ଅସରାଏ ବର୍ଷା ଆଜି ଜନଜୀବନ ଅସ୍ତ ବ୍ୟସ୍ତ କରି ଦେଉଛି

ଫୋକସ ପ୍ଲସ (ବ୍ୟୁରୋ)୧୩/୦୭/୨୦୨୨ : ଅସରାଏ ବର୍ଷା ଆଜି ଜନଜୀବନ ଅସ୍ତ ବ୍ୟସ୍ତ କରିଦେଉଛି । ସମସ୍ତେ କାନ୍ଦୁଛନ୍ତି କିନ୍ତୁ କାହାରି ଆଖିରେ ଲୁହ ନାହିଁ। ଏହା କେବଳ ରୁଗ୍ଣ ରାଜନୀତି ଛଡା ଆଉ କିଛି ନୁହେଁ। ଅସରାଏ ବର୍ଷା ଆଉ ଦୈତ୍ୟ ନଗରୀ ଜଳାର୍ଣ୍ଣବ ଏହା ତ’ ଆଜିର କଥା ନୁହେଁ ଏହା ବର୍ଷ ବର୍ଷର ସମସ୍ୟା, ଆଉ ଇଛା ଶକ୍ତି ଥିଲେ ଏହାର ସମାଧାନ ମଧ୍ୟ ଅସମ୍ଭବ ନୁହେଁ। ଏଥିପାଇଁ ଦୃଢ଼ ମନୋବଳ ଦରକାର । ସରକାରଙ୍କ କାର୍ଯ୍ୟ ଶୈଳୀକୁ ବିରୋଧ କରୁଥିବା ନେତା ଓ ବ୍ୟକ୍ତିବିଶେଷ ଖାଲି ଭାଷଣ ନ’ ଦେଇ ସରକାରଙ୍କ ସହିତ ବସି ଆଲୋଚନା କରିବା ଉଚିତ। ଚୁମ୍ବକରେ କିଛିଟା ବିଷୟ ନିମ୍ନରେ ଦିଆଗଲା ଏହାକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ :
(୧) ଜଳ ନିଷ୍କାସନ ହେଉ ନ’ଥିବା ଜାଗା ଗୁଡିକ ଚିହ୍ନଟ। (୨) ଜଳ ନିଷ୍କାସିତ ନ’ ହେବାର କାରଣ କ’ଣ? (୩) କ’ଣ ପଦକ୍ଷେପ ନିଆଯାଇଛି ଓ କ’ଣ ଅଧିକ ପଦକ୍ଷେପ ନିଆଯିବ? (୪) ସରକାରୀ ନାଳ ଉପରେ ଥିବା ଜବର ଦଖଲ କଠୋର ଭାବେ ଉଚ୍ଛେଦ(ଏଠାରେ ଭୋଟ୍ ବ୍ୟାଙ୍କ ଜଡିତ ଥାଇପାର) (୫) ନଗର ଉନ୍ନୟନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଉଚିତ (୬) ଠିକାଦାର ମାନଙ୍କ କାର୍ଯ୍ୟଶୈଳୀ ତଥା କାର୍ଯ୍ୟର ମାନ ନିର୍ଧାରଣ କରିବା (୭) ନାଳ ଗୁଡିକର ଜଳ ନିଷ୍କାସନ କ୍ଷମତା ଓ ଏହାର ସଠିକ ଲେବୁଲ ଉପରେ ବୈଜ୍ଞାନିକ ପ୍ରଣାଳୀରେ ନିର୍ଣ୍ଣୟ ନେବା ( ୮) ବସ୍ତି ବାସିନ୍ଦାଙ୍କ ଦ୍ୱାରା ଜଳ ନିର୍ଗମ ବ୍ୟବସ୍ଥା ଅବରୋଧକୁ ଦୃଢ ହସ୍ତରେ ଦମନ କରିବା (୯) କାର୍ଯ୍ୟଶୈଳୀରେ ପ୍ରିୟପ୍ରୀତି ତୋଷଣ ଓ ପଲିଥିନ ହଟାଇବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ତ୍ୱ ଦେବା (୧୦) ବିଭାଗୀୟ ଅଧିକାରୀ ମାନଙ୍କୁ ଜଳ ନିଷ୍କାସନ କାର୍ଯ୍ୟରେ ଅବହେଳା ପାଇଁ ଉତ୍ତରଦାୟୀ କରିବା ସହିତ ଆଇନ ଅନୁଯାଇ ଦଣ୍ଡିତ କରିବା (୧୧) ସବୁ ବିଭାଗର ସମନ୍ୱୟ ଏବଂ ଜଣେ ନିଷ୍ଠIବାନ ଯୁବ ସଚିବଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ତଥା କଠିନ ଅନୁଶାସନ ଦ୍ୱାରା ଏହା ସମ୍ଭବ ହୋଇ ପାରିବ I
ସରକାର ଅର୍ଥ ଦେବାକୁ ମନା କରିନାହାନ୍ତି, ସହଯୋଗ କରିବାକୁ ମନା କରୁନାହାନ୍ତି ତେବେ? କେବଳ ସମନ୍ୱୟ ତଥା ନିଷ୍ଠାରର ଘୋର ଅଭାବ ପରିଲକ୍ଷିତ ହେଉଥିବାରୁ ଆଜି ଦୈତ୍ୟ ନଗର ବାସୀ ଘୋର ଜଳବନ୍ଦୀ ସମସ୍ୟାର ସମ୍ମୁଖିନ, ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି, ଖାଇବାକୁ ନାହିଁ କି ଶୋଇବାକୁ ସ୍ଥାନ ନାହିଁ। ଯାବତୀୟ ଆସବାବପତ୍ର ଜଳରେ ନଷ୍ଟ, ଅସହାୟ ଅବସ୍ଥାରେ ପୀଡିତ ଜନତା କେବଳ ଭଗବାନଙ୍କୁ ଡାକୁଛନ୍ତି। କୋଟି କୋଟି ଟଙ୍କା ଦେଇ ବିଦେଶରୁ ପାଣିପମ୍ପ ଆସିଛି ଯାହା ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହୋଇ ଯିବାକୁ ବସିଲାଣି , ଏଥି ପ୍ରତି କାହାରି ଧ୍ୟାନ ନାହିଁ I କଥାରେ ଅଛି “ସରକାର କା ମାଲ ନା’ ଦରିଆମେ ଡାଲ ” I କଟକ ସହରର ଜାଇକା କାମ କେବେ ସରିବ ତା’ର ସଠିକ ଉତ୍ତର କୋଣସି ବାବୁଙ୍କ ପାଖରେ ନାହିଁ , ଏପରିକି ସ୍ଥାନୀୟ ବିଧାୟକ ମଧ୍ୟ ପଙ୍କରେ ପଶି ଅଭିନବ ଉପାୟରେ ନିଜେ ନିର୍ବାଚନ ମଣ୍ଡଳୀର ଅସୁବିଧା ଜାହିର କରି ସାରିଲେଣି I ମନ୍ତ୍ରୀ, ଯନ୍ତ୍ରୀ, ତନ୍ତ୍ରୀ ସବୁ ଏକା ଲାଉର ମଞ୍ଜି ସମସ୍ତେ ନିଜ ଅଧସ୍ତନ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେବାରେ ହେଳା କରନ୍ତି ନାହିଁ କିନ୍ତୁ କାମ କିଏ କରିବ? ଆଉ କିଏ ତା’ର ମାନ ଯାଞ୍ଚ କରିବ? ଶେଷରେ ଯଦି କାମ ଖରାପ ହେଲା ତେବେ ‘ମାର ମାର ଭଣ୍ଡାରୀଆକୁ ମାର’ ନୀତିରେ କିଛି ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆହୁଏ I କଟକ ସହରର ପ୍ରଧାନ ନାଳ ବକ୍ସ ଟାଇପ ହେଉଛି , ଅସରନ୍ତି କାମ କେବେ ସରିବ ତା’ର ହିସାବ ନାହିଁ , ଏବେ ଦେଖାଯାଉଛି ବକ୍ସ ଭିତରେ ଜଳ ନିଷ୍କାସନ ନ’ହୋଇ ବର୍ଷା ଜଳ ଅର୍ଦ୍ଧ ନିର୍ମିତ ବକ୍ସ ଉପର ଦେଇ ଯାଉଛି ଏବଂ ବକ୍ସ ତଳ କେବଳ ପଙ୍କ ତଥା ଅଳିଆ ଆବର୍ଜନାରେ ପୂର୍ଣ୍ଣ I ଭୁବନେଶ୍ୱର ଅବସ୍ଥା- ‘ ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ’ , ଆମ ରାଜଧାନୀ କୁଆଡେ ସ୍ମାର୍ଟ ସିଟି , ପ୍ୟାରିସ ସହର ଠାରୁ ବି ଉନ୍ନତ ବୋଲି କତ୍ତୃପକ୍ଷ ଡିଣ୍ଡିମ ପିଟୁଥିଲେ , ତେବେ ବର୍ଷା ହେଲେ ସହରର ବିଭିନ୍ନ ସ୍ଥାନ ଏପରି ଜଳ ବନ୍ଦୀ କାହିଁକି ହେଉଛି ? ଆପଣମାନଙ୍କର ଯଦି ଜଳ ନିଷ୍କାସନ ଉପରେ ବିଶେଷ ଜ୍ଞାନ ନାହିଁ ତେବେ ବିଦେଶୀ ଜ୍ଞାନ ଦ୍ୱାରା ଏହି ଅସୁବିଧାକୁ ଦୂର କରନ୍ତୁ ଏଥିରେ ଲଜ୍ଜା କରିବାର କ’ଣ ଅଛି ? ଛତୁ ଫୁଟିଲା ପରି ହଜାର ହଜାର ଯାନ୍ତ୍ରିକ ମହାବିଦ୍ୟାଳୟ ଖୋଲି ବ୍ୟବସାୟ କରିବା ଠାରୁ ଭଲ ଯନ୍ତ୍ରୀ କିପରି ବାହାରିବେ ଏବଂ ଦେଶର ନାମ ରଖିବେ ସେହି ଆଡକୁ ଦୃଷ୍ଟି ଦିଅନ୍ତୁ I ଜାପାନ ଦେଶର ଟୋକିଓ ସହରର ଜଳ ନିଷ୍କାସନ ବ୍ୟବସ୍ଥା ଅନୁଧ୍ୟାନ କରିବା ଉଚିତ, ଭୂମିଗତ ସୁଢ଼ଙ୍ଗ ଦ୍ୱାରା ସେମାନେ ଅଧିକ ବର୍ଷା ଜଳକୁ ଦୁରକୁ ନେଇଯାଇ ନଦୀରେ ଛାଡିଦେଇଥାନ୍ତି I ସତ କହିବାକୁ ଗଲେ ଆମର ଇଛାଶକ୍ତିର ଘୋର ଅଭାବ ଆଉ ଯେଉଁମାନେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଇଛା କରନ୍ତି ସେମାଙ୍କୁ କୌଣସି ନା’ କୌଣସି ବାଟରେ ବାଧା ଦିଆ ଯାଏ , କାରଣ ତାହାର ପଛରେ କିଛି ନିଜସ୍ୱ ସ୍ୱାର୍ଥ ଜଡିତ ଥାଏ I ଆଜି ଉତ୍କଳମଣି ଗୋପବନ୍ଧୁ ଦାସ ନାହାନ୍ତି କି ତାଙ୍କର ବାଣୀକୁ କେହି ମନେ ରଖି ନାହାନ୍ତି, ଏପରି କିଛି ଲୋକ ଥିବେ ଯେଉଁମାନେ କି ଉତ୍କଳମଣି ଗୋପବନ୍ଧୁ ଦାସ ମହାଶୟଙ୍କୁ ମଧ୍ୟ ଜାଣି ନଥିବେ I ଦେଶ ସ୍ୱାଧୀନତା ପୂର୍ବରୁ ଏକଦା ସେ କହିଥିଲେ ” ମିଶୁ ମୋର ଦେହ ଏ’ ଦେଶ ମାଟିରେ , ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ , ଦେଶର ସ୍ଵରାଜ୍ୟ ପଥେ ଅଛି ଯେତେ ଗାଡ଼, ପୁରୁ ତହିଁ ପଡି ମୋର ମାଂସ ହାଡ଼ ” ଏବଂ ଆଜିର ଯୁଗରେ ଅଧିକାଂଶ ଦେଶ ବାସୀ କେମିତି ଦେଶକୁ ଲୁଟିବେ ସେଇ ଚିନ୍ତାରେ ଅଛନ୍ତି ତେଣୁ କେବଳ ଜଳ ନିଷ୍କାସନ ନୁହେଁ ସବୁ ପ୍ରକାର ଜନ ହିତକାରୀ କାର୍ଯ୍ୟରେ ଘୋଟାଲା, ଠକାମୀ, ତଥା ନିମ୍ନ ମାନର କାର୍ଯ୍ୟ ଆମେ ଦେଖୁଛୁ I ଯେତେଦିନ ପର୍ଯ୍ୟନ୍ତ ଆମେ ନିଜ ସ୍ୱାର୍ଥ ଛାଡ଼ି ଦେଶକୁ ଭଲ ପାଇବାକୁ ନ’ଶିଖିବା, ସେତେଦିନ ପର୍ଯ୍ୟନ୍ତ ଆମେ ଏହିପରି ଦୁଃଖକୁ ସାମ୍ନା କରୁଥିବା I ଖାଲି କଟକ, ଭୁବନେଶ୍ୱର ନୁହେଁ , ଓଡ଼ିଶାର ଅନେକ ଛୋଟ ବଡ଼ ସହର ଆଜି ଜଳବନ୍ଦୀ ଜନିତ ସମସ୍ୟା ଭିତରେ ଗତିକରୁଛି I ଅନେକବାର ଉଚ୍ଚ ନ୍ୟାୟାଳୟ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଲେଣି, ନିର୍ଦ୍ଦେଶ ନିର୍ଦ୍ଦେଶ ଜାଗାରେ ଆଉ କାର୍ଯ୍ୟ ଶୂନ୍ୟ I ନେତୃତ୍ୱ ନେଉଥିବା ବିଜ୍ଞ ବ୍ୟକ୍ତି ମାନଙ୍କୁ ଅନୁରୋଧ ଆରୋପ ପ୍ରତ୍ୟାରୋପ ଛାଡି କିପରି ସମାଧାନ ହେବ ତା’ର ସୁଗମ ପଥ ନିର୍ଦ୍ଧାରଣ କରନ୍ତୁ। ଲେଖାଟି ସମ୍ପୂର୍ଣ୍ଣ ଭାବେ ମୋର ନିଜସ୍ୱ ମତ , କୋଣସି ବ୍ୟକ୍ତି ବିଶେଷ, ସରକାରୀ ଅନୁଷ୍ଠାନକୁ ଆକ୍ଷେପ କରି ଲେଖିନାହିଁ I ଯଦି କାହାରି ପଦ ପଦବୀ ବା ସମ୍ମାନ ଉପରେ ଆଞ୍ଚ ଆସୁଥାଏ ତେବେ ନିସର୍ତ୍ତ କ୍ଷମା ମାଗି ନେଉଛି I

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *