ଚୋରି କରିବା ବେଳେ ଘଟିଲା ଅଘଟଣ

ଫୋକସ ପ୍ଲସ 28/5/22(ରାଜଗାଙ୍ଗପୁର):ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ଠାରେ ଥିବା ଏକ କାରଖାନାରୁ ଗତକାଲି ବିଳମ୍ବିତ ରାତିରେ ଲୁହା ଚୋରି କରୁଥିବା ସମୟରେ ଉପରୁ ତଳକୁ ଖସି ପଡ଼ିବା ଯୋଗୁଁ ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଲି ଠାରେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ବନ୍ଦ ହୋଇ ପଡିରହିଥିବା ଓସିଏଲ ଆଇରନ ଏଣ୍ଡ ସ୍ପଞ୍ଜ ଆଇରନ ଖାନାକୁ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ପୋଡ଼ସିଂ ଏବଂ ବାଣ୍ଠୁପଡ଼ା ଅଞ୍ଚଳର ଚାରିଜଣ ଚୋର ଲୁହା ଚୋରି କରିବା ପାଇଁ ଯାଇଥିଲେ।ଚୋରି କରିବା ପାଇଁ ଲୁହା କାଟିବା ସମୟରେ ଜଣେ ପ୍ରାୟ ୪୫ ଫୁଟ ଉପରୁ ତଳକୁ ଖସି ପଡ଼ିଥିଲା।ତୁରନ୍ତ ତାର ତିନିଜଣ ସହଯୋଗୀ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ସରକାରୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ଚିକିତ୍ସା ନିମନ୍ତେ ନେଇଥିଲେ।କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତକ ଜଣକ ହେଉଛି ପୋଡ଼ସିଂ ଗାଁର ଚାମୁ ଟପ୍ପୋ(୨୮) ବୋଲି ଜଣାପଡ଼ିଛି।ବନ୍ଦ ପଡିଥିବା ଉକ୍ତ କାରଖାନାରୁ ସ୍ଥାନୀୟ ଜାମପାଲି,ଲମଲୋଇ,ବଡ ଗୁଢ଼ିଆଲି, ତେତେରକେଲା,କୁନମୁରୁ ଏବଂ ସୋନାଖାନ ଅଞ୍ଚଳର ଚୋର ମାନେ ଦିନରାତି ଲୁହାଚୋରି କରି ରାଣିବନ୍ଧ,ଲିପଲୋଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା କଣ୍ଟା ବ୍ୟବସାୟୀ ମାନଙ୍କୁ ବିକ୍ରି କରନ୍ତି।ଏହି ଚୋରି ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ପ୍ରଶାସନକୁ ସୂଚନା ମିଳିଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ହେବ ପୁଲିସ ପ୍ରଶାସନ ଏବଂ କଣ୍ଟା ବ୍ୟବସାୟୀ ମାନଙ୍କ ମଧୁଚନ୍ଦ୍ରିକାରେ ଉକ୍ତ କାରଖାନାଟି ଶ୍ରୀହୀନ ହୋଇପଡିଛି।ଉକ୍ତ କାରଖାନାରେ ଚୋରି କରୁଥିବା ସମୟରେ ପ୍ରାୟ ୩ ମାସ ତଳେ କୁଟୁନିଆ ଅଞ୍ଚଳର ଜଣେ ଯୁବକ ଚୋରି କରିବା ସମୟରେ ମର୍ତ୍ୟୁ ବରଣ କରିଥିଲା।ଏହି ଘଟଣା ପ୍ରଶାସନ ଏବଂ ଚୋରି କରୁଥିବା ଗୋଷ୍ଠୀ ମାନେ ମିଳିତ ଭାବେ ଚପାଇ ଦେଇଥିଲେ।ଯାହାପାଈଁ ଉକ୍ତ ଘଟଣା ସମ୍ପର୍କରେ କୌଣସି ଗଣମାଧ୍ୟମକୁ ସୂଚନା ମିଳିପାରିନଥିଲା।

Leave a Reply

Your email address will not be published. Required fields are marked *