୫୦ବର୍ଷହେଲା ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ

ଫୋକସ ପ୍ଲସ(ମାଲକାନଗିରି)୧୬/୦୯/୨୦୨୨: କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ ଜଳ ବିହୁନେ ସୃଷ୍ଟି ନାଶ। ଏହି ଉକ୍ତିଟି ଠିକ ଭାବରେ ଖାପ ଖାଉଛି ମାଲକାନଗିରି ଜିଲ୍ଲାର ଏକ ଆଦିବାସୀ ଗାଁରେ। ଦୀର୍ଘ ୫୦ ବର୍ଷ ହେଲା ଜଳକଷ୍ଟ ଭୋଗୁଛନ୍ତି କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତର ପିପଳପଦର ଗ୍ରାମବାସୀ।ସ୍ବାଧିନତାର ୭୫ ବର୍ଷ ପୁରଣରେ ସାରା ଦେଶ ପାଳୁଛି ଆଜାଦି କା ଅମୃତ ମହୋତ୍ସବ। ତେବେ ପିପଳପଦର ଗ୍ରାମବାସୀ ମାନଙ୍କ ପାଇଁ କେତେଦୂର ଅମୃତ ମହୋତ୍ସବ ତାହା ସେମାନଙ୍କ କଷ୍ଟରୁ ଅନୁମେୟ ହେଉଥିବ। ପାନୀୟ ଜଳ ଟିକିଏ ଯୋଗାଇ ଦେବା ଜିଲ୍ଲା ପ୍ରଶାସନର ପ୍ରାଥମିକତା ଥିବାବେଳେ ଏହି ପିପଳପଦର ଗାଁ ଆଜି ପର୍ଯ୍ୟନ୍ତ ଜଳ ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି। ଏହି ଗାଁର ଲୋକ ସଂଖ୍ୟା ୧୫୦ ରୁ ଅଧିକ ହେବ ହେଲେ ସରକାରଙ୍କ ଆଇନ କାନୁନର ପେଞ୍ଚ ମଧ୍ୟରେ ପେଶି ହୋଇ ରହିଛନ୍ତି। ପାନୀୟ ଜଳ ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ନଳକୂପ ବସା ଯାଇଛି ସତ ହେଲେ ହାଣ୍ଡପମ୍ପ ମାରି ମାରି ଶେଷରେ ଆଇରନ ଯୁକ୍ତ ଦୂଷିତ ପାଣି ବାହାରୁ ଥିବାରୁ ସେମାନେ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗାଁର ମହିଳା ମାନେ ଝରଣାର ଦୂଷିତ ପାଣିକୁ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି। ଗାଁର ଜଳକଷ୍ଟ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ଗୋଟିଏ ସୋଲାର ପାନୀୟଜଳ ବ୍ୟବସ୍ଥା କରାଯାଇଛି।ତାହା କିନ୍ତୁ ସମୁଦ୍ରକୁ ଶଙ୍ଖେ ଭଳି।ଖରା ଦିନରେ ନଦୀ ନାଳ ଶୁଖିଯିବା ଫଳରେ ପାଣି ଯୋଗାଇବା ବନ୍ଦ ହୋଇଯାଏ।ଆଉ ବର୍ଷା ଦିନରେ ଆକାଶରେ ବାଦଲ ଘେରି ରହିବା ଯୋଗୁଁ ସୋଲାର ସିଷ୍ଟମ ବନ୍ଦ ପଡ଼ିଯାଏ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏମିତିରେ କେବଳ ଦୂଷିତ ଝରଣା ପାଣି ହିଁ ଗ୍ରାମବାସୀଙ୍କ ସାହା ଭରସା।ଗ୍ରାମବାସୀ ତିନି ତିନି ଥର ପାନୀୟଜଳ ସମସ୍ୟାର ସମାଧାନ ପାଇଁ କୋରୁକୋଣ୍ଡା ବିଡ଼ିଓ ମହାଶୟଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।ଗାଁରେ ଥିବା ଗୋଟିଏ ପ୍ରାଥମିକ ସ୍କୁଲ ଓ ଏକ ଅଙ୍ଗନବାଡିର କୁନି କୁନି ପିଲାମାନଙ୍କୁ ମଧ୍ୟ ସେହି ଦୂଷିତ ଝରଣା ପାଣି ପିଇବାକୁ ପଡୁଛି । ସ୍କୁଲର ନଳକୁଅଟା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ସୋଲାର ପାଣି କେବେ ମିଳୁଛି ତ ଆଉ କେବେ ପାଣି ବାହାରିବା ବନ୍ଦ ହୋଇଯାଉଛି। ଶେଷରେ ଝରଣା ଓ ନଦୀ ନାଳର ପାଣି କୁନି କୁନି ପିଲାମାନେ ପିଇବାକୁ ବାଧ୍ୟ ହେଉଛନ୍ତି।ଝରଣା ନଦୀ ନାଳର ପାଣି ପିଇ ଗାଁର ଛୋଟ ଛୋଟ ପିଲାମାନେ ଝାଡ଼ାବାନ୍ତି , ଜ୍ୱର , ଥଣ୍ଡା କାଶ ଭଳି ବିଭିନ୍ନ ରୋଗରେ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳୁଛି।ମାଲକାନଗିରି ଜିଲ୍ଲାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ବିକାଶ ମୁଖି କରୁଥିବା ବେଳେ ସ୍ବାଭିମାନ ଅଞ୍ଚଳର ଏହି ପିପଳପଦର ଗ୍ରାମବାସୀ କେବେ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇବେ ତାହା କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *