ଫୋକସ ପ୍ଲସ (ବ୍ୟୁରୋ)୧୦/୦୭/୨୦୨୨ : ହିଂସାରୁ ଜାତ ପ୍ରତିହିଂସା । ପ୍ରତିହିଂସା ହେଉଛି ହିଂସାର ପ୍ରତିକ୍ରିୟା । ଘୃଣା, ଦ୍ଵେଷ ଓ ଅସହିଷ୍ଣୁତାରୁ ହିଂସାଭାବ ଜାତ ହୁଏ । ପୁଣି ହିଂସାରୁ ପ୍ରତିହିଂସା ଜାତହୁଏ ଏବଂ ଏ ପ୍ରକ୍ରୀୟା ଆଗକୁ ବଢ଼ିଚାଲେ । ଏହା ହଠାତ୍ ସମାପ୍ତ ହୁଏ ନାହିଁ । କ୍ରମେ ସଂକ୍ରମିତ ହୋଇ ଆହୁରି ବଢେ । ସାମାଜିକ ପରିବେଶ ଏପରି ଭାବନାକୁ ମନୁଷ୍ଯର ମନରେ ରୋପିତକରେ । କ୍ରମେ ତାହା ଦାନାବାନ୍ଧେ ଏବଂ ସମସାମୟିକ ପରିସ୍ଥିତି ଏହାକୁ ଆହୁରି ପରିବ୍ଯାପ୍ତ ଓ ପରିପକ୍ବ କରେ । ହିଂସା ଓ ପ୍ରତିହିଂସା ଯେତେବେଳେ ସାମାଜିକ ଚେତନାର ରୂପନିଏ ଏହା ପିଢିପରେ ପିଢି ଉଦଜିବିତ ରହେ । ଏପରି ଭାବନାକୁ ପବନ ଦେବାରେ ପରିବାର, ଜାତି, ଧର୍ମ ଓ କେତେକ କ୍ଷେତ୍ରରେ ଶିକ୍ଷାବ୍ୟବସ୍ଥା ଆଦୌ ଅବହେଳା କରେନାହିଁ । ରାଜନୈତିକ ପରିବେଶ ଯେତେବେଳେ ଏପରି ପରିସ୍ଥିତିରୁ ଫାଇଦା ନେବାକୁ ଚେଷ୍ଟାକରେ ସେତେବେଳେ ଏହା ରାଷ୍ଟ୍ରୀୟ ରୂପରେଖ ଧାରଣକରେ ଏବଂ ରାଷ୍ଟ୍ର ହିଂସାବାଦର ପୃଷ୍ଠପୋଷକ ବନିଯାଏ।
ପ୍ରାରମ୍ଭିକ ଅବସ୍ଥାରେ ଏପରି ପରିସ୍ଥିତି ରାଜନୈତିକ ଫାଇଦା ଦିଏ । ଯେତେବେଳେ ନିୟନ୍ତ୍ରଣ ବାହାରକୁ ଚାଲିଯାଏ ସେତେବେଳେ ଏହା ଭୟଙ୍କର ରୂପ ଧାରଣକରେ । ବାଘ ପିଞ୍ଜରା ଭିତରେ ଥିବା ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଥାଏ । ପିଞ୍ଜରାରୁ ବାହାରିଗଲେ ତାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଏ । ଠିକ୍ ସେହିପରି ନିଜ ସ୍ୱାର୍ଥପାଇଁ ଯେଉଁ ହିଂସାର ମଞ୍ଜି ବୁଣାଯାଏ, ତାହା କ୍ଷୀପ୍ରଭାବେ ବଂଶ ବିସ୍ତାରକରେ ଓ ପର୍ଯ୍ଯାୟକ୍ରମେ ନିୟନ୍ତ୍ରଣ ବାହାରକୁ ଚାଲିଯାଏ । ପୁଣି ଏହାକୁ ନିୟନ୍ତ୍ରିତ କରିବାପାଇଁ କଷ୍ଟସାଧ୍ୟ ଓ ସମୟସାପେକ୍ଷ ହୁଏ ।
ଭାରତବର୍ଷରେ ଧାର୍ମିକ ଓ ଜାତିଗତ ବିଦ୍ବେଷର ମଞ୍ଜି ବହୁପୂର୍ବରୁ ବୁଣାହୋଇଛି । ସ୍ଵାଧୀନତାପରେ ଏହାର ମୂଳୋତ୍ପାଟନ ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏବେ ଏହା ନୂତନ ରୂପରେ ଓ ନୂତନ ଢଙ୍ଗରେ କାୟା ବିସ୍ତାର କରୁଛି । ରାଜନୀତି ଏଦିଗରେ ମୁଖ୍ୟଭୂମିକା ଗ୍ରହଣ କରିଛି । ଶାନ୍ତି, ମୈତ୍ରୀ, ସମାନତା, ମାନବତା, ପ୍ରଗତିଶୀଳତା ପ୍ରଭୃତି ମହନୀୟ ଗୁଣକୁ ଆଧାରକରି ରାଜନୀତି କରିବା ପରିବର୍ତ୍ତେ ହିଂସା-ପ୍ରତିହିଂସା, ଘୃଣା-ଦ୍ଵେଷ, ଭଙ୍ଗା-ରୁଜା, ଗାଳି-ଗୁଲଜ, ରାଗ-ପ୍ରତିଶୋଧର ରାଜନୀତି ଆରମ୍ଭ ହୋଇଛି । ବିକାଶ ପରିବର୍ତ୍ତେ ଧାର୍ମିକ ଉନ୍ମାଦନା ସୃଷ୍ଟିକୁ ମୁଖ୍ୟ ବିଷୟଭାବେ ଗ୍ରହଣ କରାଯାଉଛି । ଧାର୍ମିକ ବିଦ୍ବେଷର ମଞ୍ଜିବୁଣି ଧର୍ମ ଆଧାରରେ ଭୋଟର ଧ୍ରୃବୀକରଣ ପାଇଁ ପ୍ରୟାସ ହେଉଛି । ହିନ୍ଦୁ ଭୋଟର ଏକତ୍ରୀକରଣ, ମୁସଲମାନ ଭୋଟର ଏକତ୍ରୀକରଣ, ଶିଖ୍ ଭୋଟର ଏକିତ୍ରିକରଣ, ଲିଙ୍ଗାୟତ୍ ଭୋଟର ଏକତ୍ରୀକରଣ ପାଇଁ ଚେଷ୍ଟା ହେଉଛି । ଏଥିପାଇଁ ଧାର୍ମିକ ବିଦ୍ୱେଷ ବିଷୟ ଖୋଜା ହେଉଛି ଓ ଲୋକଙ୍କ ମଧ୍ୟରେ ବଣ୍ଟା ହେଉଛି । ଧାର୍ମିକ ମଞ୍ଚରୁ ଗୋଟିଏ ଧର୍ମର ବଡବଡ଼ିଆମାନେ ଅନ୍ୟ ଧର୍ମର ଲୋକଙ୍କୁ ଗାଳି ଦେଉଛନ୍ତି । ରାଜନୈତିକ ମଞ୍ଚରୁ ମଧ୍ୟ ଧର୍ମ ଭିତ୍ତିରେ ଗାଳିଗୁଲଜ ହେଉଛି । ସମାଜରେ, ପରିବାରରେ, ଚା ଖଟିରେବି ଧାର୍ମିକ ଓ ଜାତିଗତ ବିଦ୍ଵେଷ ସୃଷ୍ଟି କରାଯାଉଛି । ଶିଶୁଟି ଜନ୍ମରୁ ଭିନ୍ନଧର୍ମ ଓ ଜାତିପ୍ରତି ଧାର୍ମିକ ଓ ଜାତିଗତ ଘୃଣା ଶୁଣି ଶୁଣି ବଢୁଛି ।
ଧର୍ମଭିତ୍ତିକ ରାଜନୈତିକ ଦଳ ଓ ଧାର୍ମିକ କଟ୍ଟରବାଦୀ ସଂଗଠନ ଯୋଗୁଁ ଧାର୍ମିକ ମୌଳବାଦ ବଢୁଛି । ଧର୍ମ ଆଧାରରେ ମୋବ୍ ଲିନଚିଂ ହେଉଛି । ଜାତି ଆଧାରରେ ଦଳିତମାନକୁ ନିର୍ଯ୍ୟାତନା ଦିଆଯାଉଛି । ତାଙ୍କୁ ହତ୍ୟା ମଧ୍ୟ କରାଯାଉଛି । ଯେଉଁଠାରେ ହିଂସା ଅଛି ସେଠାରେ ପ୍ରତିହିଂସା ମଧ୍ୟ ଅଛି । ନିଉଟନଙ୍କ ନିୟମ ଅନୁସାରେ ପ୍ରତ୍ୟେକ କ୍ରିୟାର ସମାନ ପ୍ରତିକ୍ରିୟା ରହିଛି । ତୁମେ ଯଦି ହିଂସା କରୁଛ ତେବେ ତୁମକୁ ପ୍ରତିହିଂସାର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ରହିବାକୁ ହେବ । ଏବେ ଦେଶରେ ଯେଉଁ ଧାର୍ମିକ ହିଂସା ଅନୁଷ୍ଠିତ ହେଉଛି ତାହାର ସୃଷ୍ଟି ତତକ୍ଷଣାତ ନୁହେଁ । ଏହା ଦୀର୍ଘ ମାନସିକତାର ପ୍ରତିଫଳନ । ଧର୍ମ ଓ ଜାତିକୁ ନେଇ ଯେଉଁ ହିଂସାତ୍ମକ ଚେତନା ସମାଜରେ ଘୁରିବୁଲୁଛି, ତାହା ବେଳେବେଳେ କର୍ମରେ ପ୍ରକାଶିତ ହୁଏ । ଫଳରେ ହତ୍ୟା, ଗଣହତ୍ୟା, ମୋବ୍ ଲିନଚିଂ, ସାମ୍ପ୍ରଦାୟିକ ଦଙ୍ଗା, ଧର୍ମାନୁଷ୍ଠାନ ପୋଡ଼ାଜଳା, ଧର୍ମ ଓ ଜାତିକୁ ନେଇ ଗାଳିଗୁଲଜ ଇତ୍ୟାଦି ସମ୍ମୁଖକୁ ଆସୁଛି । ନିକଟରେ ରାଜସ୍ଥାନର ଉଦୟପୁରରେ ହୋଇଥିବା ଜଘନ୍ଯ ହତ୍ୟା ମଧ୍ୟ ଏହାର ପ୍ରତିଫଳନ । ଦୁଇଜଣ ଭିନ୍ନ ସମ୍ପ୍ରଦାୟର ଯୁବକ ନନ୍ଦଲାଲକୁ ହତ୍ୟା କରିବା, ନନ୍ଦଲାଲ ନୂପୁର ଶର୍ମାର ସପକ୍ଷରେ ସାମାଜିକ ଗଣମାଧ୍ୟମରେ ଲେଖିବା, ନୂପୁର ଶର୍ମା ଦୂରଦର୍ଶନ ଆଲୋଚନାରେ ଇସଲାମ୍ ଧର୍ମଗୁରୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା, ସେ କୋଉଠୁ ନା କୋଉଠୁ ଏ ବିଷୟରେ ଶିକ୍ଷାଲାଭ କରିବା, ପ୍ରତିପକ୍ଷ ମଧ୍ଯ ତାଙ୍କୁ ଉସୁକାଇବା, ସାମାଜିକ ପ୍ରତିକ୍ରିୟାକୁ ସେମାନେ ଦୂରଦର୍ଶନରେ ରଖିବା ଇତ୍ୟାଦି ସମସ୍ତ ବିଷୟ ଗୋଟିଏ ଲମ୍ବା ଶିକୁଳିର ଗୋଟିଏ ଗୋଟିଏ କଡି ମାତ୍ର ।
ଏ ସମସ୍ତ ପାଇଁ କାହାକୁ ଦାୟୀ କରାଯିବା ଉଚିତ୍ ? ଯିଏ ପରଦାର ସମ୍ମୁଖରେ ହିଂସା ପ୍ରଦର୍ଶନ କରୁଛି ସିଏ ନା ଯିଏ ଏଥିପାଇଁ ସମାଜରେ ବିଷମଞ୍ଜି ବୁଣିଆସିଛି ସିଏ ? ପ୍ରକୃତପକ୍ଷେ ଉଭୟେ ଦାୟୀ । ଯେଉଁ ରାଜନୈତିକ ଦଳ ଓ ସଂଗଠନଗୁଡିକ ଏହି ମାନସିକତାର ପୃଷ୍ଠପୋଷକତା କରିଆସିଛନ୍ତି ସେମାନେ ଅଧିକ ମାତ୍ରାରେ ଦାୟୀ । ଯେଉଁ ଗଣମାଧ୍ୟମଗୁଡିକ ବିଶେଷକରି ଦୂରଦର୍ଶନ ଚାନେଲଗୁଡିକ ଦିନରାତି ଘୃଣାର ମଞ୍ଜି ବୁଣି ଚାଲିଛନ୍ତି ସେମାନେ ମଧ୍ଯ ଖସିଯାଇ ପାରିବେ ନାହିଁ ।
ମନେ ରଖିବାକୁ ହେବ ଯେ ଗଣତନ୍ତ୍ରରେ ହିଂସାର ବିଜୟ ଅସମ୍ଭବ । କାରଣ ଗୋଟିଏ ହିଂସା ଆଉ ଗୋଟିଏ ହିଂସାକୁ ଜନ୍ମଦେବ । ଇତିହାସ ହେଉଛି ମୂକସାକ୍ଷୀ ଯେ ହିଂସା ସୃଷ୍ଟିକାରୀ ଦିନେ ନିଜେ ହିଂସାର ଶୀକାର ହୁଏ । ରାଜନୈତିକ ଲାଭପାଇଁ ଧାର୍ମିକ ବିଦ୍ବେଷର ଯେଉଁ ସାହାରା ନିଆଯାଉଛି ତାହା ଦିନେ ବୁମେରାଂ ହେବ । କାରଣ ବିଦ୍ୱେଷ ବିଭିନ୍ନ ରୂପରେ ତିଆରି ହେବ । ଯିଏ ବିଦ୍ଵେଷ ବାଣ୍ଟୁଛି ତା ବିରୁଦ୍ଧରେ ବି କାଲି ବିଦ୍ୱେଷ ତିଆରି ହେବ । ଏହା ଛଡା ନିଜର ଫାଇଦାପାଇଁ ଯେଉଁ ଭିଡତନ୍ତ୍ର ତିଆରି କରାଯାଉଛି ହିଂସାପାଇଁ, ଦିନ ଆସିବ ସେହି ଭିଡ ନିୟନ୍ତ୍ରଣର ବାହାରକୁ ଚାଲିଯିବ । ସେତେବେଳେ ଏଇମାନେହିଁ ଭଷ୍ମାସୁର ବନିଯିବେ । ଏହି ଅବସ୍ଥା ଆସିଲା ବେଳକୁ ଦେଶରେ ଅରାଜକତା ଚରମସୀମାରେ ପହଞ୍ଚି ସାରିଥିବ ।