ଉତ୍ତର କୋରିଆ : ଫାଶୀଦଣ୍ଡ ବା ମୃତ୍ୟୁଦଣ୍ଡ ବ୍ୟବସ୍ଥା ସମ୍ବିଧାନରେ ଗୁରୁତର ଅପରାଧ ପାଇଁ ପ୍ରତ୍ୟେକ ଦେଶରେ ରହିଛି । କିନ୍ତୁ ୩୦ ଜଣ ଅଧିକାରୀଙ୍କୁ ଏକା ସାଙ୍ଗରେ ମୃତ୍ୟୁଦଣ୍ଡ ଦେଇଥିବା ନେଇ ଏକ ଚାଞ୍ଚଲ୍ୟକର ଏବେ ଖବର ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା କେବଳ ଗୋଟିଏ ଏକଛତ୍ରବାଦ ଶାସନ ଚାଲିଥିବା ଦେଶରେ ଘଟିବା ହିଁ ସ୍ୱାଭାବିକ। ନିକଟରେ ଉତ୍ତର କୋରିଆରେ ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହ ବନ୍ୟା ପରେ ସେଠାରେ ଭୂସ୍ଖଳନ ମଧ୍ୟ ହୋଇଥିଲା। ଏଥିରେ ପ୍ରାୟ ଏକ ହଜାର ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୪ ହଜାରରୁ ଅଧିକ ଘର ଭାଙ୍ଗି ଯାଇଥିଲା ଏବଂ ୧୫ ହଜାରରୁ ଅଧିକ ଲୋକ ବନ୍ୟା ଅଞ୍ଚଳରୁ ବିସ୍ଥାପିତ ହୋଇଥିଲେ। ଦେଶର ଏତେ ବଡ କ୍ଷତି ପାଇଁ ସେଠାକାର ଶାସକ କିମ ଜୋଙ୍ଗ ଉନ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରିଥିଲେ।
ଏହାସହ କିମ ଜୋଙ୍ଗ ଉନ୍ ୩୦ ଜଣ ଅଧିକାରୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିମ ଜୋଙ୍ଗ ଉନ୍ ଙ୍କ ନିର୍ଦ୍ଦେଶରେ ଗତ ମାସରେ ସେମାନଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଏହି ସମ୍ପର୍କରେ ଉତ୍ତର କୋରିଆର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ କୋରିଆର ଏକାଧିକ ନ୍ୟୁଜ ଏଜେନ୍ସି ମଧ୍ୟ ଏହି ସମ୍ପର୍କିତ ରିପୋର୍ଟ ପ୍ରକାଶ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ, ୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ସହ କିଙ୍ଗ୍ ଜୋନ୍ ଚାଗଙ୍ଗ ପ୍ରୋଭିନେନ୍ସ ପ୍ରୋଭିନ୍ସିଆଲ ପାର୍ଟି କମିଟିର ସଚିବ କାଙ୍ଗ ବଙ୍ଗ-ହୁନଙ୍କୁ ମଧ୍ୟ ପଦରୁ ନିଲମ୍ବନ କରିଛନ୍ତି। ଏହି ଖବର ଏବେ ବ୍ୟାପିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି ।