୪ ଦିନରେ ୨ ହଜାର ଟାର୍ଗେଟ୍ ଫିନିସ୍

ମଧ୍ୟପ୍ରାଚ୍ୟରୁ ତୃତୀୟ ବିଶ୍ବଯୁଦ୍ଧର ପାଦଚିହ୍ନ ? ଭୀଷଣ ହେଉଛି ଲେବାବନ-ଇସ୍ରାଏଲ ଉତ୍ତେଜନା । ବେରୁଟରେ ଭାଙ୍ଗୁଛି ହିଜବୁଲ୍ଲାର ଆତଙ୍କୀ ଦୁର୍ଗ । ୫ ବାଟାଲିୟନ କମାଣ୍ଡର, ୧୦ କମ୍ପାନି କମାଣ୍ଡର ନିହତ । ଏଯାଏଁ ୨ହଜାର ଟାର୍ଗେଟ୍ ଫିନିସ୍ । ଗତ ୪ ଦିନ ଭିତରରେ ହିଜବୁଲ୍ଲା ଆତଙ୍କୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି । ଇସ୍ରାଏଲର ଘନଘନ ଏୟାର ଷ୍ଟ୍ରାଇକ୍ ଏବଂ ବାରୁଦ ବର୍ଷାରେ ୨ ହଜାରରୁ ଅଧିକ ଆତଙ୍କୀ ଠିକଣା ଜଳିପୋଡି ପାଉଁଶ ହୋଇଛି । ଆଇଡିଏଫର ଗ୍ରାଉଣ୍ଡ ଅପରେସନରେ ପ୍ରାୟ ୨୫୦ ଆତଙ୍କୀ ଆଖି ବୁଜିଥିବା ଦାବି କରିଛି ଇସ୍ରାଏଲ । ଏଥିରେ ହିଲବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲାହ ଏବଂ ହେବାକୁ ଥିବା ନୂଆ ମୁଖ୍ୟ ହାସିମ୍ ସୈଫିଦ୍ଦିନ୍‌ର ମୃତ୍ୟୁ ହୋଇଛି । ହମଲାରେ ୫ ବାଟାଲିୟନ କମାଣ୍ଡର, ୧୦ କମ୍ପାନି କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି ।

ଗୁରୁବାର ଇସ୍ରାଏଲ ବାୟୁସେନା ହିଜବୁଲ୍ଲାର ବୁନିଆଦି ଢାଞ୍ଚାକୁ ନଷ୍ଟ କରିଦେଇଛି । ବିଳମ୍ବିତ ରାତିରେ ଏୟାରଷ୍ଟ୍ରାଇକ୍ କରି ଲେବାନନ୍‌ରୁ ସିରିଆ ପର୍ଯ୍ୟନ୍ତ ଲମ୍ବିଥିବା ଏକ ୩.୫ କି.ମି ସୁଡ଼ଙ୍ଗକୁ ଧ୍ୱଂସ କରିଛି । ଏହି ଗୁପ୍ତ ସୁଡ଼ଙ୍ଗ ଜରିଆରେ ଲେବାନନକୁ ସହଯୋଗ ହାତ ବଢ଼ାଉଥିଲା ଇରାନ । ସୁଡ଼ଙ୍ଗ ମାଧ୍ୟମରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲେବାନନରେ ହିଜବୁଲ୍ଲା ଆତଙ୍କୀ ସଂଗଠନ ପାଖରେ ପହଞ୍ଚୁଥିଲା । କେବଳ ଟର୍ଣ୍ଣେଲ ନୁହେଁ, ଇସ୍ରାଏଲର ମିସାଇଲ୍ ମାଡ଼ରେ ହିଜ୍‌ବୁଲ୍ଲା ହେଡ୍ କ୍ବାର୍ଟର, ଗୁଇନ୍ଦା କାର୍ଯ୍ୟାଳୟ, ବହୁ ଅଟ୍ଟାଳିକା, ଅସ୍ତ୍ର ଡିପୋ ଧ୍ୱଂସ ଏବଂ ବଙ୍କର ନଷ୍ଟ ହୋଇଛି।

ସେପଟେ ଇରାନ ସୁପ୍ରିମ ଲିଡର୍ ଅୟାତୁଲ୍ଲା ଅଲି ଖାମେନି ପ୍ରଥମ ଥର ପାଇଁ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି । ଜେରୁଜେଲମ ଉପରେ ଇରାନୀ ସେନା ୧୮୦ରୁ ଅଧିକ ରକେଟ୍ ମାଡ଼ କରିଛି । ଫିଲିସ୍ତାନୀଙ୍କ ହକ୍ ପାଇଁ ଆବଶ୍ୟକ ପଡ଼ିଲେ ପୁଣି ବଡ଼ ହମଲା ହେବ । ଖାମେନି ନାଁ ନନେଇ ଆମେରିକାକୁ ଟାର୍ଗେଟ୍ କରିଛନ୍ତି । ତେହରାନର ଗ୍ରାଣ୍ଡ ମସଜିଦରୁ ଅରବ ଦେଶ ସମେତ ଦୁନିଆ ସବୁ ମୁସଲମାନମାନଙ୍କୁ ଏକ ହେବାକୁ ଅପିଲ୍ କରିଛନ୍ତି । ବିଶ୍ବରେ ଏବେ ମୁସଲମାନଙ୍କ ବିରୋଧରେ ବିନାଶର ଷଡ଼ଯନ୍ତ୍ର ଚାଲିଛି । ତେଣୁ ଶତ୍ରୁ ବିରୋଧରେ ସତର୍କତାର ସହ ଲଢ଼ିବାକୁ ପଡ଼ିବ ବୋଲି କହିଛନ୍ତି । ଏହା ସହିତ ହିଜବୁଲ୍ଲା ମୁଖ୍ୟ ନସରଲ୍ଲାର ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଛନ୍ତି ।

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଧୀରେ ଧୀରେ ଭୀଷଣ ରୂପ ଧାରଣ କରୁଛି । ପ୍ରଥମ ଇସ୍ରାଏଲ-ଫିଲିସ୍ତିନୀ ପରେ ଇସ୍ରାଏଲ-ଲେବାନନ ଏବଂ ଇସ୍ରାଏଲ ଓ ଇରାନ ମଧ୍ୟରେ ଟକ୍କର ଚାଲିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଆତଙ୍କବାଦୀ ସଂଗଠନ ମୂଳପୋଛ ନହେବା ଯାଏ ଆଇଡିଏଫ ଆକ୍ରମଣରୁ ପଛଘୂଞ୍ଚା ଦେବ ନାହିଁ ।….

Leave a Reply

Your email address will not be published. Required fields are marked *