୧୧ଶ ସାତକୋଶିଆ ମହୋତ୍ସବ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଅନୁଗୁଳ ର ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟନୀଳୟ ଆନୁକୁଲ୍ୟରେ ୧୧ ସାତକୋଶିଆ ମହୋତ୍ସବ ଉଦଘାଟିତ ହୋଇଯାଇଛି।ଏହି ସମାରୋହକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର।ଶ୍ରୀ ମହାପାତ୍ର ନିଜ ବକ୍ତବ୍ୟ ରେ କଳା ସବୁବେଳେ କାଳଜୟୀ ଏବଂ ଯେଉଁ ଦେଶର କଳା ସଂସ୍କୃତି ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ ବୋଲି ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ରୂପେ ଉତ୍କଳ ସଙ୍ଗୀତ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ବିଜୟ କୁମାର ଜେନା କହିଥିଲେ କି ସରକାର ଏବେ କଳା ଓ କଳାକାର ଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି,ତେଣୁ ଯୁବ ପ୍ରତିଭା ଏହାର ସୁଯୋଗ ନେବା ଉଚିତ।ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଗୀତା ମାହାଲିକ,ସମାଜସେବୀ କୃଷ୍ଣା ମହାନ୍ତି, ସିନେ ଅଭିନେତା ଅଶୋକ ଦାସ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ ଅନିତା ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ।ସମାରୋହରେ ଓଡ଼ିଶୀ ନୃତ୍ୟାଙ୍ଗନା ଗୀତା ମାହାଲିକ ଏବଂ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ଡ଼ା ବିଜୟ କୁମାର ଜେନାଙ୍କୁ ଅଙ୍ଗ ବସ୍ତ୍ର ,ମାନପତ୍ର ଓ ସ୍ମୃତି ଫଳକ ଦେଇ ସାତ କୋଶିଆ ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା। ସଭା ଆରମ୍ଭ ରେ ନୃତ୍ୟନୀଳୟ ର ସମ୍ପାଦିକା ସ୍ବପ୍ନାରାଣୀ ସିହ୍ନା ସ୍ବାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା ହେମନ୍ତ କୁମାର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଖିଳ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଶେଷରେ ଡ଼ା ବିଜୟ କୁମାର ଜେନା ଏବଂ ସାଥିଙ୍କ ପକ୍ଷରୁ ଓଡ଼ିଶୀ କଣ୍ଠ ସଙ୍ଗୀତ,ଗୀତା ମାହାଲିକ ଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ଏବଂ ଭୁବନେଶ୍ବର ନୃତ୍ୟାଙ୍କିତା ପକ୍ଷରୁ ଆକର୍ଷଣୀୟ ଓଡ଼ିଶୀ ଦଳଗତ ନୃତ୍ୟ ପରିବେଷଣ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *