ତାଳଚେର ପୌରପରିଷଦ ପକ୍ଷରୁ ଜଳଛତ୍ର କେବେ?

ତାଳଚେର : ଶିଳ୍ପନଗରୀ ତାଳଚେରରେ ତାପମାତ୍ରା ସର୍ବାଧିକ ହୋଇଥିବା ବେଳେ ତାଳଚେର ପୌରପରିଷଦ ପକ୍ଷରୁ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ବର୍ତମାନ ସୁଦ୍ଧା ଜଳଛତ୍ର ବ୍ୟବସ୍ଥା କରାଯାଇନଥିବା ବାଟୋଇମାନଙ୍କ ପାଇଁ ଦୁର୍ଭାଗ୍ୟ ଜନକବିଷୟ ହୋଇଛି ।
ଘଟଣାରୁ ପ୍ରକାଶ, ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନମାନଙ୍କରେ ସର୍ବସାଧାରଣଙ୍କ ନିମନ୍ତେ ଏକାଧିକ ଜଳଛତ୍ର ଖୋଲା ଯାଇଥାଏ । ତାଳଚେର ତାଳମାତ୍ରା ଆଜି ୩୯ଡ଼ିଗ୍ରୀ ଥିବା ବେଳେ ଗତକାଲି ୪୦.୨ ଓ ତା’ପୂର୍ବଦିନ ୪୦.୨ଡ଼ିଗ୍ରୀ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତାଳଚେର ଏକ ଶିଳ୍ପାଚଂଳ ହୋଇଥିବାରୁ ପ୍ରଚଣ୍ଡ ଗ୍ରୀଷ୍ମତାପ ସାଙ୍ଗକୁ ଅତ୍ୟଧିକ ଗରମ ଅନୁଭୂତ ଓ ଘୋର ଜଳସଙ୍କଟ ଦେଖାଦେଇଥାଏ । ଏପରିକି, କୋଇଲା ଖଣି ଯୋଗୁଁ ଜଳାଶୟ ଗୁଡ଼ିକ ଯଥା – ନଦୀ, ନାଳ, ପୋଖରୀ, କୂଅ, ପୁଷ୍କରିଣୀ, ନଳକୂପ ଇତ୍ୟାଦି ଜଳସ୍ତର ନିମ୍ନଗାମୀ ହୋଇଥାଏ । ଏହାକୁ ଆଖି ଆଗରେ ରଖି ଦୀର୍ଘବର୍ଷ ବ୍ୟାପି ଗ୍ରୀଷ୍ମଋତୁରେ ତାଳଚେର ପୌରପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନମାନଙ୍କରେ ଜଳଛତ୍ର ବ୍ୟବସ୍ଥା କରାଯାଇଥାଏ । ଏପରିସ୍ଥଳେ ବର୍ତମାନ ସୁଦ୍ଧା ପୌରପରିଷଦ ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରାଯାଇନଥିବାରୁ ପାଣି ଟୋପାଏ ପାଇଁ ବାଟୋଇମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ପୌରପରିଷଦ ମଧ୍ୟରେ ରହିଥିବା ୨୧ଟିି ୱାର୍ଡ଼କୁ ସିଏସଆର ପାଣ୍ଠି ଅର୍ଥରୁ ଗ୍ରୀଷ୍ମଋତୁରେ ଟ୍ୟାଙ୍କର ଯୋଗେ ପୌରପରିଷଦ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ । ମାତ୍ର ତାଳଚେର ପୌରପରିଷଦର ଜଳକଷ୍ଟ ଉତ୍କଟରୂପ ଧାରଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୌରପରିଷଦ ପକ୍ଷରୁ ନା କରାଯାଉଛି ଜଳଛତ୍ର ନା କରାଯାଉଛି ଟ୍ୟାଙ୍କର ଯୋଗେ ଜଳଯୋଗାଣ । ତେବେ ଏସମ୍ପର୍କରେ ପୌରପରିଷଦର କର୍ମଚାରଙ୍କୁ ଯୋଗଯୋଗ କରିବାରୁ ଏହାର ଟେଣ୍ଡର ହୋଇପାରି ନାହିଁ ବୋଲି ପ୍ରକାଶ କରିଥିଲେ । ଅପରପକ୍ଷେ ତାଳଚେର ସହରରେ ଜିଲ୍ଳାଖଣିଜ ପାଣ୍ଠି ଓ ପୌରିଷଦ ପକ୍ଷରୁ ଲୋକଙ୍କ ସୁବିଧା ନିମନ୍ତେ ରାସ୍ତା କଡ଼ର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟଙ୍କା ବିନିମୟରେ ଥଣ୍ଡା ପାନୀୟ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ତାହା ଆଜି ଅଚଳ ଅବସ୍ଥାରେ ପଡ଼ି ରହିଛି । ସେହିଭଳି ତାଳଚେର ପୌରପରିଷଦ ୪ନମ୍ବର ୱାର୍ଡ଼ରେ ଜୁବିଲିଟାଙ୍କି (ପୋଖରୀ) ଓ ୧୧ନମ୍ବର ୱାର୍ଡ଼ ଅନ୍ତର୍ଗତ ରାଣୀପାର୍କ ମଧ୍ୟରେ ଏମସିଏଲ ଦ୍ୱାରା ନିର୍ମାଣ କରାଯାଇଥିବା ପୋଖରୀରେ କୋଇଲା ଖଣିର ଭୂତଳ ଜଳକୁ ଏଠାରେ ବର୍ଷସାର ପାଇପ୍ ଯୋଗେ ପକାଯାଇଥାଏ । ମାତ୍ର ଚଳିତବର୍ଷ ଏପ୍ରିଲ୍ ମାସ ହୋଇଯାଇଥିଲେ ମଧ୍ୟ ଏମସିଏଲ ପକ୍ଷରୁ ଏହି ଦୁଇ ପୋଖରୀରେ ପାଣି ପକାଯାଉନଥିବାରୁ ଏବେ ମାଟିଫାଟି ଆଁ ହୋଇ ରହିଛି । ଏହି ପୋଖରୀ ଗୁଡ଼ିକରେ ବର୍ଷ ତମାମ୍ ପାଣି ଫୁଲ ହୋଇ ରହିବା ଫଳରେ ୫ଟି ୱାର୍ଡ଼ର କୂଅ ଗୁଡ଼ିକରେ ପାଣି ଭରପୁର ହୋଇ ରହିଥାଏ । ମାତ୍ର ଏହି ପୋଖରୀ ଗୁଡ଼ିକ ଶୁଖିଲା ପଡ଼ିଥିବା ଯୋଗୁଁ କୂଅ ଗୁଡ଼ିକରେ ମଧ୍ୟ ଜଳଶୂନ୍ୟ ହୋଇପଡ଼ିଛି । ଏହାଫଳରେ ୫ଟି ୱାର୍ଡ଼ବାସୀ ବର୍ତମାନ ନାହିଁ ନଥିବା ଅସୁଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ଜିଲ୍ଳାପାଳ ଏଥିନେଇ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *