ଫୋକସ ପ୍ଲସ 14/12/2022(ଅନୁଗୁଳ): ଅଧିକାର ପାଇଁ ସ୍ୱାମୀ ଘର ଦୁଆରେ ଧାରଣାରେ ବସିଛି ସ୍ତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ପଞ୍ଚାୟତର ସାମନ୍ତ ସାହିରେ। ସାମନ୍ତ ସାହିର ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କ ଘର ସମ୍ମୁଖରେ ସ୍ତ୍ରୀ ଜୋସ୍ନା ସାହୁ ବୟସ (୨୨) ଧାରଣାରେ ବସିଛନ୍ତି।ଜୋସ୍ନା ସାହୁଙ୍କ ଅଭିଯୋଗ ଅନୁସାରେ ସେ ଓ ମାନସ ବାରିକ ପରସ୍ପରକୁ ଭଲ ପାଉଥିଲେ। ସେମାନେ କୋର୍ଟରେ ବିବାହ ମଧ୍ୟ କରିଥିଲେ। ବିବାହ ପରେ ଉଭୟେ କିଛି ଦିନ ଭଡ଼ା ଘରେ ରହିଲେ। ତା’ ପରେ ମାନସ ଜୋସ୍ନାଙ୍କୁ ଭଡା ଘରେ ଛାଡ଼ି ଚାଲିଯାଇଥିଲେ। ଜୋସ୍ନା ମାନସଙ୍କୁ ଚାରି ଆଡେ ଖୋଜାଖୋଜି କରିଥିଲା। ତା ପରେ ଅନୁଗୁଳ ଟାଉନ୍ ଥାନାରେ ଜୋସ୍ନା ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଜୋସ୍ନାଙ୍କୁ ଶ୍ୱଶୁର ଘର ଲୋକେ ବୋହୂର ମାନ୍ୟତା ଦେଇ ଘରକୁ ନେଇଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କୁ ମାଡ଼ ମାରି ତଡ଼ି ଦେଇଥିଲେ। ପରେ ଜ୍ୟୋସ୍ନା ପୁଣି ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଥାନାରୁ କୌଣସି ସୁଫଳ ନ ମିଳିବାରୁ ଏବେ ସେ ପୁଣି ଶାଶୁ ଘର ଆଗରେ ଧାରଣା ଦେଇଛନ୍ତି। ତେବେ ଏ ନେଇ ମାନସଙ୍କ ପରିବାର ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave a Reply

Your email address will not be published. Required fields are marked *