ଯେଉଁ ହାତରେ ଥିଲା ଦିନେ କ୍ରୁର ବନ୍ଧୁକ, ସେ ହାତରେ ଆଜି କୋମଳ ବରଣମାଳ। ଯେଉଁ ଯୁବକ ଯୁବତୀ ଦିନେ ନିଜ ଜୀବନକୁ ବାଜି ଲଗାଇଥିଲେ, ଅନ୍ୟର ଜୀବନ ନେବାକୁ ବି ପଛାଉ ନଥିଲେ, ସେମାନେ ଆଜି ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି। ଏ ହେଉଛନ୍ତି ରାମଦାସ ଓ କଲମଦେଇ। ଦିନେ ମାଓବାଦୀଙ୍କ ସହ ମିଶିଥିଲେ, ଆଜି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗେଇ ଆସିଛନ୍ତି। ଦିନେ ପୋଲିସ ବିରୁଦ୍ଧରେ ରଣହୁଙ୍କାର ଦେଉଥିଲେ, ଆଜି ପୋଲିସ କନ୍ୟାଦାନ କରୁଛି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ। ନିରେଖି ଦେଖନ୍ତୁ ଏହି ନବଦମ୍ପତିଙ୍କୁ। ନିରୀହ ଦିଶୁଥିବା ଏହି ପୁଅଝିଅ ଦିନେ ଲାଲ ବାହିନୀ ସହ ମିଶି ପ୍ରଶାସନକୁ ଲାଲ ଆଖି ଦେଖାଉଥିଲେ।

ଭବାନୀପାଟଣା ବ୍ଲକ ଅନ୍ତର୍ଗତ ପଞ୍ଚକୁଳ ଗାଁର କଲମଦେଇ ୫ ବର୍ଷ ତଳେ ମାଓ ସଂଗଠନ ରେ ସାମିଲ ହୋଇଥିଲେ ପରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବନ୍ଧୁକ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।ସେହିଭଳି ମାଓ ସଂଗଠନ ଜଣେ ହାର୍ଡକୋର କର୍ମୀ ଛତିଶଗଡ଼ ରାଜ୍ୟର ରାମଦାସ।ଦୀର୍ଘ ୧୦ ବର୍ଷ ଧରି ମାଓ କାର୍ଯ୍ୟକଳାପ ରେ ସାମିଲ ହୋଇଥିଲେ ୨୦୧୯ ମହିସା ରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

ଏକଦା ମାଓ ସଂଗଠନରେ ସାମିଲ ଥିବା ରାମଦାସ ଓ କଲମଦେଇ ସରକାରଙ୍କ ଆହ୍ୱାନ କ୍ରମେ ଭିନ୍ନ ଭିନ୍ନ ସମୟରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ତେବେ ମାଓ ସଂଗଠନରେ ଥିଲା ବେଳେ ହିଁ ଦୁହିଁଙ୍କ ମନ ଭିତରେ ପ୍ରୀତିର ବାସ୍ନା ଚହଟି ଥିଲା। ତେବେ କେହି କାହାକୁ କହିପାରି ନଥିଲେ। ଏବେ ସମାଜର ମୁଖ୍ୟ ସ୍ରୋତକୁ ଆସିଲା ବେଳକୁ ଦୁହେଁ ଦୁହିଁଙ୍କୁ ମନକଥା କହିଛନ୍ତି। ଆଉ ସେମାନଙ୍କ ସ୍ୱପ୍ନ ସାକାର କରିଛନ୍ତି କଳାହାଣ୍ଡି ପୋଲିସ । ଦୁହିଁଙ୍କୁ ବିବାହ ବନ୍ଧନରେ ବାନ୍ଧି ଦେଇଛି କଳାହାଣ୍ଡି ପୋଲିସ। ସେମାନେ ବି ଖୁସି ପ୍ରକଟ କରିଛନ୍ତି। ଅନ୍ୟ ପକ୍ଷରେ କଳାହାଣ୍ଡି ଏସପି ମାଓ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ଲାଲ ବାହିନୀର ଯୁବକ ଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *