ହିଂସାରେ ଚାଲିଗଲାଣି ୩୯ ଜୀବନ

ବାଂଲାଦେଶରେ ଏବେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ସ୍ଥିତି ସେଠାରେ ଦିନକୁ ଦିନ ବିଗୁଡ଼ୁ ଥିବାବେଳେ ହିଂସାକାଣ୍ଡରେ ଏଯାବତ ମୋଟ ୩୯ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ଏହାସହ ପ୍ରାୟ ୨୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ମଧ୍ୟ ହେଉଛନ୍ତି। ଏହାଛଡା ଏହି ଆକ୍ରମଣ ଘଟଣାରେ ଜଣେ ସାମ୍ବାଦିକାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାଯାଇଛି। ପ୍ରଥମେ ୟୁନିଭରସିଟିରୁ ଆରମ୍ଭ ହୋଇଥିବା ଏହି ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ବାଂଲାଦେଶରେ ବ୍ୟାପିଯାଇଛି ।

ହାତରେ ଠେଙ୍ଗା ବାଡ଼ି, ପଥର ଧରି ବୁଲୁଥିବା ବିକ୍ଷୋଭ ପ୍ରଦର୍ଶନକାରୀମାନେ ରାସ୍ତା ଉପରେ ଥିବା ବସ୍‌ ସମେତ ବିଭିନ୍ନ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ବିକ୍ଷୋଭକୁ ଦେଖି ବାଂଲାଦେଶରେ ବସ୍‌, ଟ୍ରେନ୍‌ ଓ ମେଟ୍ରୋ ସେବାକୁ ବନ୍ଦ କରି ଦିଆଯାଇଛି। ଏଥିସହିତ ହିଂସାତ୍ମକ ଘଟଣା ଯେପରି ଆହୁରି ଅଧିକ ନ ବ୍ୟାପେ ସେଥିନିମନ୍ତେ ସମଗ୍ର ଦେଶରେ ମୋବାଇଲ, ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ତତସହିତ ଦେଶରେ ଥିବା ସମସ୍ତ ସରକାରୀ, ବେସରକାରୀ, ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଛି | ଏଭଳି ସ୍ଥିତିରେ ସେଠାକାର ବହୁ କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଦେଶର ବିଭିନ୍ନ ସ୍ଥାନରେ ରାସ୍ତାରେ ସେନାର ଯବାନମାନେ ଜଗି ରହୁଛନ୍ତି ।

ଦେଶରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶେଖ ହସିନା ଗତକାଲି ନ୍ୟାସନାଲ ଟେଲିଭିଜନରେ ଦେଶବାସୀଙ୍କୁ ଅପିଲ୍‌ କରିଥିଲେ। ଏହାକୁ ଦେଖି ବିକ୍ଷୋଭକାରୀଙ୍କ ଆକ୍ରୋଶ ଅଧିକ ବଢିଯାଇଥିଲା |ଯାହାଫଳରେ ସେମାନେ ନ୍ୟାସନାଲ ଟେଲିଭିଜନ ବିଲ୍ଡିଂରେ ନିଆଁ ଲଗାଇ ଦେଇଥିଲେ। ବାଂଲାଦେଶରେ ସରକାରୀ ଚାକିରିରେ ୩୦ % ସଂରକ୍ଷଣ ତଥା ୧୯୭୧ ମସିହା ଯୁଦ୍ଧରେ ସହିଦ ହୋଇଥିବା ପରିବାର ସଦସ୍ୟଙ୍କ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ ।ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ସେମାନଙ୍କ ନାତି, ଅଣନାତିଙ୍କୁ ଏହି ସୁବିଧା ମିଳିବି ଯାହାଦ୍ୱାରା ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ହେବେ | ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓଲ୍ହାଇଛନ୍ତି |

Leave a Reply

Your email address will not be published. Required fields are marked *