କୋଲକାତା : କୋଲକାତା ଆରଜି କର ମେଡିକାଲ୍ କଲେଜରେ ଟ୍ରେନି ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଓରଫ ଅଭୟାକାଣ୍ଡକୁ ଏହାରି ଭିତରେ ୨୩ ଦିନ ପୂରିଲାଣି । ତାଙ୍କୁ ନ୍ୟାୟ ଦାବିରେ ସାରା ପଶ୍ଚିମବଙ୍ଗରେ ଏବେ ଆନ୍ଦୋଳନ ଥମିବାର ନାଁ ଧରୁନି। ପ୍ରତିଦିନ ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଏହାକୁ ନେଇ ପ୍ରତିବାଦ ଓ ବିକ୍ଷୋଭ କରୁଛନ୍ତି। ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ତଦନ୍ତ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିଛି। ଗତକାଲି ରାତିରେ ସିବିଆଇର ଏକ ଟିମ୍ ଆରଜି କର ମେଡିକାଲର କ୍ରାଇମ ସ୍ପଟ କୁହାଯାଉଥିବା ସେମିନାର ହଲକୁ ଯାଇ ସେଠାରେ ତନାଘନା ଆରମ୍ଭ କରିଥିଲା । ଏଥିସହ ହସ୍ପିଟାଲରେ ଥିବା ଏମର୍ଜେନ୍ସୀ ବିଲ୍ଡିଂ, ସେଠାକାର ସମସ୍ତ ବଏଜ ହଷ୍ଟେଲ, ପ୍ରିନ୍ସିପାଲ ଅଫିସକୁ ମଧ୍ୟ ଯାଞ୍ଚ କରିଥିଲା ସିବିଆଇ। ସୁପ୍ରିମକୋର୍ଟରେ ଅଭୟାକାଣ୍ଡର ଶୁଣାଣି ବେଳେ କୋଲକାତା ପୋଲିସ କ୍ରାଇମ୍ ସ୍ପଟକୁ ପରିବର୍ତ୍ତନ କରିଥିବା ସହ ଅପରାଧ ସ୍ଥଳରେ କିଛି ଗଡ଼ବଡ଼ ଥିବା ଅଭିଯୋଗ କରିଥିଲା ସିବିଆଇ। ଏହି ଅଭିଯୋଗକୁ କୋଲକାତା ପୋଲିସ ସମ୍ପୂର୍ଣ ଭାବରେ ଖଣ୍ଡନ କରିଥିବା ବେଳେ ଗତକାଲି କ୍ରାଇମ ସ୍ପଟରେ ପହଞ୍ଚି ତନାଘନା କରିଥିଲା ସିବିଆଇ।