ଭୁବନେଶ୍ୱର : ପାଣ୍ଡିଆନଙ୍କୁ ନେଇ ବର୍ତ୍ତମାନ ନୂଆ ନୂଆ ତଥ୍ୟର ଖୁଲାସା ହେଉଛି । ବିଜେଡିରେ ଥିବାବେଳେ ରାଜ୍ୟ ରାଜକୋଷରୁ ପାଣିଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ପାଣ୍ଡିଆନ। ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ଖର୍ଚ୍ଚ ହେଉ କିମ୍ବା ବିଜ୍ଞାପନ ସବୁଠି ଆଖିବୁଜା ଖର୍ଚ୍ଚ କରିଥିଲା ବିଜେଡି । ଲୋକ ମାନଙ୍କ ଟିକସ ପଇସାରେ ରାଜ୍ୟକୁ ଚଳାଉଥିବା ସରକାର ନିଜ ଦଳର ନେତା ମାନଙ୍କ ପାଇଁ କୋଟି କୋଟି ଟଙ୍କା ମନ ଇଛା ଖର୍ଚ୍ଚ କରୁଥିଲେ। ଏହାସହିତ ଏହାର କୌଣସି ସଠିକ ହିସାବ ମଧ୍ୟ ରଖୁନଥିଲା ଦଳ। ଚଳିତ ନିର୍ବାଚନରେ କେବଳ ଭିକେ ପାଣ୍ଡିଆନଙ୍କ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କା । ଏହାସହିତ ବିଜ୍ଞାପନରେ ଭିକେ ପାଣ୍ଡିଆନଙ୍କ ଫଟୋ ଲାଗିବା ପାଇଁ ମଧ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା । ଆଜି ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଲିଖିତ ଉତ୍ତର ଦେଇଛନ୍ତି । ସେହିପରି ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ପାଞ୍ଚ ବର୍ଷରେ ପୂର୍ବତନ ବିଜେଡି ସରକାର ପ୍ରଚାର ପାଇଁ ଖର୍ଚ୍ଚ କରିଥିଲେ ପାଖାପାଖି ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା ।