ଘାତକ ପ୍ଲାଷ୍ଟିକ

ଫୋକସ ପ୍ଲସ (ବ୍ୟୁରୋ)୧୪/୦୭/୨୦୨୨: ଏଇ କିଛି ଦିନ ତଳେ ମହାସାଗର ପ୍ରଦୂଷଣ ବିଷୟରେ ପଢିବା ସମୟରେ ଗୋଟିଏ ତଥ୍ୟ ମୋତେ ବହୁତ ବିଚଳିତ କରିଥିଲା ଯେ, ବାର୍ଷିକ ପାଖାପାଖି ୮୦ ଲକ୍ଷ ଟନର ପ୍ଲାଷ୍ଟିକ ଆବର୍ଜନା ମହାସାଗର ଗୁଡିକରେ ମିଶିଥାଏ ବା ଆମ ଦୈନନ୍ଦିନ ଓ ବିଚାରହୀନ କାର୍ଯ୍ୟକଳାପ କାରଣରୁ ପ୍ରତି ମିନିଟ୍ ରେ ଗୋଟିଏ ଅଳିଆ ବୋଝେଇ ଟ୍ରକ୍ ପରିମାଣର ପ୍ଲାଷ୍ଟିକ ଅଳିଆ ମହାସାଗରରେ ମିଶିଥାଏ। ଆଉ ହୁଏତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପୃଥିବୀରେ ପ୍ରତିବର୍ଷ ୫୦୦ ବିଲିୟନ୍ ପ୍ଲାଷ୍ଟିକ ବ୍ୟାଗ୍ ବା ଯାହାକୁ ଆମେ ସାଧାରଣତଃ ପଲିଥିନ୍/ଜରି କହିଥାଉ ବ୍ୟବହାର କରାଯାଏ। ମାନେ ୫୦୦,୦୦୦,୦୦୦,୦୦୦ ବା ହାରାହାରି ପ୍ରତି ମିନିଟରେ ୧ମିଲିୟନ ସ°ଖ୍ୟକ। ଅନ୍ୟ ଉପାୟରେ କହିଲେ ପୃଥିବୀ ପୃଷ୍ଠର ପ୍ରତ୍ୟେକ ମଣିଷ (ସ୍ତ୍ରୀ, ପୁରୁଷ, ଛୁଆ) ବର୍ଷକୁ ୮୩ଟି ବା ପ୍ରତି ସାଢେ ଚାରିଦିନରେ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର କରନ୍ତି ଏବଂ ସାରା ପୃଥିବୀରେ ବ୍ୟବହାର କରାଯାଉଥିବା ଏହି ୫୦୦ ବିଲିୟନ୍ ପ୍ଲାଷ୍ଟିକ ବ୍ୟାଗରୁ ୧୦୦ ବିଲିୟନ୍ କେବଳ ଯୁକ୍ତରାଷ୍ଟ୍ର ଆମେରିକା ହିଁ କରିଥାଏ।
୧୮୯୮ ମସିହାରେ ଜର୍ମାନ ବୈଜ୍ଞାନିକ ହାନ୍ସ ଭେନ୍ ଏବଂ ତାଙ୍କ ସହକର୍ମୀ ଉଇଜେନ୍ ବାମବର୍ଗର ଓ ଫ୍ରିଡ୍ରିଚ ଚିଚର୍ନର୍ ଡାଏଜୋମିଥେନ୍ କୁ ଗରମ ବା heat କରୁଥିବା ସମୟରେ ଭୁଲରେ ବା accidentally ପଲିଥିନର ଆବିଷ୍କାର କରିଥିଲେ। ସେମାନେ ଏହାକୁ ଧଳା ମହମ ପରି ପଦାର୍ଥ ତଥା ଏଥିରେ long -CH2- ଶୃଙ୍ଖଳା ଥିବା ବର୍ଣ୍ଣନା କରି ଏହାକୁ polymethylene ନାମ ଦେଇଥିଲେ। ୧୯୩୩ ମସିହାରେ ଏରିକ୍ ଫ୍ୟାସେଟ୍ ଓ ରେଜିନାଲ୍ଡ ଗିବସନ୍, ଇମ୍ପେରିଆଲ୍ କେମିକାଲ୍ ଇଣ୍ଡଷ୍ଟ୍ରିଜ୍, ନର୍ଥଓ୍ବିଚ୍, ଇ°ଲଣ୍ଡରେ କାମ କରୁଥିବା ସମୟରେ ପୁନର୍ବାର ଏହି ଧଳା, ମହମ ପରି ପଦାର୍ଥକୁ ଭୁଲ ବା accidentally ପାଇଥିଲେ। ଏହାର ନମନୀୟତା (elasticity) ହିଁ ସେତେବେଳେ ଦୃଷ୍ଟି ଆକର୍ଷଣର କାରଣ ଥିଲା। କିନ୍ତୁ ଯେହେତୁ ଏହି ପଦାର୍ଥ ଗୋଟିଏ ଭୁଲ ପରୀକ୍ଷଣର ପରିଣାମ ଥିଲା, ଏହାକୁ ପୁଣିଥରେ ପ୍ରସ୍ତୁତ କରିବାରେ ସମସ୍ତେ ବାରମ୍ବାର ବିଫଳ ହେଉଥିଲେ। ୧୯୩୫ ମସିହାରେ ଇମ୍ପେରିଆଲ୍ କେମିକାଲ୍ ଇଣ୍ଡଷ୍ଟ୍ରିଜ୍ ର ମାଇକେଲ୍ ପେରିନ୍ ହିଁ polyethylene ପ୍ରସ୍ତୁତ କରିବାର ସଠିକ୍ ପ୍ରଣାଳୀର ସିଦ୍ଧାନ୍ତରେ ପହଞ୍ଚିଥିଲେ। ଏହାର ଅତ୍ୟଧିକ ନମନୀୟତା ଓ ଚାପକୁ ସହିବା ଗୁଣ ଯୋଗୁଁ ଇ°ରେଜ ସେନା ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ପ୍ରଥମେ ଗୋପନରେ ଏହାକୁ ରାଡାର୍ କେବଲ୍ ଇନସୁଲେଟର୍ ହିସାବରେ ବ୍ୟବହାର କରିଥିଲେ। ୧୯୩୯ ବେଳକୁ ଲୋ ଡେନ୍ସିଟି ପଲିଇଥାଇଲିନ୍ ବା LDPE ର ବ୍ୟାବସାୟିକ ନିର୍ମାଣ ଆରମ୍ଭ ହୋଇଥିଲା। ଅକ୍ସାଇଡ୍ ଇନିସିଏଟରର ଉପସ୍ଥିତିରେ, ଅତ୍ୟଧିକ ଚାପ (ପ୍ରାୟ 350 ମେଗାପାସ୍କାଲ୍, କିମ୍ବା 50,000 ପାଉଣ୍ଡ୍ ପ୍ରତି ବର୍ଗ ଇଞ୍ଚ ପର୍ଯ୍ୟନ୍ତ) ଏବଂ ଉଚ୍ଚ ତାପମାତ୍ରା (ପ୍ରାୟ 350 ° C [660 ° F] ପର୍ଯ୍ୟନ୍ତ) ପ୍ରଭାବରେ ଗ୍ୟାସୀୟ ଇଥାଇଲିନ୍ ରୁ LDPE ପ୍ରସ୍ତୁତ କରାଯାଏ। ଏହି ପ୍ରକ୍ରିୟା ଉଭୟ ଲଙ୍ଗ୍ ଓ ସର୍ଟ ବ୍ରାଞ୍ଚ୍ ଯୁକ୍ତ ପଲିମର୍ ଷ୍ଟ୍ରକଚର୍ ବନାଇଥାଏ। ଏହି ବ୍ରାଞ୍ଚ୍ ବା ଶାଖା ଗୁଡିକ ହିଁ polyethylene molecules ବା କଣିକା ଗୁଡିକୁ ଯାକଯାକ କିମ୍ବା କଠୋର ଭାବରେ ଆୟୋଜିତ ହେବାରୁ ବଞ୍ଚିତ କରେ ତଥା polyethylene କୁ ନମନୀୟ ବା flexible କରେ। ଏହାକୁ ମୁଖ୍ୟତଃ ପ୍ୟାକେଜି°, ଫିଲ୍ମ, ବ୍ୟାଗ୍, ତାର, କେବଲ୍, ଇନସୁଲେସନ୍, ଖେଳନା, ଷ୍ଟ୍ର, ଫୁଡ୍ ପ୍ୟାକେଜି°, ବୋତଲ ଓ ଘରୋଇ ଉପକରଣ (ସିଙ୍ଗଲ ୟୁଜ ପ୍ଲାଷ୍ଟିକ) ତିଆରିରେ ବ୍ୟବହାର କରାଯାଏ। ୧୯୬୫ ମସିହାରେ ସ୍ବିଡିସ୍ କମ୍ପାନୀ ସେଲୋପ୍ଲାଷ୍ଟ ପ୍ରଥମଥର ପାଇଁ ଇଞ୍ଜିନିୟର ଷ୍ଟେନ୍ ଗୁସ୍ତାଫ୍ ଥୁଲିନ୍ ଙ୍କ ଦ୍ବାରା ପରିକଳ୍ପିତ ଓ ନିର୍ମିତ ପ୍ଲାଷ୍ଟିକ ସପି° ବ୍ୟାଗ୍ ର ପ୍ୟାଟେନ୍ସି ପାଇଁ ଦରଖାସ୍ତ ଦେଇଥିଲା। ଯାହା ଖୁବ କମ ସମୟ ମଧ୍ୟରେ ୟୁରୋପୀୟ ବଜାରରେ କପଡା ଓ କାଗଜ ବ୍ୟାଗ୍ ର ଜାଗା ନେବା ଆରମ୍ଭ କରିଦେଇଥିଲା। ୧୯୭୯ ବେଳକୁ ୟୁରୋପୀୟ ବଜାରର ୮୦% ପ୍ଲାଷ୍ଟିକ ବ୍ୟାଗ୍ ର କବଜାରେ ଥିଲେ ଏବଂ ଏହା ଦୃତ ଗତିରେ ପୃଥିବୀର ଅନ୍ୟ ବଜାର ଗୁଡିକରେ ମଧ୍ୟ ବ୍ୟାପିବାରେ ଲାଗିଥିଲା। ସତୁରୀ ଦଶକରେ ବଜାରରେ ଏକ ନୂତନ ଭାବନା ଓ ଧାରା ହିସାବରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ ବ୍ୟାଗ୍ ର ଏଇ କିଛି ବର୍ଷ ମଧ୍ୟରେ ଏତେ ବହୁଳ ପ୍ରସାର ଘଟିଛି ଯେ ଏହା ଏବେ ଆମ ବଜାର ଓ ଘରୁ ଯାଇ ଗଭୀର ସମୁଦ୍ରତଳ ଠୁ ଆରମ୍ଭ କରି ଏଭେରେଷ୍ଟର ସୁଉଚ୍ଚ ଶୃଙ୍ଗ ଉପରେ ଏବଂ ବରଫାବୃତ୍ତ ମେରୁ ଅଞ୍ଚଳରେ ମଧ୍ୟ ଠାବ କରାଯାଉଛି।
ଏଇ ନିକଟରେ, ୧ ଜୁଲାଇ ୨୦୨୨ରୁ ଭାରତ ସରକାର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବା ଥରେ ବ୍ୟବହାର କରି ଫୋପାଡ଼ି ଦିଆଯାଉଥିବା ପ୍ଲାଷ୍ଟିକ (from packaging of items, to bottles (shampoo, detergents, cosmetics), polythene bags, face masks, coffee cups, cling film, trash bags, food packaging) କୁ ବ୍ୟାନ୍ ବା ଏହାର ବ୍ୟବହାର ଉପରେ ନିଷେଧାଦେଶ ଜାରିକରିଛନ୍ତି। କିନ୍ତୁ ସରକାରଙ୍କର ଏହି ପଦକ୍ଷେପ ନେବା ପଛରେ ଥିବା ଚିନ୍ତା ଓ କାରଣକୁ ନବୁଝିଲେ, ଆମ ପକ୍ଷରେ ଏହାକୁ ମାନିବା ଓ କାର୍ଯ୍ୟକାରୀ କରାଇବା ଅସମ୍ଭବ ହୋଇପଡିବ। ପୃଥିବୀରେ ନିର୍ମାଣ ହେଉଥିବା ୮୭% ପ୍ଲାଷ୍ଟିକର ରିସାଇକ୍ଲି° ବା ପୁନରୁଦ୍ଧାର ହୋଇନଥାଏ। ପ୍ଲାଷ୍ଟିକର ଜୀବନ ଜୀବାଶ୍ମ ଇନ୍ଧନ ହିସାବରୁ ଆରମ୍ଭ ହୋଇ ଲ୍ୟାଣ୍ଡଫିଲ୍ସ ଓ ସମୁଦ୍ରର ଘାତକ ଆବର୍ଜନା ହିସାବରେ ଶେଷ ହୁଏ। ଲ୍ୟାଣ୍ଡଫିଲ୍ସରେ ପ୍ଲାଷ୍ଟିକକୁ ଭାଙ୍ଗି ନଷ୍ଟ ହେବାକୁ ପାଖାପାଖି ୧୦୦୦ ବର୍ଷ ଲାଗିଯାଏ। ତଥାପି ଏହା ସମ୍ପୂର୍ଣ୍ଣ ନଷ୍ଟ ନହୋଇ, ଫଟୋ ଡିଗ୍ରେଡ୍ ହୋଇ ଛୋଟଛୋଟ ବା ମାଇକ୍ରୋ-ପ୍ଲାଷ୍ଟିକରେ ପରିଣତ ହୋଇ ବିଷାକ୍ତ ରସାୟନ ଗ୍ରହଣ ଓ ନିର୍ଗତ କରି ପରିବେଶକୁ ପ୍ରଦୂଷିତ କରୁଥାନ୍ତି। ସାଧାରଣତଃ ବଟଲ୍, ବ୍ୟାଗ୍ ଓ ଖାଦ୍ୟପ୍ୟାକେଜି°ରେ ବ୍ୟବହୃତ ପ୍ଲାଷ୍ଟିକ ଘାତକ ରସାୟନ ଯୁକ୍ତ ହୋଇଥାନ୍ତି। ଏଗୁଡିକ ଏଣ୍ଡୋକ୍ରାଇନ୍ ସିଷ୍ଟମକୁ ପ୍ରଭାବିତ କରି ହରମୋନାଲ୍ ଇମବାଲାନ୍ସ, କର୍କଟ, ରୋଗପ୍ରତିଷେଧକ ଶକ୍ତି କମାଇବା, ବାର୍ଥ ଡିଫେକ୍ଟ/ ଜନ୍ମଗତ ତୃଟି ଆଦିର କାରଣ ହୋଇଥାନ୍ତି। ଚଢେଇମାନେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ୍ ଓ ସିଟ୍ ର ଛୋଟ ଖଣ୍ଡ ଗୁଡିକୁ ଖାଦ୍ୟ ଭାବି ଖାଇଦେଇଥାନ୍ତି। ଅଳିଆଗଦା, ରାସ୍ତା ଓ ପଡିଆରେ ପଡିଥିବା ପ୍ଲାଷ୍ଟିକ ବ୍ୟାଗ୍ କୁ ଗାଈଗୋରୁ ଖାଇବା ଏବେ ଭାରି ମାମୁଲି କଥା। କିନ୍ତୁ ଏହାଦ୍ୱାରା ସେମାନେ ଅନେକ ସମୟରେ ଶ୍ବାସରୁଦ୍ଧ ହେବା, ମଳମୂତ୍ର ତ୍ୟାଗ କରିବାରେ ଅସୁବିଧା ହେବା/ ବନ୍ଦ ହୋଇଯିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏମିତିକି ଅନେକ ସମୟରେ ସେମାନଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ। ମଣିଷ ମଧ୍ୟ ମାଇକ୍ରୋ ପ୍ଲାଷ୍ଟିକକୁ ଖାଦ୍ୟ ଓ ପବନ ମାଧ୍ୟମରେ ଗ୍ରହଣ କରିଥାଏ। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ପୃଥିବୀର ପ୍ରତ୍ୟେକ ମଣିଷ ସପ୍ତାହକୁ ଗୋଟିଏ କ୍ରେଡିଟ୍/ଡେବିଟ୍ କାର୍ଡ ପରିମାଣର ପ୍ଲାଷ୍ଟିକ ଗ୍ରହଣ କରୁଛନ୍ତି। ୨୦୧୮ ମସିହାରେ ଗୋଟିଏ ଅର୍ନ୍ତଜାତୀୟ ଉପକୂଳ ସଫେଇ କାର୍ଯ୍ୟକ୍ରମ ସମୟରେ ପାଖାପାଖି ୧.୯ ମିଲିଅନ୍ ସପିଙ୍ଗ ବ୍ୟାଗ୍ ବା ଜରି ଉଦ୍ଧାର କରାଯାଇଥିଲା। ସମୁଦ୍ରରୁ ଉଦ୍ଧାର କରାଯାଉଥିବା ସମସ୍ତ ମୃତ କଇଁଛ ମଧ୍ୟରୁ ୩୪% ପ୍ଲାଷ୍ଟିକ ଖାଇଥିବା ଦେଖାଯାଏ। କଇଁଛମାନଙ୍କ ଦ୍ବାରା ଜେଲି ଫିସ୍ ଓ ଜରି ମଧ୍ୟରେ ଫରକ କରିବା ପାଖାପାଖି ଅସମ୍ଭବ ଅଟେ। ସମୁଦ୍ରରେ ପ୍ରତି ବର୍ଷ ମାଛମାନେ ହଜାର ହଜାର ଟନର ପ୍ଲାଷ୍ଟିକ ଖାଇଥାନ୍ତି। ଅନେକ ଛୋଟ ମାଛଙ୍କୁ ବଡମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଜୀବ ଖାଆନ୍ତି ତଥା ଏ ସମସ୍ତଙ୍କୁ ମଣିଷ ଖାଏ। ଆଉ ଏମତି ହିଁ ପ୍ଲାଷ୍ଟିକ ଆମ ଖାଦ୍ୟ ଶୃଙ୍ଖଳାରେ ସାମିଲ ହୋଇଥାଏ। ପ୍ଲାଷ୍ଟିକ ବ୍ୟାଗରୁ ନିର୍ଗତ ରାସାୟନିକ ଦ୍ରବ୍ୟ ସାମୁଦ୍ରିକ ବ୍ୟାକ୍ଟେରିଆ ‘ପ୍ରୋକ୍ଲୋରୋକୋକସ’ର ଅଭିବୃଦ୍ଧିରେ ବ୍ୟାଘାତ ଆଣେ। ଆମ ବାୟୁମଣ୍ଡଳର ସମସ୍ତ ଅମ୍ଳଜାନର ୧୦% ଏହି ବ୍ୟାକ୍ଟେରିଆଙ୍କ ଠାରୁ ହିଁ ଆସିଥାଏ। ଏକ ମାଇଲ ବାଟ ଯିବା ପାଇଁ ଯେତିକି ଗ୍ୟାସ୍ ବା ଇନ୍ଧନ ଖର୍ଚ୍ଚ ହୁଏ ସେହି ପରିମାଣରେ ମାତ୍ର ୧୪ଟି ମଧ୍ୟମ ଧରଣର ସପି° ବ୍ୟାଗ୍ ବନିପାରିବ। ଅନୁଧ୍ୟାନରୁ ଜଣାପଡିଛି ଯେ ଜଣେ ଆମେରିକୀୟ ବର୍ଷକୁ ହାରାହାରି ୩୬୫ଟି ସପି°/ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର କରନ୍ତି। ଆମେରିକାରେ ବ୍ୟବହାର କରାଯାଉଥିବା ୧୦୦ ବିଲିୟନ୍ ପ୍ଲାଷ୍ଟିକ ବ୍ୟାଗ୍ ପାଇଁ
ପାଖାପାଖି ୧୨ ମିଲିଅନ୍ ବ୍ୟାରେଲ୍ ତେଲ ଦରକାର କରିଥାଏ। ଉଦ୍ୟୋଗୀକରଣ ଓ ବ୍ୟାବସାୟିକ ଲାଭ ପାଇଁ ଜୀବାଶ୍ମ ଓ ପେଟ୍ରୋକେମିକାଲ୍ କମ୍ପାନୀ ଗୁଡିକ ଆସନ୍ତା ଦଶ ବର୍ଷ ମଧ୍ୟରେ ପ୍ଲାଷ୍ଟିକ ଉତ୍ପାଦନରେ ୪୦% ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି। ଆଉ ଏହାର ଅର୍ଥ ହେଉଛି, ଆହୁରି ଅଧିକ ପ୍ଲାଷ୍ଟିକ ସମୁଦ୍ରରେ ମିଶିବ, ଅଧିକ ଗ୍ରୀନ୍ ହାଉସ୍ ଓ ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ ନିର୍ଗତ ହେବ, ଯାହାକି ଜଳବାୟୁ ପରିବର୍ତ୍ତନର ପୁଣି କାରଣ ହେବ।
୧୯୮୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ‘ସେଫ୍ ଓ୍ବେ’ ଏବ° ‘କ୍ରୋଗର’ ନାମକ ଦୁଇଟି ସୁପର ମାର୍କେଟ ଚେନ୍ ପ୍ରଥମକରି ନିଜ ଆଉଟଲେଟ୍ ରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ବ୍ୟାଗ୍ ରେ ଜିନିଷପତ୍ରର ବିତରଣ ଆରମ୍ଭ କଲେ। ଏହାର ଆଗାମୀ ୧୦ବର୍ଷ ମଧ୍ୟରେ ପୃଥିବୀର ଅନ୍ୟ ସବୁ ବ୍ୟାବସାୟିକ ସ°ସ୍ଥା ମଧ୍ୟ କପଡା ଓ ପେପର ବ୍ୟାଗ୍ ବଦଳରେ ପ୍ଲାଷ୍ଟିକ ସପି° ବ୍ୟାଗ୍ ବା ପଲିଇଥାଇଲିନ୍ କୁ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ। ଏହା ବ୍ୟବସାୟୀ ମାନଙ୍କ ପାଇଁ ଶସ୍ତା, ଅପେକ୍ଷାକୃତ ମଜବୁତ ଓ ସୁବିଧାଜନକ ଥିଲା। ଆଉ ମୋଟରୁ ୧୫ ବର୍ଷ ପରେ, ମାନେ ୧୯୯୭ ମସିହାରେ ଗବେଷକ ଓ ସେଲର୍ ଚାର୍ଲ୍ସ ମୋରେ ପ୍ରଥମଥର ପାଇଁ ପ୍ରଶାନ୍ତ ମହାସାଗରରେ Great Pacific Garbage Patch ଚିହ୍ନଟ କରିଥିଲେ। ମୋଟରୁ ୧୫ ବର୍ଷ ବେଳକୁ ହିଁ ଗଭୀର ମହାସାଗରରେ ଟନ୍ ଟନ୍ ପ୍ଲାଷ୍ଟିକ ଆବର୍ଜନା ଜମା ହେବା ଆରମ୍ଭ ହୋଇଯାଇଥିଲା। ବିଶେଷଜ୍ଞମାନେ ଏହା ମଧ୍ୟ ଆକଳନ କରିଛନ୍ତି ଯେ ୨୦୫୦ ସୁଧା ସମୁଦ୍ରରେ ମାଛଙ୍କ ଠାରୁ ପ୍ଲାଷ୍ଟିକର ପରିମାଣ ଅଧିକ ଥିବ। ୨୦୧୧ ହେଲାବେଳକୁ ପୃଥିବୀ ପୃଷ୍ଠାରେ ପ୍ରତି ମିନିଟରେ ୧ ମିଲିଅନ୍ ପ୍ଲାଷ୍ଟିକ ବ୍ୟାଗ୍ ବା ଜରି ବ୍ୟବହାର କରାଯାଉଥିଲା। ୨୦୦୨ ମସିହାରେ ଗ୍ରୀଷ୍ମଋତୁ ଶେଷ ଆଡକୁ ପ୍ରବଳ ବର୍ଷା କାରଣରୁ ବା°ଗଲାଦେଶ୍, ନେପାଳ ଓ ପୂର୍ବ ଭାରତର କିଛି ଅ°ଶରେ ପ୍ରବଳ ବନ୍ୟା ଆସିଥିଲା, ଯେଉଁଥିରେ ପାଖାପାଖି ୫୦୦ଜଣଙ୍କ ପ୍ରାଣହାନୀ ହେବାର ରେକର୍ଡ଼ ଅଛି। ଗବେଷକଙ୍କ ମତରେ, ଏହି ବନ୍ୟା ସମୟରେ କେବଳ ପ୍ଲାଷ୍ଟିକ ବ୍ୟାଗଗୁଡିକ ପାଇଁ ହିଁ ମାନବ ନିର୍ମିତ ଓ ପ୍ରାକୃତିକ ଡ୍ରେନେଜ ସିଷ୍ଟମଗୁଡିକ କ୍ଲଗ୍ଡ ବା ରୁଦ୍ଧ ହେବା ହିଁ ବନ୍ୟାର ପରିସ୍ଥିତିକୁ ଆହୁରି ଭୟାନକ କରିଦେଇଥଲା। ଏହା ପରେପରେ ୨୦୦୨ ମସିହାରେ ହିଁ ବା°ଗଲାଦେଶ୍ ପ୍ଲାଷ୍ଟିକ ବ୍ୟାଗ୍ ଉପରେ ବ୍ୟାନ୍ ବା ନିଷେଧାଦେଶ ଜାରି କରିଥିଲା। ଏପରି କରିବାରେ ବା°ଗଲାଦେଶ୍ ହେଉଛି ପୃଥିବୀର ପ୍ରଥମ ଦେଶ। ୟୁନାଇଟେଡ୍ ନେସନ୍ସ ରିପୋର୍ଟ ଅନୁସାରେ ୨୦୧୮ ବେଳକୁ ୧୯୨ଟି ଦେଶ ମଧ୍ୟରୁ ୧୨୭ ଦେଶ ନିଜନିଜ ଦେଶରେ ପ୍ଲାଷ୍ଟିକ ବ୍ୟବହାର ନିୟନ୍ତ୍ରଣ ଓ ବିରୋଧୀ କୌଣସି ନା କୌଣସି ନିୟମ ପ୍ରଣୟନ କରିସାରିଥିଲେ। ପ୍ଲାଷ୍ଟିକ ଓ ତତ୍ ଜନିତ ପ୍ରଦୂଷଣ ସହ ଲଢିବା ପାଇଁ ୨୦୧୮ର ବିଶ୍ବ ପରିବେଶ ଦିବସର ଥିମ୍ ଥିଲା “ବିଟ୍ ପ୍ଲାଷ୍ଟିକ ପଲ୍ୟୁସନ୍”।
ସେ ୟୁନାଇଟେଡ୍ ନେସନ୍ସ ହେଉ କିମ୍ବା ଯେକୌଣସି ଦେଶର ସରକାର କେବଳ ଯେ ନିଷେଧ କି ନିୟମ ବନେଇଦେଲେ ପ୍ଲାଷ୍ଟିକ ଓ ତତ୍ ଜନିତ ପ୍ରଦୂଷଣ ସମସ୍ୟାର ସମାଧାନ ହୋଇଯିବ ତା’ ନୁହେଁ। ଏହା ପାଇଁ ଆମପରି ସାଧାରଣ ମଣିଷର ବିଚାରଧାରା ଓ ବ୍ୟବହାରରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ। ମୁଁ ଏବେ ବି ଲକ୍ଷ୍ୟ କରିଛି, ପରିବା ଓ ଗ୍ରୋସରୀ ଦୋକାନରେ ପ୍ଲାଷ୍ଟିକ ବ୍ୟାଗ୍ ବା ଜରି ପାଇଁ ଲୋକେ ଜିଦ୍ ଓ ଯୁକ୍ତି କରନ୍ତି। ଆଉ କେବଳ ଯେ ପ୍ଲାଷ୍ଟିକକୁ ଏଣେତେଣେ ନପକାଇଲେ ଆମର ଦାୟିତ୍ୱ ସରିଯିବ ତା ନୁହେଁ। ଆମର ଛୋଟଛୋଟ ଅଭ୍ୟାସ, ଯେମିତିକି ସପି° ପାଇଁ କପଡା ବ୍ୟାଗ୍ ନେବା, ନିଜର ପୋର୍ଟେବଲ୍ (ନେବାଆଣିବା କରିହେଉଥିବା) ଓ ରିୟୁଜେବଲ (ବାରମ୍ବାର ବ୍ୟବହାର ଯୋଗ୍ୟ) ଷ୍ଟିଲ ଷ୍ଟ୍ର ଓ ଗ୍ଲାସ ରଖିବା, ପେପର କିମ୍ବା ବାୟୋଡିଗ୍ରେଡେବଲ୍ ଖାଦ୍ୟ ଥଳି ଓ ଥାଳି ବ୍ୟବହାର, ଷ୍ଟିଲ କିମ୍ବା ତମ୍ବା ପାଣି ବଟଲ ବ୍ୟବହାର, ବାଉଁଶ କିମ୍ବା ରିୟୁଜେବଲ ଦାନ୍ତଘଷା ବ୍ରସ୍, ବଜାରରେ ଉପଲବ୍ଧ ଅନେକ ଚିଓ୍ବି° ଗମରେ ପ୍ଲାଷ୍ଟିକ ଥାଏ ୟାକୁ ବର୍ଜନ କରି ପ୍ଲାଷ୍ଟିକ-ଫ୍ରି ଚିଓ୍ବି° ଗମ୍ କିଣନ୍ତୁ। ସିନ୍ଥେଟିକ୍ କପଡା, ସାନିଟାରୀ ପ୍ୟାଡ୍ ଓ ଡାଇପର ବଦଳରେ କଟନ୍ ଓ ନେଚୁରାଲ୍ ଫାଇବର ବାଛିବା, ଘରୁ ବାହାରୁଥିବା ପରିବାଚୋପା ଓ ବଳକା ଖାଦ୍ୟ ସାମଗ୍ରୀକୁ କମ୍ପୋଷ୍ଟ ବା ଜୈବିକ ଖାଦରେ ପରିଣତ କରି ଆପଣ ଡଷ୍ଟବିନ୍ ବ୍ୟାଗ୍ ଓ ଗାରବେଜ୍ ର ପରିମାଣ କମାଇ ପାରିବେ, ବ୍ୟବହାର କରିବା ଆଗରୁ ରିୟୁଜେବଲ ପ୍ଲାଷ୍ଟିକ ଓ ତା’ର ସଠିକ ଡିସପୋଜେବଲ୍ ପଦ୍ଧତି ପଢି, ଜାଣି ବ୍ୟବହାର କରନ୍ତୁ। ଏ ପୃଥିବୀ ଓ ପ୍ରକୃତି ଆମର। ଆମ ବଞ୍ଚିବା ପାଇଁ ଏଇ ଇକୋସିଷ୍ଟମ୍ ର ସୁରକ୍ଷା ନିହାତି ଜରୁରୀ। ଥରେ ଭାବିଲେ ଆମର ଛୋଟିଆ ଛୋଟିଆ ଅଭ୍ୟାସରେ ପରିବର୍ତ୍ତନ ଏ ପୃଥିବୀକୁ କେତେବଡ ବିପର୍ଯ୍ୟୟରୁ ରକ୍ଷା କରିପାରିବ। ନହେଲେ ଆମର ଆଗାମୀ ପିଢ଼ି ପାଇଁ ଆମେ ଖାଲି କୁଢକୁଢ ଅଳିଆ, ବିଶାଳ ମରୁଭୂମି ଓ ମେଞ୍ଚାଏ ବିଷାକ୍ତ ବାୟୁ ହିଁ ଛାଡିଯିବା। ମୋର ଜଣେ ପାଠକ ହିଁ କହିଥିଲେ, ଗୋଟିଏ ସୁନ୍ଦର କାଲି ପାଇଁ ଆମକୁ ଆଜି ପରିବେଶ ଓ ପ୍ରକୃତିକୁ ସଫା ରଖିବା ଜରୁରୀ।

Leave a Reply

Your email address will not be published. Required fields are marked *