ଫୋକସ ପ୍ଲସ ୧୫/୬/୨୨(ଜଗତସିଂପୁର): ଆଜି ରଜ ସଂକ୍ରାନ୍ତି । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ । ଗ୍ରୀଷ୍ମ ଓ ବର୍ଷା ଋତୁର ସଂଧିକ୍ଷଣରେ ଭିଜା ମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣ ପର୍ବ ରଜ । ସତେ ଯେମିତି ଏହା ଧରିତ୍ରୀ ମାତା ଓ ମୌସୁମୀ ର ମିଳନ ପର୍ବ । ଓଡ଼ିଶାରେ ସଜବାଜ ଦିନକୁ ମିଶାଇ ମୋଟ 4 ଦିନ ରଜପର୍ବ ପାଳନ କରାଯାଏ। ବର୍ଷକରେ ଥରେ ଆସୁଥିବା ଏହି କୃଷି ଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହାରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ ଧୁମଧାମରେ ରଜ ପାଳନ କରିଥାନ୍ତି । ଏହି ସମୟରେ ଝିଅ ମାନେ ସାଧାରଣତ କୌଣସି କାର୍ଯ୍ୟ ନ କରିବା ସହିତ ଖେଳି ବୁଲି ମଜା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ କୁ ଗଣ ପର୍ବ ଭାବେ ପାଳନ କରାଯାଇ ଥାଏ । ଗତ ଦୁଇ ବର୍ଷ ହେବ ମହାମାରୀ କରୋନା କଟକଣା ହେତୁ ଏହି ପର୍ବ ପାଳନ ହେଇ ପାରି ନ ଥିବା ବେଳେ ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏହି ପର୍ବ ଝିଅମାନେ ଖୁବ ଆଡମ୍ବର ସହ ପାଳନ କରୁଛନ୍ତି । ସକଳୁ ଉଠି ସଜ ହୋଇ ରଜ ପାନ, ପୋଡପିଠା ଖାଇବା, ଦୋଳିରେ ଝୁଲିବା, ଲୁଡୁ, ତାସ ଓ ବାଗୁଡି ଆଦି ଖେଳି ବେଶ ରଜର ମଜା ନେଉଥିବା ସହ ପ୍ରତିଯୋଗିତାରେ ମଧ୍ୟ ଚାଲିଛି ।