ଭାରତ20/11/2023; ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁ ଜଣେ ମହିଳାଙ୍କ ପେଟରେ ନଟ୍ ଓ ବୋଲ୍ଟ ରହିଯାଇଥିଲା। ଏହାର ୩୨ ବର୍ଷ ପରେ ଜାତୀୟ ଖାଉଟି ବିବାଦ ସମାଧାନ ଆୟୋଗ (ଏନ୍ସିଆର୍ସି) ସମ୍ପୃକ୍ତ ଘରୋଇ କ୍ଲିନିକ୍କୁ ଏହାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଡୁଚେରୀରେ ଥିବା କ୍ଲିନିକ୍କୁ କ୍ଷତିପୂରଣ ବାବଦରେ ମହିଳାଙ୍କୁ ୧୩.୭ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ୧୯୯୧ ମସିହା ଜୁନ୍ ୨୪ ତାରିଖରେ କ୍ଲିନିକ୍ ନାଲମରେ ମହିଳାଙ୍କ ପେଟରେ ଗର୍ଭାଶୟ ଅସ୍ତ୍ରୋପଚାର କରାଯାଇଥିଲା। ସେତେବେଳେ ତାଙ୍କୁ ୩୫ ବର୍ଷ ହୋଇଥିଲା। ଡାକ୍ତର ଭି ନାଲମ ଏବଂ ଡାକ୍ତର ଶ୍ରୀରାମ ମୂର୍ତ୍ତିଙ୍କ ଅସ୍ତ୍ରୋପଚାର ପରେ ସେ ଜଟିଳତା ଅନୁଭବ କରିଥିଲେ ଏବଂ ୧୯୯୧ ଜୁଲାଇ ୧୭ରେ ଏକ ମାସ ମଧ୍ୟରେ ସେହି କ୍ଲିନିକରେ ପୁଣି ଭର୍ତ୍ତି ହୋଇଥିଲେ। ସେବେଠାରୁ ସେ ୨୦୦୩ ପର୍ଯ୍ୟନ୍ତ ସେ ଅନେକ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଶେଷରେ ନଭେମ୍ବର ୨୦୦୩ରେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ମିନି ରବି ତାଙ୍କୁ ପରୀକ୍ଷା କରି ତାଙ୍କ ପେଟରେ କିଛି ବାହ୍ୟ ଜିନିଷ ଥିବା ବିଷୟରେ ନିଶ୍ଚିତ କରିଥିଲେ। ଏହାପରେ ଡିସେମ୍ବର ୨୦୦୩ରେ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲରେ ଏକ ବଡ଼ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହା ପୂର୍ବରୁ କ୍ଲିନିକ୍ ନାଲମ୍ ମାଗଣାରେ ଅସ୍ତ୍ରୋପଚାର କରିବା ସହ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଆଗେଇ ଆସିଥିଲା। ତେବେ କ୍ଷତିପୂରଣ ବାବଦରେ ୮୪ ଲକ୍ଷ ଟଙ୍କା ଦାବି କରି ମହିଳା ଜଣକ ରାଜ୍ୟ ଖାଉଟି କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏପ୍ରିଲ ୨୦, ୨୦୧୨ରେ ପୁଡୁଚେରୀର ରାଜ୍ୟ ଖାଉଟି ଆୟୋଗ କ୍ଲିନିକ୍ ନାଲମ ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ମହିଳାଙ୍କୁ ତାଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ୬ ଲକ୍ଷ ଟଙ୍କା, ଜଣେ ଘରୋଇ ଚାକରାଣୀଙ୍କୁ ୧୨ ବର୍ଷ ପର୍ଯ୍ୟନ୍ତ ଘରକାମରେ ନିୟୋଜିତ କରିବା ପାଇଁ ୭୨,୦୦୦ ଟଙ୍କା ଏବଂ ଅସହ୍ୟ ଯନ୍ତ୍ରଣା ପାଇଁ ଆଉ ୭ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ। ଏହି ରାୟ ବିରୋଧରେ କ୍ଲିନିକ୍ ନାଲମ ଓ ଅନ୍ୟମାନେ ଜାତୀୟ ଖାଉଟି ଆୟୋଗ, ନୂଆଦିଲ୍ଲୀର ଦ୍ବାରସ୍ଥ ହୋଇଥିଲେ। ଜାତୀୟ ଆୟୋଗ ନଭେମ୍ବର ୧୦ରେ ରାଜ୍ୟ ଆୟୋଗଙ୍କ ଆଦେଶକୁ ବଜାୟ ରଖିଛନ୍ତି।