ଶିକ୍ଷାକୁ ରାଜନୀତି ମୁକ୍ତ କରାଯିବI ଉପରେ ଗୁରୁତ୍ୱ

ଫୋକସ ପ୍ଲସ (ବ୍ୟୁରୋ)୩୦/୦୬/୨୦୨୨: କଥାରେ ଅଛି ” ଓଳିଆରୁ ପଡି ଗଜା ” ସଦୃଶ ଆମ ପିଲା ସ୍କୁଲରୁ ରାଜନୀତି ଶିଖିଯାଉଛନ୍ତି , ଏଥିପାଇଁ କିଏ ଦାୟୀ ? ଆମେ ଅଭିଭାବକ ନା’ ସରକାର ? ସନ୍ତାନର ପ୍ରଥମ ଗୁରୁ ପିତା ମାତା, ପ୍ରଥମେ ପିଲାଟି ଘରୁ ଗୁରୁଜନ ମାନଙ୍କ ଠାରୁ ଶିକ୍ଷା ଲାଭ କରେ ତା’ ପରେ ଶିକ୍ଷାନୁଷ୍ଠାନ ଯାଏ I ଛୋଟ ଶ୍ରେଣୀରେ ପଢୁଥିବାବେଳେ ଛୋଟ ଛୋଟ କଥାକୁ ନେଇ ପାତର ଅନ୍ତର ଓ ଶିକ୍ଷକ ମାନଙ୍କ ଆଚରଣ ଉଚ୍ଚାରଣ କିଛିଟା ପିଲା ଉପରେ ପ୍ରଭାବ ପକାଇଥାଏ I ଛାତ୍ର ଛାତ୍ରୀ ଟିକେ ବଡ଼ ହୋଇଗଲେ ୮ /୧୦ ବର୍ଷ ବେଳକୁ ରାଜନୀତି ଉପରେ କିଛିଟା ଜ୍ଞାନ ଆସିଯାଇଥାଏ I ସହରର ନାମୀ ଦାମୀ ଘରୋଇ ସ୍କୁଲ ଗୁଡିକୁ ଛାଡିଦେଲେ ପ୍ରାୟ ସବୁଠାରେ ରାଜନୀତିର ଚର୍ଚ୍ଚା, ଗ୍ରାମ୍ୟ ପରିବେଶରେ ଏହାର ପ୍ରଭାବ ଖୁବ ବେଶୀ ଦେଖିବାକୁ ମିଳେ I ବିଭିନ୍ନ ଦଳ ରାଜନୈତିକ ସମାବେଶ ପାଇଁ ସ୍କୁଲ ପିଲାଙ୍କୁବି ଛାଡି ନ’ଥାନ୍ତି , ଅନେକ ଜାଗାରେ କୋମଳମତି ବାଳକ , ବାଳିକା ଦଳୀୟ ପତାକା ଧରି ସଭା ସମିତିରେ ଯୋଗ ଦେବାର ନଜିର ଅଛି I ରାଜନୀତି ଆଜି ଏକ ଦୁହାଁଳିଆ ଗାଈ ସଦୃଶ , ସମସ୍ତେ ଆଜି ରାଜନୀତି ପାଇଁ ଆଗହୀ I ଶିକ୍ଷିତ , ଅଶିକ୍ଷିତ , ବେକାର, ଉଚ୍ଚ ଡିଗ୍ରୀ ଧାରୀ, ଇଞ୍ଜିନିଅର , ଡାକ୍ତର , ଓକିଲ , ବାବାଜୀ , ୫ ବର୍ଷ ଆୟୁଷ ନା’ଥିବା ବୃଦ୍ଧ, ବୃଦ୍ଧI, ଭିକ୍ଷା ବୃତ୍ତି କରୁଥିବା ବ୍ୟକ୍ତି ବି ଆଜିକାଲି ପ୍ରାର୍ଥୀପତ୍ର ଦେଇ ନିର୍ବାଚନ ଲଢେଇରେ ଅବତୀର୍ଣ୍ଣ I ଦେଶ ଓ ଜନତାଙ୍କ ସେବା ପାଇଁ ପ୍ରାର୍ଥୀ ମାନେ ଆଗଭର ନା’ ଅନ୍ୟକିଛି ଉଦ୍ଦେଶ୍ୟ ପାଇଁ ଲାଳାୟିତ ? ସେବା କରିବାପାଇଁ ସବୁ ପ୍ରକାର ବାଟ ଅଛି, ରାଜନୀତିରେ ପ୍ରବେଶ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଯେଉଁ ବିଷୟରେ ଶିକ୍ଷାଲାଭ କଲେ, ଯେଉଁଥିରେ ଦକ୍ଷତା ହାସଲ କଲେ ସେଇ କାର୍ଯ୍ୟ କରି ଦେଶସେବା ବା ଜନତାଙ୍କ ସେବା କରିବାକୁ କୁଣ୍ଠିତ କାହିଁକି ? ଆମ ସମ୍ବିଧାନ ଆମକୁ ଅନେକ ସ୍ୱାଧୀନତା ଦେଇଛି ତେଣୁ ସାମ୍ବିଧାନିକ ନିୟମ ଦ୍ୱାରା ଯେ କେହି ପ୍ରାର୍ଥୀ ହେବାରେ କୌଣସି ସମସ୍ୟା ନାହିଁ I

ନିର୍ବାଚନ ୠତୁ ଆସିଲେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସରକାରଙ୍କ ନିର୍ଦେଶ ମାନି ନିର୍ବାଚନ କାର୍ଯ୍ୟରେ ନିଜକୁ ସମର୍ପିତ କରନ୍ତି , ନ’ ହେଲେ ଚାକିରୀ ଯିବାର ଭୟ ଓ ସର୍ବ ଶକ୍ତିମାନ ନିର୍ବାଚନ ଆୟୋଗର କୋପଦୃଷ୍ଟି ପଡ଼ିବାର ଆଶଙ୍କା ଥାଏ I ସରକାର ନିଜ ଅଧୀନରେ ଥିବା କର୍ମଚାରୀଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରନ୍ତି ଫଳରେ ସେମାନେ କାର୍ଯ୍ୟ କରୁଥିବା ସ୍କୁଲରେ ଶିକ୍ଷା ଦେବାରେ ବ୍ୟାଘାତ ସୃଷ୍ଟି ହୁଏ I ସରକାର ଶିକ୍ଷାନୁଷ୍ଠାନର ଉନ୍ନତି କରୁଥିବାବେଳେ , ଡିଜିଟାଇଜେସନ , ସ୍ମାର୍ଟ ବୋର୍ଡ , ଚକ ଖଡ଼ି, ଡଷ୍ଟର, ବ୍ଳIକ ବୋର୍ଡ ରହିତ ଶିକ୍ଷା , ନୂତନ ଶ୍ରେଣୀଗୃହ , ଉନ୍ନତ ମାନର ଚୌକି ଟେବୁଲ, ଉଜ୍ଜଳ ଆଲୋକ, ଫୁଲ ଫଳରେ ପୂର୍ଣ୍ଣ ବାଡ଼ିବଗିଚା , ଜୀବାଣୁ ରହିତ ପାନୀୟ ଜଳ, ପୋଷାକ , ସୁଷମ ଖାଦ୍ୟ , କ୍ରୀଡା ସାମଗ୍ରୀ , ଇଣ୍ଟରନେଟ , ଦଣ୍ଡମୁକ୍ତ ପରିବେଶ , ବସ୍ତାନି ହାଲୁକା କରିବାର ନିୟମ କରିଦେଇ ଖୁବ ସୁନାମର ଅଧିକାରୀ ହେବା ସହିତ ବିଶ୍ୱ ସ୍ଥରୀୟ ମାନ୍ୟତା ପାଇବାକୁ ଯୋଗ୍ୟ ବୋଲି ଖୁବ ପ୍ରଚାର ପ୍ରସାର ହେଉଛି I ଏହା ସତ୍ୟ, ଯେକେହି ମଡେଲ ସ୍କୁଲ ଗୁଡିକକୁ ବାହାରୁ ଦେଖିବେ ଘଡ଼ିଏ ରହିଯିବେ ….. କିନ୍ତୁ ଏହି ସ୍କୁଲ ଚାଲିବ କେମିତି ? ଚଳାଇବ କିଏ? ଖାଲି ବIତIନୁକୂଳିତ କାର୍ଯ୍ୟାଳୟରେ ବସି ପରିକଳ୍ପନା କରିବା ଅପେକ୍ଷା ବାସ୍ତବତାକୁ ଅଙ୍ଗେ ଅଙ୍ଗେ ଅନୁଭବ କରିବା ଉଚିତ I ଶିକ୍ଷକ ବିହୀନ ସ୍କୁଲ, ଚାଳକ ବିହୀନ ଗାଡି ଓ ଅଙ୍କୁଶ ବିହୀନ ହସ୍ତୀ ପରି ଅବସ୍ଥା I ସରକାର କେତେବେଳେ ଶିକ୍ଷକ ମାନକୁ ନିର୍ବାଚନ ତ ‘ କେତେବେଳେ ଜନଗଣନା ତ ‘ କେତେବେଳେ ଆଉ କିଛି କାର୍ଯ୍ୟରେ ନିୟୋଜିତ କରିଥା’ନ୍ତି I ଶିକ୍ଷକ ମାନେ ଦେଶର ମେରୁଦଣ୍ଡ ସେମାନେ ନ’ ଥିଲେ ଆମେ ଆଜି ଯେଉଁ ମୂର୍ଖକୁ ସେଇ ମୂର୍ଖ ହୋଇ ଥା’ନ୍ତୁ , ଶିକ୍ଷକ ମାନଙ୍କୁ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ ନ’ କରି ଏକ ଶୃଙ୍ଖଳିତ ପରିବେଶ ତିଆରି କରି କେବଳ ଶିକ୍ଷା ଏବଂ ଶିକ୍ଷାର ଉନ୍ନତି ପାଇଁ ଯାହା ଆବଶ୍ୟକ କେବଳ ସେହି କାର୍ଯ୍ୟରେ ନିୟୋଜିତ କରନ୍ତୁ I ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ହାତଚିକ୍କଣ କରିବାକୁ ବା ଉପରିସ୍ଥ ବାବୁ ମାନଙ୍କ ପ୍ରିୟପାତ୍ର ହେବାକୁ ନିଜ ଦାୟିତ୍ୱକୁ ଜଳାଞ୍ଜଳି ଦେଇ ନିଜ ତରଫରୁ ନିଜ ଦାୟିତ୍ୱ ଠାରୁ ଦୁରେଇ ରହୁଛନ୍ତି ତଥା ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେବାକୁ ବି ପଶ୍ଚ୍ୟIତପଦ ହେଉ ନାହାନ୍ତି I ସେମାନେ ନିଜେ ନିଜର ଆତ୍ମସମିକ୍ଷା କରିବା ଉଚିତ ଯେ, ସେମାନେ ଯେଉଁଥି ସରକାରଙ୍କ ଠାରୁ ପାଇଁ ଦରମା ପାଉଛନ୍ତି ତାହା ବଦଳରେ ସେମାନେ ଶିକ୍ଷାର ଉନ୍ନତି ପାଇଁ ନିଜକୁ କେତେ ସମର୍ପଣ କରୁଛନ୍ତି ? ଶିକ୍ଷାର ବିକାଶ କେତେ ହେଉଛି? ଦେଶ ତା’ଙ୍କଠାରୁ କ’ଣ ଆଶା କରୁଛି? ଆଜିର ଛାତ୍ର, ଛାତ୍ରୀ ତଥା ଆଗାମୀ କାଲିର ନାଗରିକଙ୍କ ଭବିଷ୍ୟତ କ’ଣ ହେବ? ଏହା ଏକ ଗୁରୁତ୍ତ୍ୱ ପୂର୍ଣ୍ଣ ବିଷୟ , ହୁଏତ କିଛି ବ୍ୟକ୍ତି ଏହି କଥାକୁ ନା’ପସନ୍ଦ କରିବେ ତେବେବି ବର୍ତ୍ତମାନ ଆତ୍ମ ସମୀକ୍ଷା କରିବାର ବେଳ ଉପନୀତ I ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଲେ ଦେଶ ଭୁଶୁଡି ପଡିବ ଏହା ନିଃସନ୍ଦେହ I ଶିକ୍ଷକ ମାନଙ୍କୁ ନିଜ କର୍ତ୍ତବ୍ୟ କରିବାକୁ ଦିଅନ୍ତୁ, ତା’ଙ୍କ ଭଲ କାମ ପାଇଁ ପ୍ରୋତ୍ସାହନ ଦିଆ ଯିବା ସହିତ ଦୁର୍ନୀତିଖୋର ଶିକ୍ଷକ ମାନଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରିବା ଉଚିତ , ଶିକ୍ଷାଧିକାରୀ ମାନେ ଆଜିକାଲି ଆଉ ସ୍କୁଲ ଗସ୍ତ କରୁନ’ଥିବା ପରି ମନେହୁଏ I ନିକଟ ଅତୀତରେ ଶିକ୍ଷା ମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଆଉ ଅଚାନକ ସ୍କୁଲ ପରିଦର୍ଶନ କଥା ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି I ନକଲି ଶିକ୍ଷକ ଆଉ ତା’ଙ୍କୁ ପ୍ରୋତ୍ସାହିତ କରୁଥିବା ଅଧିକାରୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ , ଏଠି ତ’ କମ୍ବଳ ଯାକ ବାଳ , କାହାକୁ ଧୋଇବା ଆଉ କାହାକୁ ବାଛିବା? ସତ କହିବାକୁ ଗଲେ କେହି କାହାରିକୁ ମାନିବାକୁ ଚାହୁଁ ନାହାନ୍ତି, ଏହାପଛର ରହସ୍ୟ କଣ? ଅରାଜକତା ଛଡା କିଛି ନୁହେଁ I ତେଣୁ କଥାରେ ଅଛି “ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ” I ଅନ୍ୟାନ୍ୟ ସରକାରୀ କାର୍ଯ୍ୟରୁ ଶିକ୍ଷକ ମାନଙ୍କୁ ଦୁରେଇ, କେବଳ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦେବେ ଏହି ନିୟମ କଡା କଡ଼ି ପାଳନ ହେଲେ ଶିକ୍ଷାର ବିକାଶ ହେବ I ଶିକ୍ଷକ ସମାଜରେ ଏକ ସମ୍ମାନିତ ବ୍ୟକ୍ତିତ୍ୱ , ଶିକ୍ଷକଙ୍କୁ ସମ୍ମାନ ଦେଇ ଜାଣିଲେ ଆମ ପିଲା ଭବିଷ୍ୟତରେ ସମ୍ମାନ ନିଶ୍ଚୟ ପାଇବେ ଏହା ନିଃସନ୍ଦେହ I

Leave a Reply

Your email address will not be published. Required fields are marked *